ରାଉରକେଲା: ଝାଡ଼ଖଣ୍ଡ ଉପରମୁଣ୍ଡରେ ଜାରି ରହିଥିବା ଅବିଶ୍ରାନ୍ତ ବର୍ଷା ଯୋଗୁ ବ୍ରାହ୍ମଣୀ ନଦୀ ଫୁଲିବାରେ ଲାଗିଛି। ଆଜି ମନ୍ଦିରା ଡ୍ୟାମ୍ର ସମସ୍ତ ଗେଟ୍ ଖୋଲିବା ପରେ ବ୍ରାହ୍ମଣୀ ନଦୀ ଜଳ ବିପଦ ସଙ୍କେତଠାରୁ ମାତ୍ର ଦେଢ଼ଫୁଟ୍ ତଳେ ପ୍ରଭାବିତ ହେଉଛି। ଜଳସ୍ତର ବଢ଼ିବାରୁ ଆର୍ଏସ୍ପି କର୍ତ୍ତୃପକ୍ଷ ମନ୍ଦିରା ଡ୍ୟାମ୍ର ସମସ୍ତ ୧୧ ଗେଟ୍କୁ ଖୋଲିବାକୁ ବାଧ୍ୟ ହୋଇଛନ୍ତି। ୯ ଟି ଗେଟ୍କୁ ସମ୍ପୂର୍ଣ୍ଣ ଖୋଲାଯାଇଛି। ଅବଶିଷ୍ଟ ୨ଟି ଗେଟ୍କୁ ୫ ଫୁଟ୍ ଲେଖାଏଁ ଖୋଲାଯାଇଛି। ଡ୍ୟାମ୍ର ଜଳସ୍ତର ରହିଛି ୬୮୫ ଫୁଟ୍। ଡ୍ୟାମକୁ ୮୬,୧୬୧ କ୍ୟୁସେକ୍ ବର୍ଷା ଜଳ ପ୍ରବେଶ କରୁଥିବା ବେଳେ ୮୫,୨୫୫ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି। ସେପଟେ ବ୍ରାହ୍ମଣୀ ଜଳ ବିପଦସଙ୍କେତ ପାଖାପାଖି ପ୍ରଭାବିତ ହେଉଥିବାରୁ ସହରତଳି ବସ୍ତି ଓ କଲୋନିବାସିନ୍ଦାଙ୍କ ଚିନ୍ତା ବଢ଼ିଛି। ପାନପୋଷ ବାଲୁଘାଟର ପଲପଲ୍ ବସ୍ତି, ବାଲୁଘାଟ ବସ୍ତି, ଉପର ବସ୍ତି, ତଳ ବସ୍ତି, ନୂଆ ବସ୍ତି, ସିଂ ଟୋଲା ଆଦି ୧୦ ବସ୍ତିର ୫ ହଜାରରୁ ଅଧିକ ପରିବାର ଲୋକଙ୍କ ଚିନ୍ତା ବଢ଼ିଛି।
ସେମିତି ବ୍ରହ୍ମଣୀ ଡାହାଣପାର୍ଶ୍ବସ୍ଥ ଦୟାନନ୍ଦନଗର, ବିଶ୍ବକର୍ମା ବିହାର, ଦଣ୍ଡିଆପାଲିର ପାଖାପାଖି ୧୦୦୦ରୁ ଅଧିକ ପରିବାର ମଧ୍ୟ ଚିନ୍ତାରେ ଅଛନ୍ତି। ଗତ ମଙ୍ଗଳବାର ମନ୍ଦିରା ଡ୍ୟାମ୍ର ୭ଟି ଓ ବୁଧବାର ଗୋଟିଏ ଗେଟ୍ ଖୋଲିବା ପରେ ବ୍ରାହ୍ମଣୀର ଜଳସ୍ତର ବିପଦ ସଙ୍କେତଠାରୁ ଆମ ମାତ୍ର ୧୦ ଫୁଟ୍ ତଳେ ଥିଲା। ବ୍ରାହ୍ମଣୀର ବିପଦ ସଙ୍କେତ ରହିଛି ୧୭୮.୪୨ ଫୁଟ୍। ବୁଧବାର ସଂଧ୍ୟା ସୁଦ୍ଧା ମନ୍ଦିରାରେ ମୋଟ ୮ ଟି ଗେଟ୍କୁ ୩ ଫୁଟ୍ ଲେଖାଏଁ ଟେକା ଯାଇଥିଲା। ରାତି ୮ଟା ବେଳକୁ ମନ୍ଦିରା ଜଳଭଣ୍ଡାରସ୍ତର ରହିଥିଲା ୬୭୮.୫ ଫୁଟ୍। ଜଳଭଣ୍ଡାର ଭିତରକୁ ୧୪,୩୬୨ କ୍ୟୁସେକ୍ ବର୍ଷା ଜଳ ପଶୁଥିବାବେଳେ ୧୭,୭୨୦ କ୍ୟୁସେକ୍ ନିଷ୍କାସିତ ହେଉଥିଲା। ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ବ୍ରହ୍ମଣୀ ନଦୀର ଜଳସ୍ତର ଉପରେ କଡ଼ା ନ ରଖିଛି।