ଅନୁଗୁଳ : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ(୫-ଟି) ଭି.କେ. ପାଣ୍ଡିଆନ ଦୁଇଦିନିଆ ଅନୁଗୁଳ ଗସ୍ତରେ ଆସି ସୋମବାର ଦିନ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବା ସହ ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ସେ ଆଜି ସକାଳେ ପ୍ରଥମେ ତାଳଚେର ହିଙ୍ଗୁଳା ମନ୍ଦିର ଦର୍ଶନ କରିବା ସହ ଏହାର ଉନ୍ନତି ନେଇ ଆଲୋଚନା କରିଥିଲେ। ଖୁବଶୀଘ୍ର ଏହି ମନ୍ଦିର ରୂପାନ୍ତରୀକରଣ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିବେ ବୋଲି ସେ କହିଥିଲେ। ସେଠାରୁ ଛେଣ୍ଡିପଦା ବ୍ଲକ୍ର ବାୟାଣୀ ପୀଠକୁ ଯାଇ ଦର୍ଶନ କରିବା ସହ ଏହାର ଉନ୍ନତୀକରଣ ସଂପର୍କରେ ପଚାରି ବୁଝିଥିଲେ। ଛେଣ୍ଡିପଦା ମିନି ଷ୍ଟାଡିୟମ୍ରେ ସେ ଲୋକଙ୍କ ଅଭିଯୋଗ ଶୁଣିବା ସମୟରେ ଛେଣ୍ଡିପଦା ସ୍ୱାସ୍ଥ୍ୟକେନ୍ଦ୍ରକୁ ମୋ ହସ୍ପିଟାଲ ଯୋଜନାରେ ସାମିଲ ଦାବି ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭିଡିଓ କଲ୍ରେ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ଏହି ଡାକ୍ତରଖାନାକୁ ମୋ ହସ୍ପିଟାଲ ଯୋଜନାରେ ସାମିଲ କରିବାକୁ ଘୋଷଣା କରିଥିଲେ।
ଅପରାହ୍ଣରେ ଅନୁଗୁଳ ବିଜୁ ମଇଦାନରେ କଲେଜ ଛାତ୍ରଛାତ୍ରୀଙ୍କ ସହ ଭାବବିନିମୟ କରିବା ସହିତ ଜିଲ୍ଲାର ସମସ୍ତ କଲେଜକୁ ୫-ଟି ରୂପାନ୍ତରୀକରଣ ଯୋଜନାରେ ସାମିଲ କରାଯିବ ବୋଲି ଘୋଷଣା କରିଥିଲେ।
ପାଣ୍ଡିଆନଙ୍କ ଅନୁଗୁଳ ଗସ୍ତକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ବିଜେପି ନେତା ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ଗଣଧାରଣା ଦିଆଯାଇ ପାଣ୍ଡିଆନ୍ଙ୍କ ବିରୋଧରେ ନାରାବାଜି କରାଯାଇଥିଲା। ତାଳଚେରରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ କଳା ପୋଷାକ ପିନ୍ଧି ଓ ପ୍ଲାକାର୍ଡ ଦେଖାଇ ବିଜେପି କର୍ମୀମାନେ ବିରୋଧ ପ୍ରଦର୍ଶନ କରିଥିଲେ।