ଭୁବନେଶ୍ବ : ଆସନ୍ତାକାଲିଠାରୁ ରାଜ୍ୟରେ ଥିବା ବୋର୍ଡ଼୍‌ ଅଫ୍‌ ରେଭିନ୍ୟୁ ଅଫିସ୍‌ ସମେତ ସମସ୍ତ ସବ୍‌-ରେଜିଷ୍ଟ୍ରାର୍‌ ଅଫିସ୍‌ ଖୋଲା ରହିବ। ଏ ନେଇ ରାଜସ୍ବ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, ଭଦ୍ରକ, ପୁରୀ, କଳାହାଣ୍ଡି, ଢେଙ୍କାନାଳ ଓ ଯାଜପୁର ଜିଲ୍ଲାର ସହରାଞ୍ଚଳରେ ଥିବା ଏସବୁ ଅଫିସରେ ଗ୍ରୁପ୍‌-ଏ ବର୍ଗର ଅଧିକାରୀ ନିୟମିତ ଅଫିସ ଆସିବେ। କିନ୍ତୁ ଗ୍ରୁପ୍‌ ବି, ସି ଓ ଡି ବର୍ଗର ଅଧିକାରୀ ରୋଷ୍ଟର୍‌ ଆଧାରରେ ୩୩% ଆସିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏସବୁ ସ୍ଥାନ ବ୍ୟତୀତ ରାଜ୍ୟର ବାକି ଅଞ୍ଚଳରେ ଥିବା ରାଜସ୍ବ ବିଭାଗ ଅଫିସରେ ଶତ ପ୍ରତିଶତ କର୍ମଚାରୀ କାର୍ଯ୍ୟରେ ଯୋଗଦେବେ।

Advertisment

ସେହିପରି ସମସ୍ତ ଆରିଡିସି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଉପ-ଜିଲ୍ଲାପାଳ କାର୍ଯ୍ୟାଳୟ, ତହସିଲ ଅଫିସ୍‌ ଓ ଆର୍‌ଆଇ ଅଫିସରେ ଶତ ପ୍ରତିଶତ କର୍ମଚାରୀ କାର୍ଯ୍ୟରେ ଯୋଗଦେବେ। ଏସବୁ କର୍ମଚାରୀମାନେ କାର୍ଯ୍ୟକ୍ଷେତ୍ରରେ କୋଭିଡ-୧୯ ପ୍ରତିହତ ପାଇଁ ସମସ୍ତ ନିୟମ ଅନୁପାଳନ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଦଲିଲ୍‌ ପତ୍ର କିଣା ବିକା ପାଇଁ ସମସ୍ତ ଷ୍ଟାମ୍ପ୍‌ ଭେଣ୍ଡର ବି ଜିଲ୍ଲପାଳ, ସବ୍‌-ରେଜିଷ୍ଟ୍ରାର୍‌ ଅଫିସରେ ସୋମବାର ଠାରୁ କାର୍ଯ୍ୟ କରିବେ। ସରକାର ନିର୍ମାଣ କାର୍ଯ୍ୟ ପାଇଁ କଟକଣା କୋହଳ କରିଛନ୍ତି। ଏହି ଦୃଷ୍ଟିରୁ ବାଲି, ଗୋଡ଼ି ଓ ପଥର ଯୋଗାଣ ନେଇ ବାଲି ଘାଟ, କ୍ରସର୍‌ ୟୁନିଟ୍‌ ଓ ପଥର କ୍ବାରୀଗୁଡ଼ିକୁ ଚାଲିବା ପାଇଁ ରାଜସ୍ବ ବିଭାଗ ଅନୁମତି ପ୍ରଦାନ କରିଛି।