ଭୁବନେଶ୍ବର: ଶିକ୍ଷା ହେଉଛି ବିକଶିତ ଭାରତ ପରିକଳ୍ପନାର ଏକ ପ୍ରମୁଖ ସ୍ତମ୍ଭ। ଏହି ଲକ୍ଷ୍ୟ ହାସଲ କରିବାକୁ ହେଲେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମିଳିତ ଭାବେ କାର୍ଯ୍ୟ କରିବାକୁ ପଡ଼ିବ। ଜାତୀୟ ଶିକ୍ଷା ନୀତିର ପାଖାପାଖି ୪ ବର୍ଷ ମଧ୍ୟରେ ଦେଶର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ଅଗ୍ରଗତି ହୋଇଛି। ଭାରତକୁ ଏକ ଜ୍ଞାନ ମହାଶକ୍ତିରେ ପରିଣତ କରିବା ପାଇଁ ଗୁଣାତ୍ମକ ଶିକ୍ଷାକୁ ପ୍ରାଥମିକତା ଦିଆଯାଉଛି। ଶିକ୍ଷାକୁ ସର୍ବବ୍ୟାପୀ ଏବଂ ସର୍ବସ୍ପର୍ଶୀ କରିବା ଦିଗରେ ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ଆଜି ନୂଆଦିଲ୍ଲୀରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ସହ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗର ସମୀକ୍ଷା ବୈଠକର ଉଦ୍ଘାଟନୀ ଅଧିବେଶନକୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ ଦେଶରେ ବିଦ୍ୟାଳୟ ଶିକ୍ଷାର ସାମଗ୍ରିକ ବିକାଶ ପାଇଁ ଆଗାମୀ ୫ବର୍ଷର ରୋଡ୍ ମ୍ୟାପ୍ ଉପରେ ମତ ରଖିଥିଲେ। ସେ କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତି ୨୦୨୦ରେ ମାତୃଭାଷା ଏବଂ ସମସ୍ତ ଭାରତୀୟ ଭାଷାରେ ଶିକ୍ଷା ପ୍ରଦାନ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଜାତୀୟ ଶିକ୍ଷା ନୀତିର ସୁପାରିସ ଅନୁସାରେ ଶିକ୍ଷାକୁ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ କରିବା ସହ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବାକୁ ହେବ। ବିଶ୍ୱ ଯେତେବେତେ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି ଏବଂ ଟେକ୍ନୋଲୋଜି ଦ୍ୱାରା ପରିଚାଳିତ ହେଉଛି ସେହି ସମୟରେ ଯୁବକଙ୍କୁ ଏକବିଂଶ ଶତାବ୍ଦୀରେ ବୈଶ୍ୱିକ ନାଗରିକ କରିବା ଆମର ଆହ୍ୱାନ।
ଆମକୁ ମିଳିତ ଉଦ୍ୟମରେ ଏପରି ଏକ ଶିକ୍ଷା ବ୍ୟବସ୍ଥା କରିବା ପାଇଁ ପଡ଼ିବ ଯେଉଁ ଶିକ୍ଷା ଉଭୟ ରୁଟେଡ୍ ଏବଂ ଭବିଷ୍ୟତବାଦୀ ହେବ।
ଶିକ୍ଷା ପରିସଂସ୍ଥାନକୁ ସୁଦୃଢ଼ କରିବା ସହ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ବେଷ୍ଟ୍ ପ୍ରାକ୍ଟିସକୁ ବଢ଼ାଇବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ରକୁ ଏକ ଟିମ୍ ଭାବେ କାର୍ଯ୍ୟ କରିବାକୁ ପଡ଼ିବ। ଦକ୍ଷତା ବୃଦ୍ଧି କରିବା, ସହଯୋଗୀ ଶିକ୍ଷା ବ୍ୟବସ୍ଥା ଗଠନ କରିବା ଏବଂ ଶିକ୍ଷାକୁ ବିକଶିତ ଭାରତର ମୁଖ୍ୟ ସ୍ତମ୍ଭ ଭାବେ ଉପଯୋଗ କରିବା ଦିଗରେ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ଶ୍ରୀ ପ୍ରଧାନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ ଅଂଶୀଦାରଙ୍କୁ ଆହ୍ବାନ ଦେଇଛନ୍ତି। ଏହାବ୍ୟତୀତ ଶିକ୍ଷକମାନଙ୍କ ଦକ୍ଷତା ବୃଦ୍ଧିର ଗୁରୁତ୍ୱ, ନିଯୁକ୍ତି ସୁଯୋଗ ବୃଦ୍ଧି ପାଇଁ ଦକ୍ଷତା ଭିତ୍ତିକ ଶିକ୍ଷା ପ୍ରଦାନ ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ। ଆଜିର ବୈଠକରେ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ, ଶିକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ଏନ୍ସିଇଆରଟି, ଏସ୍ସିଇଆରଟି, କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ, ସିବିଏସ୍ଇର ମୁଖ୍ୟ ଓ ପ୍ରତିନିଧି ମଣ୍ଡଳୀ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଦୁଇଦିନିଆ ବୈଠକରେ ପଞ୍ଚବାର୍ଷିକ କାର୍ଯ୍ୟଯୋଜନା ଉପରେ ଆଲୋଚନା ହେବ। ୧୦୦ ଦିନିଆ ଆକ୍ସନ ପ୍ଲାନ, ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ସମଗ୍ର ଶିକ୍ଷା ଅଧୀନରେ ଭିତ୍ତିଭୂମି କାର୍ଯ୍ୟ, ଆଇସିଟି ଓ ସ୍ମାର୍ଟ ଶ୍ରେଣୀଗୃହର ଅଗ୍ରଗତି ସ୍ଥିତି ଉପରେ ଚର୍ଚ୍ଚା ହେବ। ସେହିପରି ଭିଏସ୍କେ ଏବଂ ୨୦୦ ଚ୍ୟାନେଲର ସେଟିଂ, ୨୦୨୩-୨୪ ପାଇଁ ୟୁଡିଆଇଏସଇ+ ର ଚୂଡ଼ାନ୍ତୀକରଣ, ଡାଏଟ୍ ଉପରେ ଆଲୋଚନା ଏବଂ ବିଦ୍ୟାଳୟଗୁଡ଼ିକରେ ତମାଖୁ ନିୟନ୍ତ୍ରଣ ଏବଂ ଟିଓଏଫଇଆଇ ନିର୍ଦ୍ଦେଶାବଳୀ ପ୍ରତିରୋପଣ ଆବଶ୍ୟକତା ଉପରେ ଆଲୋଚନା ହେବ।