ରାଜି ହେଲେନି ବୋଲି ମାରିଦେଲେ! ମୋବାଇଲ ଫୋନରେ ସବୁ ପ୍ରମାଣ

ସରିଲା ଗୋବିନ୍ଦର ପାଞ୍ଚଦିନିଆ ରିମାଣ୍ଡ ଅବଧି, ମୃତ୍ୟୁ ପୂର୍ବର ରହସ୍ୟ ଏଯାଏ ଖୋଲିପାରିଲେନି

ବଲାଙ୍ଗୀର/ସିନ୍ଧେକେଲା, ୨୪/୧୦ (ଇମିସ): ଯାବତୀୟ କେଳେଙ୍କାରୀ ଚାଲିଥିଲା। ଅନୈତିକ କାରବାରର ପସରା ମେଲାଇଥିଲା ଅଭିଯୁକ୍ତ ଗୋବିନ୍ଦ ସାହୁ। ଏହା ଦିନେ ଦୁଇଦିନର ଘଟଣା ନୁହେଁ। ଢେର୍ ଦିନର କାରବାର। ଏଥିରେ ଅନେକ ଲୋକ ସାମିଲ ଥିବେ, ଏକଥା ବୁଝିବାକୁ ଆଉ ବାକି ନାହିଁ। ନିର୍ଦିଷ୍ଟ ଭାବେ କିଏ କିଏ ଗୋବିନ୍ଦ ନେତୃତ୍ବରେ ଚାଲିଥିବା ଅନୈତିକ କାରବାରର ହିତାଧିକାରୀ, ସେ ସଂପର୍କରେ ପୁଲିସ ଏଯାଏ ସ୍ପଷ୍ଟ କରିନାହିଁ। ଏପରିକି ଗୋବିନ୍ଦର କାହା ସହିତ ଓ କେଉଁଭଳି ଅନୈତିକ କାରବାର ମମିତା ମେହେର ଦେଖିଦେଲେ ବା ପ୍ରମାଣ ରଖିଲେ, ଏସଂପର୍କରେ ବି ତଦନ୍ତକାରୀ ଅଧିକାରୀ ମୁହଁ ଖୋଲିନାହାନ୍ତି। ସେ ପ୍ରମାଣଗୁଡିକ କ’ଣ , ଯାହା ମମିତାଙ୍କ ପାଖରେ ଥିଲା; ସେ ସଂପର୍କରେ ମଧ୍ୟ ତଦନ୍ତକାରୀ ଅଧିକାରୀ ଚୁପ୍। ତେବେ ଗୋବିନ୍ଦର ପାଞ୍ଚଦିନିଆ ରିମାଣ୍ଡ ଅବଧି ଶେଷ ସହିତ ଏଯାଏ ତଦନ୍ତର ଯେତେ ଅଗ୍ରଗତି ହୋଇଛି, ପୁଲିସ ଯେତେ କଥା କହିଛି, ସେଥିରୁ ଗୋଟିଏ କଥା ବୁଝାପଡୁଛି ଯେ ଗୋବିନ୍ଦ ଏବଂ ଅନ୍ୟ ପ୍ରଭାବଶାଳୀ (ଯାହା ସଂପର୍କରେ ଏଯାଏ ପୁଲିସ କହୁନାହିଁ, ତଦନ୍ତ ସେ ଦିଗରେ ଜାରି ରହିଛି କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ) ମମିତାଙ୍କୁ ଭୀଷଣ ଚାପରେ ରଖିଥିଲେ। ଶେଷଯାଏ ବି। ଆଉ ସେ ସତ୍ୟର ପକ୍ଷଭୁକ୍ତ ହୋଇ ଯେବେ ଜିଦରେ ଅଟଳ ରହିଲେ, ଏହି ଅତ୍ୟନ୍ତ ପ୍ରଭାବଶାଳୀ ମାଫିଆଙ୍କ କଥାରେ ବା ପ୍ରଲୋଭନକୁ ପ୍ରତ୍ୟାଖ୍ୟାନ କରି ଅନୈତିକ କାରବାରର ପର୍ଦାଫାସ କରିବେ ବୋଲି ନିଜ ଜିଦରେ ଅଟଳ ରହିଲେ, ସେବେ ତାକୁ ଗୋବିନ୍ଦମାନେ ଜହ୍ଳାଦ ସାଜି ମୃତ୍ୟୁଦଣ୍ଡ ଦେଲେ।

ଆହୁରି ସରଳ ଭାବେ କହିଲେ, ମମିତାଙ୍କୁ ହତ୍ୟା କରିଥିବା ଗୋବିନ୍ଦ (ସେ ନିଜେ ଏକା ମାରିଛି ବୋଲି ଦାବି କରୁଛି) ଓ ପ୍ରମାଣ ନଷ୍ଟରେ ତାକୁ ଯେଉଁମାନେ ସହଯୋଗ କରିଛନ୍ତି, ସେ ଦିଗରେ ପୁଲିସ ଅନେକ ସଫଳତା ପାଇଛି। ଅଥଚ କେଉଁ ସବୁ କାରଣ ଲାଗି, ଆଉ କାହା କାହା ପାଇଁ ମମତା ମୃତ୍ୟୁ ମୁହଁକୁ ଟାଣିହୋଇଗଲେ, ସେ ଦିଗରେ ତଦନ୍ତ ଏବେ ବି ବାକି ରହିଛି। ଯେଉଁ ବଡ ଖିଅଟି ଏ ଦିଗରେ ଗୋବିନ୍ଦମାନଙ୍କ (ସାମିଲ ଥିବା ଅନ୍ୟ ପ୍ରଭାବଶାଳୀ) ମୁଖା ଖୋଲିଦେବାର ଭୟ ରଖୁଛି, ତାହା ହେଲା ମୋବାଇଲ୍ ଫୋନ୍। ମମିତାଙ୍କର ମୋବାଇଲ୍ ଫୋନ୍ ରେକର୍ଡ, ଗୋବିନ୍ଦ ଧରୁଥିବା ଦୁଇଟି ମୋବାଇଲ୍ ଫୋନର ରେକର୍ଡ ଏବଂ ଅନ୍ୟ ସନ୍ଦିଗ୍ଧମାନଙ୍କ ମୋବାଇଲ୍ ଫୋନ୍ ହିଁ ସତ ଆଡକୁ ତଦନ୍ତକାରୀ ଅଧିକାରୀଙ୍କୁ ଟାଣିନେବ। ହେଲେ ଏ ଦିଗରେ ପୁଲିସର ତଦନ୍ତ କେତେ ଆଗେଇଛି, ସବୁ କଲ୍ ରେକର୍ଡ କଢ଼ାଗଲାଣି କି ନାହିଁ, ସର୍ବୋପରି ଏସବୁ ଅନୁଧ୍ୟାନ କରିବା ଲାଗି କୌଣସି ବିଶେଷଜ୍ଞଙ୍କ ସହାୟତା ନିଆଯାଇଛି କି? ଏସବୁ ସଂପର୍କରେ ନା ତଦନ୍ତକାରୀ ଅଧିକାରୀ କିଛି କହୁଛନ୍ତି ନା ଏସପି ନା ଡିଆଇଜି।
ମମିତାଙ୍କ ମୋବାଇଲ୍‌ ଫୋନ୍‌ ସଂପର୍କରେ ପ୍ରଥମରୁ ହିଁ ସସ୍‌ପେନ୍ସ ଲାଗି ରହିଥିଲା। ଡିଆଇଜି ନିଜେ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ ପରେ କହିଥିଲେ ମମିତାଙ୍କ ମୋବାଇଲ୍‌ ଫୋନ୍‌ ନିଆଁରେ ଜଳି ନଷ୍ଟ ହୋଇସାରିଛି। ତାର କିଛି ଅଂଶବିଶେଷ ମିଳିଛି। ଏହାର କିଛି ସମୟ ପରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ସହଯୋଗୀ ଅନ୍ୟ ଅଭିଯୁକ୍ତ ରାଧେଶ୍ୟାମ ଚଣ୍ଡି ଓରଫ ରାଧେର ସ୍ତ୍ରୀ ଘରୁ ପାଇଥିଲେ ଏକ ଧଳାବ୍ୟାଗ୍‌। ଯେଉଁଥିରୁ ମୋବାଇଲ୍‌ ଫୋନ୍‌, ଚାର୍ଜିଂ କଡ୍‌, ୩ଟି ଲେଡିଜ୍‌ ଡ୍ରେସ୍‌, ଔଷଧପତ୍ର ବାହାରିଥିଲା। ଗଣମାଧ୍ୟମକୁ ତାହା ଦେବାକୁ ଯାଉଥିବା ସମୟରେ ପୁଲିସ ଝାମ୍ପି ନେଇଥିଲା। ରାଧେର ସ୍ତ୍ରୀ ଦେଇଥିବା ମୋବାଇଲ୍‌ ଫୋନ୍‌ ମମିତାଙ୍କ ବୋଲି ସନ୍ଦେହ ହୋଇଥିଲା। କିନ୍ତୁ ଉକ୍ତ ମୋବାଇଲ୍‌ ଫୋନ୍‌ ମମିତାଙ୍କର ନୁହଁ ବୋଲି ପୁଲିସ ମହଲରେ ଆଲୋଚନା ଚାଲିଥିବା ବେଳେ ଏ ପର୍ଯ୍ୟନ୍ତ ମୋବାଇଲ୍‌ ଫୋନ୍‌ କାହାର ସ୍ପଷ୍ଟ କରିନି ବଲାଙ୍ଗୀର ପୁଲିସ।

ଅନ୍ୟପଟେ ପୁଲିସ ବାରାକରୁ ଚମ୍ପଟ ମାରିଥିବା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ଆଖୁ କିଆରିରୁ ଧରାପଡ଼ିଥିଲା। ସେ ବି ଏକ ଛୋଟ ମୋବାଇଲ୍‌ ଫୋନ୍‌ ଧରିଥିବା ତାର ସଂପର୍କୀୟ ଭିଣୋଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଯେଉଁ ମୋବାଇଲ୍‌ ଫୋନ୍‌ ଏବେ ପୁଲିସ ଜବତ କରିଛି। ଏହାସହ ଗୋବିନ୍ଦର ଆଉ ଏକ ମୋବାଇଲ୍‌ ଫୋନ୍‌ ପୁଲିସ ଜବତ କରିଛି। ସେ ଫେରାର ହେବାପରେ କାହା କାହା ସହ ଫୋନ୍‌ରେ କଥା ହୋଇଥିଲା? କିଏ ତାକୁ ଫେରାର ସମୟରେ ସହାୟତା ଦେଇଥିଲା? ଏସବୁ ଏବେବି ରହସ୍ୟରେ ଅଛି। ଏପଟେ ପୁଲିସ ମୋବାଇଲ୍‌ ଫୋନ୍‌ ସଂପର୍କରେ ମୁହଁ ଖୋଲୁନଥିବା ବେଳେ ପୀଡ଼ିତା ପରିବାରବର୍ଗଙ୍କ ପ୍ରତିକ୍ରିୟା ବି ଭିନ୍ନ। ସେମାନେ ବି ପୁଲିସ ଦେଖାଇଥିବା ସାମଗ୍ରୀରେ କେଉଁ କେଉଁ ସାମଗ୍ରୀ ମମିତାଙ୍କ ତାହା ହିଁ ଚିହ୍ନଟ କରିଥିବା କହିଛନ୍ତି। ଏହାରି ଭିତରେ ପୁଲିସ ପରିବାରବର୍ଗଙ୍କୁ ମମିତାଙ୍କ ଅସ୍ଥି ପ୍ରଦାନ କରିଛି। ଗତ ଦୁଇଦିନ ହେଲା ଡିଆଇଜି କିମ୍ବା ଏସ୍‌ପି ଗଣମାଧ୍ୟମକୁ କୌଣସି ପ୍ରକାର ପ୍ରତିକ୍ରିୟା ଦେଉ ନାହାନ୍ତି।

ଅନ୍ୟପଟେ ରବିବାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ରିମାଣ୍ଡ ଅବଧି ସରିଛି। ୫ ଦିନିଆ ରିମାଣ୍ଡରେ ପୁଲିସ ଗୋବିନ୍ଦଠାରୁ ଅନେକ ତଥ୍ୟ ବାହାର କରିଛି। କ୍ରାଇମ୍‌ସିନ୍‌ ରିକ୍ରିଏସନ୍‌ କରିବା ସହ ଗୋବିନ୍ଦ କ’ଣ ପାଇଁ ହତ୍ୟା କରିଥିଲା? କେମିତି ହତ୍ୟା କରିଥିଲା? ତା’ ସହ କେଉଁମାନେ ସବୁ ସଂପୃକ୍ତ ସେସବୁର ତଥ୍ୟ ପୁଲିସକୁ ଦେଇଛି। ଆସନ୍ତାକାଲି ସୋମବାର ଗୋବିନ୍ଦକୁ ପୁଲିସ କୋର୍ଟଚାଲାଣ କରିବ। ଏହି ୫ ଦିନିଆ ରିମାଣ୍ଡ ସମୟରେ ପୁଲିସ ମହାଲିଙ୍ଗ କଲେଜ ଓ ସନ୍‌ସାଇନ୍‌ ପବ୍ଲିକ ସ୍କୁଲ ସଂପର୍କରେ ତାକୁ ପଚରାଉଚୁରା କରିଥିଲା। ପୁଲିସ ଗୋବିନ୍ଦଠାରୁ ତଥ୍ୟ ହାସଲ କରି ଆଉ ଦୁଇଜଣ ଶିକ୍ଷୟିତ୍ରୀ ଓ ଜଣେ ଛାତ୍ରୀଙ୍କୁ ସ୍କାନର୍‌ରେ ରଖିଛି। ଡିଆଇଜି କିମ୍ବା ଏସ୍‌ପି କିଛି ଆନୁଷ୍ଠାନିକ ସୂଚନା ଦେଇନଥିଲେ ମଧ୍ୟ ସେକ୍ସ ସ୍କାଣ୍ଡାଲ ଓ ଗୋବିନ୍ଦର କାରନାମା ସବୁରେ ଆଉ କାହା କାହାର ଲିଙ୍କ୍ ରହିଛି, ସେ ଦିଗରେ ତଦନ୍ତ ତ୍ୱରାନ୍ୱିତ ହୋଇଥିବା କୁହାଯାଉଛି। ସେହିପରି ଜବତ ହୋଇଥିବା ସାମଗ୍ରୀ ଯଥା- ମିନିଷ୍ଟାଡିୟମରୁ ଜବତ ହୋଇଥିବା ମାଟି, ହାଡ଼, ମାଂସ, ବାଲି, ତରଳିଯାଇଥିବା ମମିତାଙ୍କ ସାମଗ୍ରୀର ଅଂଶ ଆଦି ଭୁବନେଶ୍ୱର ଫରେନ୍‌ସିକ ଲାବ୍‌କୁ ପରୀକ୍ଷା ପାଇଁ ପଠାଯାଇଥିବା ସୂଚନା ମିଳିଛି। ପରିବାର ବର୍ଗ ଦାବି କରିଛନ୍ତି ଯେ ହତ୍ୟାକାରୀକୁ ଫାଶୀ ଦିଆଯାଉ।

ସମ୍ବନ୍ଧିତ ଖବର