ସରକାରଙ୍କ ବାହାର ରାଜ୍ୟ ପ୍ରୀତି, ରାଜ୍ୟରେ ସବୁ ସାମଗ୍ରୀ ଥାଇ ବି କିଣା ହେଉଛି ବାହାରୁ

ସଂକଟରେ ରାଜ୍ୟର କ୍ଷୁଦ୍ର ଓ ମଧ୍ୟମ ଶିଳ୍ପସଂସ୍ଥା

କଟକ-ବିଦ୍ୟାଧରପୁର : ଓଡ଼ିଶା ସରକାରଙ୍କ ବାହାର ରାଜ୍ୟ ଶିଳ୍ପ ସଂସ୍ଥା ପ୍ରୀତି ଏବେ ରାଜ୍ୟରେ ଥିବା ବିଭିନ୍ନ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପସଂସ୍ଥାଙ୍କ ପାଇଁ କାଳ ହୋଇଛି। ସରକାରଙ୍କ ଏଭଳି ନୀତି ଯୋଗୁଁ ଏବେ ରାଜ୍ୟର ଏହି ଶିଳ୍ପ ସଂସ୍ଥା ଆର୍ଥିକ ସଂକଟ ଦେଇ ଗତି କରୁଛନ୍ତି। ଯଦି ନୀତି ନ ବଦଳେ ତେବେ ଅନେକ ଶିଳ୍ପ ସଂସ୍ଥାରେ ତାଲା ଝୁଲିବ। ବେକାରୀ ସମସ୍ୟା ବଢ଼ିବା ସହିତ ଶ୍ରମିକ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯିବା ପାଇଁ ବାଧ୍ୟ ହେବେ।

ଓଡ଼ିଶାରେ ବର୍ତ୍ତମାନ ୪ ଲକ୍ଷ ୩୭ ହଜାର ୮୮ଟି କ୍ଷୁଦ୍ର, ମଧ୍ୟମ ଓ ବଡ଼ ଶିଳ୍ପ ସଂସ୍ଥା ରହିଛି। ନିକଟରେ ବିଧାନସଭା ଅଧିବେଶନରେ ଉତ୍ତର ରଖି ବିଭାଗୀୟ ମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ଏବେ ୧୫ ହଜାର ୩୧୫ଟି ଶିଳ୍ପ ସଂସ୍ଥା ବନ୍ଦ ହୋଇଯାଇଛି ଏବଂ ଲକ୍ଷାଧିକ ଲୋକ ଜୀବିକା ହରାଇଛନ୍ତି। କିନ୍ତୁ ମନ୍ତ୍ରୀ ଦେଇଥିବା ସଂଖ୍ୟାଠାରୁ ଏହି ସଂଖ୍ୟା ଯଥେଷ୍ଟ ଅଧିକ ବୋଲି ଓଡ଼ିଶା ଯୁବ ଶିଳ୍ପଦ୍ୟୋଗୀ ସଂଘ ସଭାପତି ମିହିର କୁମାର କାନୁନଗୋ କହିଛନ୍ତି। ସରକାରୀ ଦପ୍ତର ଆବଶ୍ୟକ କରୁଥିବା ଜିନିଷ ତାଙ୍କ ଚାହିଦାଠାରୁ ଯଥେଷ୍ଟ କମ୍ ପରିମାଣରେ ଏମ୍ଏସ୍‌ଏମ୍‌ଇମାନଙ୍କୁ ଦେବା ଓ ଅର୍ଡର ମୁତାବକ ଯୋଗାଣ ଲାଗି ବ୍ୟାଙ୍କଗୁଡ଼ିକ ଟାଳଟୁଳ ନୀତି ଅବଲମ୍ବନ କରିବା ଶିଳ୍ପ ରୁଗ୍‌ଣ ହେବାର ମୁଖ୍ୟ କାରଣ ବୋଲି କୁହାଯାଉଛି। ଗଲା ୫୦ ବର୍ଷ ହେବ ଓଡ଼ିଶାର ଶିଳ୍ପକୁ ବଞ୍ଚାଇବା ପାଇଁ ଏମ୍‌ଏସ୍‌ଏମ୍‌ଇ  ବିଭାଗ ଅଧୀନରେ ଇ.ପି.ଏମ୍. (ରପ୍ତାନି ଉନ୍ନୟନ ଓ ବାଣିଜ୍ୟ) ସଂସ୍ଥା ଗଠନ କରାଯାଇଛି। ଏହି ସଂସ୍ଥା ବିଭିନ୍ନ କିସମର ସାମଗ୍ରୀର ରେଟ୍ କଣ୍ଟ୍ରାକ୍ଟ କରି ଦର ନିର୍ଦ୍ଧାରଣ କରିବା ଦାୟିତ୍ୱରେ ଅଛି। ଏହା ଶିଳ୍ପନୀତିର ଏକ ଅଙ୍ଗ। ବର୍ତ୍ତମାନ ୮୮ଟି ସାମଗ୍ରୀର ଦର ନିର୍ଦ୍ଧାରଣ ହୋଇଛି। ଇ.ପି.ଏମ୍‌ର କ୍ଷମତା ରହିଛି ଯେ ଯଦି କୌଣସି ଶିଳ୍ପପତି ଓ ସରକାରୀ ବିଭାଗ ଏହି ନିୟମକୁ ଉଲ୍ଲଂଘନ କରେ ତେବେ ଦଣ୍ଡିତ ହେବେ। ଇ.ପି.ଏମ୍‌ ନୀତି କ୍ୟାବିନେଟରେ ଅନୁମୋଦନ ହୋଇଛି ବୋଲି ସଭାପତି ଶ୍ରୀ କାନୁନଗୋ କହିଛନ୍ତି।

କିନ୍ତୁ ସରକାରଙ୍କ ଅଧୀନରେ ଥିବା ବିଭାଗ ଇ.ପି.ଏମ୍‌ ଦରରେ ନକିଣି ବାହାର ରାଜ୍ୟରୁ ସାମଗ୍ରୀ କିଣୁଛନ୍ତି। ସରକାରଙ୍କ ନିୟମ ଅଛି ଯେ ଯଦି କୌଣସି ଶିଳ୍ପସଂସ୍ଥା ଧାର୍ଯ୍ୟ ସମୟରେ ଜିନିଷ ଯୋଗାଣ ନକରେ ତେବେ ବିଲ ପେମେଣ୍ଟରୁ ୨.୫ ପ୍ରତିଶତ କଟାଯିବ। କିନ୍ତୁ କେତେକ ବିଭାଗ ନିୟମ ବିରୋଧରେ ୧୦ରୁ୧୪ ପ୍ରତିଶତ କାଟୁଥିବା ସେ ଅଭିଯୋଗ କରିଛନ୍ତି। ଯୋଗ‌ଣ ଜିନିଷର ମାନ ଯାଞ୍ଚ ପରେ ବିଲ୍‌ ପେମେଣ୍ଟ୍‌ ହେବାର ନିୟମ ବି ରହିଛି। ଏସବୁ ଥିରେ ଶିଳ୍ପ ସଂସ୍ଥା ରାଜିଥାଇ ବି ସରକାର ବାହାର ରାଜ୍ୟରୁ ସାମଗ୍ରୀ କିଣିବା ପଛରେ କି ରହସ୍ୟ ରହିଛି ତାହାକୁ ନେଇ ଶିଳ୍ପୋଦ୍ୟୋଗୀମାନେ ପ୍ରଶ୍ନ କରୁଛନ୍ତି। ବର୍ତ୍ତମାନ ଛୁଞ୍ଚିଠାରୁ ଔଷଧ ପର୍ଯ୍ୟନ୍ତ ୫୦୦ ପ୍ରକାର ବିଭିନ୍ନ ସାମଗ୍ରୀ ଓଡ଼ିଶାରେ ତିଆରି ହେଉଛି। ଯଦି ସବୁ ସାମଗ୍ରୀର ଇ.ପି.ଏମ. ମୂଲ୍ୟ ଧାର୍ଯ୍ୟ ହୁଅନ୍ତା ଏବଂ ସରକାର ସବୁ ବିଭାଗକୁ ଓଡ଼ିଶାର ଶିଳ୍ପଦ୍ୟୋଗୀଙ୍କ ଠାରୁ ସାମଗ୍ରୀ କିଣିବା ପାଇଁ ନିର୍ଦ୍ଦେଶ ଦିଅନ୍ତେ ତେବେ ରାଜ୍ୟରେ ଶିଳ୍ପାୟନ ତ୍ବରାନ୍ବିତ ‌ହୁଅନ୍ତା ବୋଲି ଅନେକ ଶିଳ୍ପୋଦ୍ୟୋଗୀ ମତ ଦେଉଛନ୍ତି। ଏମ୍.ଏସ୍.ଏମ୍.ଇ ବିଭାଗ ଏକ ନୂତନ ଶିଳ୍ପନୀତି ଆଣିବା ପାଇଁ ବିଭିନ୍ନ ଶିଳ୍ପ ସଂଘ ସହିତ ଆଲୋଚନା କରିଥିଲେ। ସରକାରଙ୍କ ଦ୍ବାରା ପ୍ରସ୍ତୁତ ଶିଳ୍ପ ନୀତି ଚିଠା ଶିଳ୍ପଦ୍ୟୋଗୀ ସଂଘ ଦ୍ବାରା ଗ୍ରହଣୀୟ ହେଲା ନାହିଁ। ସଂଘ ପ୍ରସ୍ତାବ ଅନୁଯାୟୀ ବର୍ତ୍ତମାନ ଶିଳ୍ପ ନୀତିକୁ ଅଧିକ କ୍ରିୟାଶୀଳ କଲେ ରୁଗ୍‌ଣ ଶିଳ୍ପ କାର୍ଯ୍ୟକ୍ଷମ ହେବ ବୋଲି ସଭାପତି ଶ୍ରୀ କାନୁନଗୋ କହିଛନ୍ତି। ସରକାର ଶିଳ୍ପଦ୍ୟୋଗୀଙ୍କ ସହ ଆଲୋଚନା କରି ରାଜ୍ୟର ସ୍ବାର୍ଥ ପାଇଁ ନୀତି ପ୍ରଣୟନ କରିବାକୁ ଓଇଆ ପକ୍ଷରୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର