ରାଜ୍ୟର ସବୁ ରାସ୍ତା ଗୋଟିଏ ଡିଜାଇନ୍‌ର ହେବ

ଭୁବନେଶ୍ବର : ରାଜ୍ୟରେ ସଡ଼କ ଦୁର୍ଘଟଣା ଏବଂ ଦୁର୍ଘଟଣାଜନିତ ମୃତ୍ୟୁ ବଢ଼ିଚାଲିଥିବାରୁ ଏହା ଉପରେ ରୋକ୍‌ ଲଗାଇବା ପାଇଁ ରାଜ୍ୟ ସରକାର ଓଡ଼ିଶା ମୋଟର ଯାନ ନିୟମ ୧୯୯୩ରେ ସଂଶୋଧନ କରି ଓଡ଼ିଶା ମୋଟର ଯାନ (ସଂଶୋଧିତ) ନିୟମ, ୨୦୨୨ ଆଣିବାକୁ ଯାଉଛନ୍ତି। ଏଥିରେ ରାସ୍ତା ନିର୍ମାଣକାରୀ ବିଭାଗ ଠାରୁ ଆରମ୍ଭ କରି ଆର୍‌ଟିଓ, ପୁଲିସ ସମସ୍ତଙ୍କୁ ଦାୟିତ୍ବ ଆବଣ୍ଟନ କରିବାକୁ ଯାଉଛନ୍ତି। ଏପରିକ ପ୍ରତି ରାସ୍ତାରେ କ’ଣ କ’ଣ ସୁବିଧା ରହିବା ଦରକାର ସେନେଇ ଏକ ଏସ୍‌ଓପି ପ୍ରସ୍ତୁତ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

ପରିବହନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏଣିକି ଜାତୀୟ ରାଜପଥରୁ ଆରମ୍ଭ କରି ରାଜ୍ୟ ରାଜପଥ, ପୌର ସଂସ୍ଥା ଅଧୀନରେ ଥିବା ରାସ୍ତା, ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ରାସ୍ତାଗୁଡ଼ିକର ଡିଜାଇନ୍ ଗୋଟିଏ ପ୍ରକାରର ହେବ। ଏଥିରେ କେବଳ ରାସ୍ତାର ଚଉଡା ଯାହା ବଦଳିବ। ପ୍ରତି ରାସ୍ତାରେ ପଥଚାରୀ, ସାଇକେଲ୍‌ ଚାଳକ, ଅଣ ମୋଟରଯାନ ବ୍ୟବହାରକାରୀଙ୍କ ପାଇଁ ଫୁଟପାଥ୍‌, ସାଇକେଲ୍‌ ଟ୍ରାକ୍, ଫୁଟ୍‌ ଓଭରବ୍ରିଜ୍ ରହିବ। ଏପରିକି ଘୋଡ଼ା ଗାଡ଼ି , ବଳଦ ଗାଡ଼ି ଭଳି ପଶୁ ଚାଳିତ ଗାଡ଼ି ଯାତାୟତ ସୁବିଧା ବି ଫୁଟପାଥ୍‌ରେ ରହିବ।

ସଂ‌ଶୋଧିତ ହେବ ଓଡ଼ିଶା ମୋଟର ଯାନ ନିୟମ
ଏଏସ୍‌ଆଇ କିମ୍ବା ଉଚ୍ଚପଦସ୍ତ ଅଧିକାରୀ ଜରିମାନା ଆଦାୟ କରିବେ

ଜନବସତି ଅଞ୍ଚଳରେ ପ୍ରତି ଦୁଇ କିଲୋମିଟର ରାସ୍ତାରେ ପଥଚାରୀଙ୍କ ପାଇଁ ରାସ୍ତା ଅତିକ୍ରମ ସୁବିଧା ରହିବ, କେଉଁଠି ଘରୋଇ ଗାଡ଼ି ଚଳାଚଳ ବନ୍ଦ ରହିବ ତାହା ପୁଲିସ ଓ ପୂର୍ତ୍ତ ବିଭାଗ ଚିହ୍ନଟ କରିବା ସହ ଉକ୍ତ ସ୍ଥାନରେ ପଥଚାରୀଙ୍କ ଯାତାୟତ ପାଇଁ ସୁବିଧା କରିବେ। ସମସ୍ତ ନୂତନ ଓ ଉନ୍ନତୀକରଣ ହୋଇଥିବା ରାସ୍ତାରେ ସାଇକେଲ୍‌ ଟ୍ରାକ୍, ଫୁଟପାଥ୍‌ ନିର୍ମାଣ କରାଯିବ। ସମସ୍ତ ଗାଡ଼ି ଚାଳକ ଯେପରି ଅଣ ମୋଟରଯାନ ଚାଳକଙ୍କ ଠାରୁ ଦୂରରେ ଗାଡ଼ି ଚଲାଇବେ ଏବଂ ଅତିକ୍ରମ କରିବେ ସେହିଭଳି ରାସ୍ତା ନିର୍ମାଣ ହେବ। ସବୁ ନୂଆ ରାସ୍ତାରେ ଯଦି ପଥଚାରୀଙ୍କ ଫୁଟପାଥ୍‌ ନରହିବ ତେବେ ଉକ୍ତ ପ୍ରକଳ୍ପ ମୂଲ୍ୟର ୧% ଅର୍ଥ ରାଜ୍ୟ ସଡ଼କ ସୁରକ୍ଷା ପାଣ୍ଠିରେ ଜରିମାନା ଆକାରରେ ଜମା କରିବାକୁ ହେବ। ୧୨ ମିଟର ବା ୪୦ଫୁଟ କିମ୍ବା ତାହାଠାରୁ କମ୍ ଓସାର ରାସ୍ତାରେ ଯାନବାହାନ ଘଣ୍ଟା ପ୍ରତି ୧୫ରୁ ୨୦କିମି ବେଗରେ ଯିବ। ରାସ୍ତାର ଦୁଇ ପାର୍ଶ୍ବରେ ଗଛ ଲାଗିଥିଲେ ୩ମିଟର ବା ୧୦ଫୁଟ ଉଚ୍ଚତା ମଧ୍ୟରେ ଯେପରି ଗଛର ଡାଳ ରହିବନି ସେନେଇ ବ୍ୟବସ୍ଥା କରାଯିବ।

ସେହିପରି ଯେଉଁମାନେ ସଡ଼କ ସୁରକ୍ଷା ନିୟମ ମାନିବେନି ସେମାନଙ୍କ ଠାରୁ କେବଳ ଏଏସ୍‌ଆଇ ଏବଂ ଏହାଠାରୁ ବଡ଼ ରୢାଙ୍କର ଅଧିକାରୀମାନେ ଜରିମାନା ଆଦାୟ କରିପାରିବେ। ଏହିଭଳି ନିୟମ ଓଡ଼ିଶା ମୋଟର ଯାନ (ସଂଶୋଧିତ) ନିୟମ-୨୦୨୨ରେ ରହିବ।

ସମ୍ବନ୍ଧିତ ଖବର