କଟକ: କଟକର ଐତିହାସିକ ବାଲିଯାତ୍ରା ଆୟୋଜନ ଆରମ୍ଭରୁ କେଁ ବାହାରିଛି। ପୌର ନିଗମ ପକ୍ଷରୁ ଡକାଯାଇଥିବା ସମସ୍ତ ଟେଣ୍ଡର୍‌କୁ ଆଜି ବାତିଲ କରି ଦିଆଯାଇଛି। ଚଳିତବ‌ର୍ଷ ବାଲିଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ, ପୌର ନିଗମ ସହିତ ବିଭିନ୍ନ ବିଭାଗକୁ ନେଇ ଗଠିତ ହୋଇଥିବା ସମନ୍ବୟ କମିଟି ଦ୍ବାରା ସମସ୍ତ ଟେଣ୍ଡର୍‌ କରିବାକୁ କୁହାଯାଇଥିଲା। ମାତ୍ର ‌ପଡ଼ିଆ ସଫେଇରୁ ଆରମ୍ଭ କରି ‘କଟକ ଇନ୍ କଟକ’ ମରାମତି ଇତ୍ୟାଦି କାମ ପାଇଁ ୧ କୋଟି ୬୨ ଲକ୍ଷରୁ ଅଧିକ ଟଙ୍କାରେ ପୌର ନିଗମ ନିଜ ୱେବ୍‌ସାଇଟ୍‌ରେ ଓ ଟେଣ୍ଡର୍‌ ଓଡ଼ିଶା ସାଇଟ୍‌ରେ ଟେଣ୍ଡର୍‌ ଡାକିଥିଲା। ସମନ୍ବୟ କମିଟି ମାଧ୍ୟମରେ ଟେଣ୍ଡର କରିବାକୁ ଘୋଷଣା ହୋଇଥିବା ବେଳେ ନିଗମ କାହା ସ୍ବାର୍ଥରେ ନିଜେ ଟେଣ୍ଡର୍‌ ଡାକିଛି ବୋଲି ବହୁ କର୍ପୋରେଟର୍ ପ୍ରଶ୍ନ କରିବା ସହ ସେଗୁଡିକୁ ବାତିଲ କରିବାକୁ ଦାବି କରିଥି‌ଲେ। 

Advertisment

ଅନ୍ୟପଟେ ନିଗମ ଗତବର୍ଷ ବାଲିଯାତ୍ରା କାମର ଟଙ୍କା ପୈଠ କରି ନଥିବା ବେଳେ ଚଳିତବର୍ଷ ଏକାଧିକ କାମ ପାଇଁ ଟେଣ୍ଡର୍‌ କରିବାକୁ ନେଇ ବିଭିନ୍ନ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ, ଅଧ୍ୟକ୍ଷାଙ୍କ ସହିତ ବହୁ କର୍ପୋରେଟର୍‌ ଏହାକୁ ବିରୋଧ କରିଥିଲେ। ସେହିପରି ନିଗମର ପୂର୍ତ୍ତ ଓ ସ୍ବାସ୍ଥ୍ୟ ଷ୍ଟାଣ୍ଡିଂ କମିଟି‌ରେ ବିନା ଆଲୋଚନାରେ ବିଭିନ୍ନ ଟେଣ୍ଡର୍‌ ଡକାଯିବାକୁ ନେଇ ବିରୋଧର ସ୍ବର ଉଠିଥିଲା। ଗଲା ଦୁଇ ଦିନ ଧରି ଏହା ଉପରେ ବିବାଦ ଦେଖାଯାଇଥିବା ବେଳେ ଶେଷରେ ଆଜି ରାତିରେ ସମସ୍ତ ଟେଣ୍ଡର୍‌କୁ ବାତିଲ କରି ଦିଆଯାଇଛି। କିନ୍ତୁ ବାଲିଯାତ୍ରା ଆରମ୍ଭକୁ ଆଉ ମାତ୍ର ୯ ଦିନ ଥିବା ବେଳେ ଟେଣ୍ଡର ବାତିଲ କରାଯାଇଥିବାରୁ ଏକପ୍ରକାର ବିନା ଟେଣ୍ଡରରେ କାମ ହେବାର ସ୍ଥିତି ସୃଷ୍ଟି ହୋଇଛି। ଏଭଳି ହେଲେ ହୁଏତ ଏହା ଦୁର୍ନୀତିକୁ ପ୍ରୋତ୍ସାହିତ କରିବ ବୋଲି କୁହାଯାଉଛି।  

ହାତରେ ମାତ୍ର ୯ ଦିନ
ସମନ୍ବୟ କମିଟିକୁ ଦାୟିତ୍ବ

ସୂଚନାଯୋଗ୍ୟ ଯେ ପୌର ନିଗମ ପକ୍ଷରୁ ୨୦୨୪ ବାଲିଯାତ୍ରା ଆୟୋଜନ ପାଇଁ ଦୁଇ ପଡ଼ିଆ ସଫେଇରୁ ଆରମ୍ଭ କରି ‘କଟକ ଇନ୍‌ କଟକ’ର ମରାମତି ଇତ୍ୟାଦି କାମ ପାଇଁ ଟେଣ୍ଡର୍‌ କରାଯାଇଥିଲା। ନିଗମ ତରଫରୁ ସମସ୍ତ କାମ ପାଇଁ ୧ କୋଟି ୬୨ ଲକ୍ଷରୁ ଅଧିକ ଟଙ୍କାର ଟେଣ୍ଡର ହୋଇଥିଲା। ଏଥିରେ ଏକ ମାସ ଧରି ପଡ଼ିଆ ସଫେଇ ପାଇଁ ୫୧ ଲକ୍ଷ ଟଙ୍କା, ହାଡ଼ିଆ ପଠା, ଭୁଆସୁଣି ପଠା, ମାତାମଠ ପୂଜା ମଣ୍ଡପ ଓ ବୋସ୍‌ ପାଖ ପାର୍କିଂ ଅଞ୍ଚଳର ଉନ୍ନତୀକରଣ ପାଇଁ ୪୬ ଲକ୍ଷ ୭୨ ହଜାର ଟଙ୍କାର ଟେଣ୍ଡର୍‌ କରାଯାଇଥିଲା। ସେହିପରି ଧୂଳି ନିୟନ୍ତ୍ରଣ ପାଇଁ କେମିକାଲ୍‌ ପାଣି ସ୍ପ୍ରେ ବାବଦରେ ୩୪ ଲକ୍ଷ ୪ ହଜାର ଟଙ୍କା, ବାଲିଯାତ୍ରା ଗେଟ୍‌ ରଙ୍ଗ ଓ ଷ୍ଟିଲ୍‌ ରେଲିଂ ବାବଦରେ ୪ଲକ୍ଷ ୯୩ ହଜାର, ନିଗମର ସ୍ବାସ୍ଥ୍ୟ ବିଭାଗ ଓ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଂଗ୍ରହ ଷ୍ଟଲ୍‌ ପାଇଁ ଏକ ଲକ୍ଷ ୯୦ ହଜାର, ୱାଚ୍‌ ଟାୱାର୍‌ ଓ ବାଲି ବସ୍ତା ପାଇଁ ୯୭ ହଜାର ଟଙ୍କା, ନିଗମ କ‌‌େଣ୍ଟ୍ରାଲରୁମ୍‌, ପ୍ରଦର୍ଶନୀ ଷ୍ଟଲ୍‌ ଓ ଅନ୍ୟାନ୍ୟ ଷ୍ଟଲ୍‌ ବାବାଦରେ ୯ଲକ୍ଷ ୩୦ ହଜାର ଟଙ୍କା, ‘କଟକ ଇନ୍‌ କଟକ’ ମରାମତି ପାଇଁ ୧୩ ଲକ୍ଷ ୨୩ ହଜାର ୮ଶହ ଟଙ୍କାର ଟେଣ୍ଡର୍‌ କରାଯାଇଥିଲା। 

ଚଳିତବର୍ଷ ବାଲିଯାତ୍ରା ପରିଚାଳାନା ପାଇଁ ଜିଲ୍ଲା ପ୍ରଶାସନ, ପୌର ନିଗମ, ପୁଲିସ ପ୍ରଶାସନ ପରି ବିଭାଗକୁ ନେଇ ଏକ ସମନ୍ବୟ କମିଟି ଗଠନ କରାଯାଇଛି। ଉକ୍ତ କମିଟି ମାଧ୍ୟମରେ ସମସ୍ତ କାମ ପାଇଁ‌ ଟେଣ୍ଡର୍‌ କରିବାକୁ ଆରମ୍ଭରେ ନିଷ୍ପତ୍ତି ହୋଇଥିଲା।  ନିଗମର ପୂର୍ତ୍ତ ଓ ସ୍ବାସ୍ଥ୍ୟ ଷ୍ଟାଣ୍ଡିଂ କମିଟିରେ ଆଲୋଚନା ବିନା ଟେଣ୍ଡର୍‌ କରିବା, ଗତବର୍ଷ ବାଲିଯାତ୍ରା କାମର ବିଲ୍‌ ପୈଠ କରାଯାଇ ନଥିବା ବେଳେ ନିଗମ ଏଥର ସେହି କାମ ପାଇଁ ଟେଣ୍ଡର୍‌ ଡାକିବାକୁ ନେଇ ବହୁ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ, ଅଧ୍ୟକ୍ଷା ଓ କର୍ପୋରେଟର୍‌ ବିରୋଧ କରିଥିଲେ। ପୌର ନିଗମ ପକ୍ଷରୁ ଡକାଯାଇଥିବା ସମସ୍ତ ଟେଣ୍ଡର୍‌କୁ ଆଜି ବାତିଲ କରି ଦିଆଯାଇଛି ବୋଲି କମିସନର୍‌ ଅନାମ ଚରଣ ପାତ୍ର କହିଛନ୍ତି। ନିଗମ ସାଇଟ୍‌ରେ ଡକାଯାଇଥିବା ସମସ୍ତ ଟେଣ୍ଡର୍‌କୁ ସମନ୍ବୟ କମିଟି ସାଇଟ୍‌କୁ ପଠାଯାଇଛି ବୋଲି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।