୩୦ ପ୍ରତିଶତ ନୁହେଁ, ଆସନ୍ତାକାଲିଠାରୁ ଅଫିସ ଯିବେ ସମସ୍ତ ସରକାରୀ କର୍ମଚାରୀ

ଭୁବନେଶ୍ୱର: ସରକାରୀ ଅଫିସକୁ ପୂର୍ଣ୍ଣ ରୂପରେ କାର୍ଯ୍ୟକ୍ଷମ କରିବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର | ଏଣିକି ଆଉ ୩୦ ପ୍ରତିଶତଙ୍କୁ ନେଇ କାମ ହେବନାହିଁ ବରଂ ସମସ୍ତ କର୍ମଚାରୀ ଅଫିସ ଯିବେ | ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି | ଏହି ଚିଠିରେ କୁହାଯାଇଛି ଯେ ଆସନ୍ତାକାଲିଠାରୁ ଅର୍ଥାତ ମେ ୧୯ଠାରୁ ସମସ୍ତ କର୍ମଚାରୀ ଅଫିସ ଯିବେ | ତେବେ କର୍ମଚାରୀମାନେ ସାମାଜିକ ଦୂରତାକୁ କିଭଳି ପାଳନ କରିବେ ସେ ନେଇ ଯତ୍ନବାନ ହେବାକୁ ଚିଠିରେ କୁହାଯାଇଛି |

ତେବେ ସମସ୍ତ ବିଭାଗ ପାଇଁ କିଛି ନିୟମ ମଧ୍ୟ ଜାରି କରାଯାଇଛି | ନିୟମ ମୁତାବକ ଯଦି କେହି କର୍ମଚାରୀଙ୍କର ଥଣ୍ଡା ଜନିତ ସମସ୍ୟା ଥିବ ବା ଶ୍ୱାସକ୍ରିୟାରେ ସମସ୍ୟା ଥିବ ତେବେ ସେମାନେ ଅଫିସ ନ ଆସି ଛୁଟିରେ ରହିବେ | ସେହିପରି କଣ୍ଟେନମେଣ୍ଟ ଜୋନରେ ରହୁଥିବା ସରକାରୀ କର୍ମଚାରୀମାନେ ଅଫିସ ଆସିବେ ନାହିଁ |

ସେହିପରି ଅଫିସରେ ସାମାଜିକ ଦୂରତ୍ବକୁ ଗୁରୁତ୍ୱ ଦିଆଯିବ | ଅଫିସର ସର୍ବୋଚ୍ଚ ଅଧିକାରୀ ସାମାଜିକ ଦୂରତ୍ୱ କିଭଳି ବଜାୟ ରଖାଯିବ ସେଥିପ୍ରତି ଦୃଷ୍ଟି ଦେବେ | ଯଦି ଅଫିସ ପରିସର ଛୋଟ ଥିବ ତେବେ ରୋସ୍ତର ଭାବେ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି | ଏଠାରେ ସୂଚନା ଥାଉ କି ଏହା ପୂର୍ବରୁ କିଛି ବିଭାଗ ପାଇଁ ସବୁ କର୍ମଚାରୀ ନ ଆସି ପର୍ଯ୍ୟାୟ କ୍ରମେ କର୍ମଚାରୀ ଆସିବାକୁ କୁହାଯାଇଥିଲା |

ସମ୍ବନ୍ଧିତ ଖବର