ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା : ପୂଜା ଛୁଟି ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ, କଲେଜ ବନ୍ଦ ରହିବ

ମହାମାରୀ ଲଢେଇରେ ଆତ୍ମସନ୍ତୋଷ ସବୁଠାରୁ ବଡ ଶତ୍ରୁ, ସବୁବେଳେ ସତର୍କ ରୁହନ୍ତୁ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟରେ କୋଭିଡ ପରିଚାଳନା ସଂପର୍କରେ ସମୀକ୍ଷା କରିଥିଲେ। ବର୍ତ୍ତମାନର ପରିସ୍ଥିତିରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ଉଦ୍‌ବେଗକୁ ଦୃଷ୍ଟିରେ ରଖି ସ୍କୁଲ କଲେଜ ପୂଜା ଛୁଟି ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ସେହିପରି ଗ୍ରାମ୍ୟ ଅର୍ଥନୀତିର ପୁନଃରୁଦ୍ଧାର ପାଇଁ ଅଧିକ ଋଣ ସହାୟତା, ଏମଏସଏମଇ, କୃଷି, ମତ୍ସ୍ୟ ଓ ପଶୁପାଳନ ଏବଂ ସ୍ବୟଂ ସହାୟକ ଗୋଷ୍ଠୀ ଉପରେ ଅଧିକ ଗୁରୁତ୍ବ‌ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। କୋଭିଡ ପରିସ୍ଥିତି ଯୋଗୁ ଅନ୍ୟ ରାଜ୍ୟରୁ ଆସିଥିବା ଭାଇଭଉଣୀମାନେ ଯେପରି ଓଡିଶାରେ ରୋଜଗାର ପାଇପାରିବେ, ସେଥିପାଇଁ ସେମାନଙ୍କୁ ଛୋଟ ଛୋଟ ବ୍ୟବସାୟ ପାଇଁ ରିହାତିରେ ଋଣ ଯୋଗାଇ ଦିଆଯିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ । ସେହିପରି ନିର୍ମାଣ ଶ୍ରମିକ ଯୋଜନାରେ ସେମାନଙ୍କର ଦକ୍ଷତା ନିରୂପଣ ଓ ପଞ୍ଜିକରଣ ସୁବିଧାରେ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଛେଳି, କୁକୁଡା ପାଳନ, ମତ୍ସ୍ୟ ଚାଷ ଆଦି ବିଭିନ୍ନ ଜୀବିକା କାର୍ଯ୍ୟକ୍ରମ ଲୋକଙ୍କୁ ରୋଜଗାର ଦେବାରେ ବିଶେଷ ସଫଳ ହେଉଥିବାରୁ, ଏହାକୁ ଅଧିକ ବ୍ୟାପକ କରିବା ଏବଂ ଅଧିକ ଲୋକଙ୍କୁ ଏଥିରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ମାସ୍କ ତିଆରିରେ ନିୟୋଜିତ ଥିବା ସ୍ବୟଂ ସହାୟକ ଗୋଷ୍ଠୀର ମା ମନେ ଯେଭଳି ଏହି ସମୟରେ ରୋଜଗାର କରିପାରିବେ, ସେଥିପାଇଁ ବିଧାୟକ ଆଞ୍ଚଳିକ ବିକାଶ ପାଣ୍ଠି ଅର୍ଥରେ ସ୍ବୟଂ ସହାୟକ ଗୋଷ୍ଠୀରୁ ମାସ୍କ କିଣାଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସ୍ବୟଂ ସହାୟକ ଗୋଷ୍ଠୀ ମାନେ ଯେପରି ସୁବିଧାରେ ଋଣ ପାଇପାରିବେ, ସେଥିପାଇଁ ଦୃଷ୍ଟି ରଖିବା ସହିତ ବ୍ୟାଙ୍କ ମାନଙ୍କ ସହିତ ଯୋଗାଯୋଗରେ ରହିବା ପାଇଁ ପରାମର୍ଶ ଦେଇଥିଲେ। ଗ୍ରାମାଞ୍ଚଳରେ ନିର୍ମାଣ କାର୍ଯ୍ୟ ବିଶେଷ କରି ଗୃହ ନିର୍ମାଣ କାମ ଉପରେ ଅଧିକ ଗୁରୁତ୍ବ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।ଏତଦ୍‌ବ୍ୟତୀତ ଚାଷୀ ମାନଙ୍କୁ ସୁବିଧାରେ ଏବଂ ଶୀଘ୍ର କୃଷି ଋଣ ଯୋଗାଣ ଏବଂ କ୍ଷୁଦ୍ର, ମଧ୍ୟମ ଓ ଅଣୁ ଶିଳ୍ପର ପୁନରୁଦ୍ଧାରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସହାୟତା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

କୋଭିଡ ପରିଚାଳନା ସଂପର୍କରେ ମୁଖ୍ୟମନ୍ତ୍ରୀ କହିଥିଲେ ମହାମାରୀ ସମୟରେ ଆତ୍ମସନ୍ତୋଷ ହିଁ ସବୁଠାରୁ ବଡ ଶତ୍ରୁ । ତେଣୁ ସାଧାରଣ ଲୋକ ହୁଅନ୍ତୁ, ବା ସରକାରୀ କର୍ମଚାରୀ ସମସ୍ତେ ଏଥିପ୍ରତି ସତର୍କ ରହି କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ରାଜ୍ୟରେ ଅଧିକ ପରୀକ୍ଷା କରାଯାଉଥିବା ସହିତ ସଂକ୍ରମଣ ହାର କମିଥିବା ଏବଂ ମୃତ୍ୟୁ ହାର ମଧ୍ୟ କମି ଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ। ହଟସ୍ପଟ୍ ଜିଲ୍ଲା ମାନଙ୍କରେ ଯେଉଁ ଅଞ୍ଚଳଭିତ୍ତିକ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି, ତାକୁ କଡାକଡ ଭାବରେ ପାଳନ କରିବା ସହିତ ଆଗାମୀ ସପ୍ତାହ ବେଳକୁ ଯେଭଳି ପରିସ୍ଥିତିରେ ଆଖିଦୃଶିଆ ଉନ୍ନତି ଆସିପାରିବ, ସେ ଦିଗରେ କାମ କରିବା ପାଇଁ ଜିଲ୍ଲା ପର୍ଯ୍ୟବେକ୍ଷକ ମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ବିଭିନ୍ନ ଆଞ୍ଚଳିକ କୋଭିଡ ଚିକିତ୍ସାଳୟ ମାନଙ୍କରେ ଆବଶ୍ୟକ ମୁତାବକ ଆଇସିୟୁ ଶଯ୍ୟାର ଉପଲବ୍‌ଧତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ। ତା’ସହିତ କୋଭିଡ ନିୟମାବଳୀକୁ କଡାକଡି ଭାବରେ ପାଳନ କରି ସରକାରୀ ଅଫିସ ଗୁଡିକୁ ସଂକ୍ରମଣମୁକ୍ତ ରଖିବାକୁ ସବୁପ୍ରକାର ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

କୋଭିଡ ଯୋଦ୍ଧା ମାନଙ୍କ ଭିତରେ ସଂକ୍ରମଣ ହାର କମୁଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ମାସ୍କର ବ୍ୟବହାର, ସାମାଜିକ ଦୂରତା ବିଷୟରେ ଆହୁରି ଜନସଚେତନତା କରିବା ପାଇଁ ପରାମର୍ଶ ଦେଇଥିଲେ। ସହିଦ୍‌ କୋଭିଡ ଯୋଦ୍ଧା ମାନଙ୍କର ବ୍ୟକ୍ତିଗତ ପାଉଣା ଆସନ୍ତା ଶୁକ୍ରବାର ସୁଦ୍ଧା ତାଙ୍କ ଆତ୍ମୀୟ ମାନଙ୍କୁ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ କଡା ନିର୍ଦ୍ଦେଶ ଦେଇଥିଲେ।

କୃଷି ମନ୍ତ୍ରୀ  ଅରୁଣ ସାହୁ, ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ  ଦେବୀ ପ୍ରସାଦ ମିଶ୍ର ଓ ଅତନୁ ସବ୍ୟସାଚୀ ନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଗ୍ରାମ୍ୟ ଅର୍ଥନୀତି ପୁନରୁଦ୍ଧାର ପ୍ୟାକେଜ, ପ୍ଲାଜମା ସଂଗ୍ରହ ଏବଂ ଅନ୍ୟ ରାଜ୍ୟରୁ ଆସିଥିବା ଓଡିଆ ଶ୍ରମିକ ମାନଙ୍କର ପଞ୍ଜିକରଣ ସମସ୍ୟା ଆଦି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମୁଖ୍ୟ ଶାସନ ସଚିବ  ଅସିତ ତ୍ରିପାଠୀ ରାଜ୍ୟର ଅର୍ଥନୀତି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ବିସ୍ତୃତ ଭାବରେ ଅବଗତ କରାଇଥିଲେ ଏବଂ ଜୁଲାଇ ମାସରୁ ପରିସ୍ଥିତିରେ ସୁଧାର ପରିଲକ୍ଷିତ ହେଉଛି ବୋଲି ଜଣାଇଥିଲେ।

ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ  ପ୍ରଦୀପ୍ତ କୁମାର ମହାପାତ୍ର ତାଙ୍କ ଉପସ୍ଥାପନାରେ କୋଭିଡ ପରିସ୍ଥିତି ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ଉପସ୍ଥାପନାରୁ ଜଣାଯାଇଛି ଯେ ରାଜ୍ୟରେ ସୁସ୍ଥହାର ଗତ ସପ୍ତାହରୁ ବଢି ୭୧.୩ ପ୍ରତିଶତରେ ପହଞ୍ଚିଥିବା ବେଳେ ମୃତ୍ୟୁ ହାର ହ୍ରାସ ପାଇ ୦.୦୫ ପ୍ରତିଶତ ହୋଇଛି। ୫୪ ପ୍ରତିଶତ ସକ୍ରିୟ ସଂକ୍ରମିତ ରୋଗୀ ଗୃହ ସଂଗରୋଧରେ ରହୁଛନ୍ତି । ସେହିପରି ପୋଲିସ, ଅଗ୍ନିଶମ ଓ ଏନଡିଆରଏଫ୍ କର୍ମଚାରୀ ପ୍ଲାଜମା ଦାତା ମାନଙ୍କ ମଧ୍ୟରେ ଆଗୁଆ ରହିଛନ୍ତି । କଟକ, ବାଲେଶ୍ବର ଓ କେନ୍ଦ୍ରାପଡା ଜିଲ୍ଲା ପ୍ଲାଜମା ସଂଗ୍ରହ କ୍ଷେତ୍ରରେ ବହୁତ ଭଲ କାମ କରିଥିବା ବେଳେ ମାଲକାନଗିରି, ବୌଦ ଓ ରାୟଗଡ ଜିଲ୍ଲା ଗୃହ ସଂଗରୋଧ କ୍ଷେତ୍ରରେ ବହୁତ ଭଲ କାମ କରିଛନ୍ତି। ଆସନ୍ତା ୨୮ ତାରିଖରୁ ଭୁବନେଶ୍ବରରେ ଦ୍ବିତୀୟ ପର୍ଯ୍ୟାୟ ଏବଂ ରାଉରକେଲାରେ ପ୍ରଥମ ପର୍ଯ୍ୟାୟ ସେରୋ ସର୍ଭେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସେ ସୂଚନା ଦେଇଥିଲେ। ଆସନ୍ତାକାଲି କୋରାପୁଟରେ ଆଉ ଏକ ପ୍ଲାଜମା ବ୍ୟାଙ୍କ ଖୋଲାଯିବ।

କଟକ,ଖୋର୍ଦ୍ଧା, ସୁନ୍ଦରଗଡ ରାୟଗଡା ଜିଲ୍ଲାର କୋଭିଡ ପରିସ୍ଥିତି ମୁକାବିଲା ସଂପର୍କରେ ଜିଲ୍ଲା ପର୍ଯ୍ୟବେକ୍ଷକ ମ୍ୟୁନିସପାଲ କମିଶନର ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ କଟକରେ କୋଭିଡ ମୁକାବିଲା ପାଇଁ ଯେକୌଣସି ଅତିରିକ୍ତ ସହାୟତା ଆବଶ୍ୟକ ହେଲେ ତୁରନ୍ତ ରାଜ୍ୟ ସରକାରଙ୍କୁ ଜଣାଇ ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ସେହିପରି ରାଉରକେଲାରେ କୋଭିଡ ମୁକାବିଲାରେ ନିୟୋଜିତ ବିଭିନ୍ନ ସଂସ୍ଥା ମାନଙ୍କ ମଧ୍ୟରେ ଅଧିକ ସମନ୍ବୟ ରଖି କୋଭିଡ ପରିଚାଳନା କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ

ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗର ପ୍ରମୁଖ ସଚିବ ଆଦି ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ବୈଠକ ସଞ୍ଚାଳନ କରିଥିଲେ।

ସମ୍ବନ୍ଧିତ ଖବର