ବଲାଙ୍ଗୀର: ବଲାଙ୍ଗୀର ରାଜ ପରିବାରର ବହୁଚର୍ଚ୍ଚିତ ଅର୍କେଶ- ଅଦ୍ରିଜା ବିବାଦ ଶନିବାର ପୁଣି ହାଟରେ ପଡ଼ି ଦାଣ୍ଡରେ ଗଡ଼ିଛି। ଅନଙ୍ଗ ଉଦୟ ସିଂହଦେଓଙ୍କ ପୁତ୍ରବଧୂ ଅଦ୍ରିଜା ଶନିବାର ନିଜ ବ୍ୟକ୍ତିଗତ ଜିନିଷପତ୍ର ନେବା ପାଇଁ ବଲାଙ୍ଗୀର ଆସି ବିଫଳ ହୋଇ ଫେରିଛନ୍ତି। ଶୈଳଶ୍ରୀ ପ୍ୟାଲେସ ଯାଇ ସେଠାରୁ ମଧ୍ୟ ସେ ଫେରି ଆସିଥିବା କହିଛନ୍ତି। ପ୍ୟାଲେସର ସବୁ ଗେଟ୍‌ରେ ତାଲା ପଡ଼ିଥିବା ବେଳେ ସେ ଭିତରକୁ ଯାଇ ପାରିନଥିବା କହିଛନ୍ତି। ପ୍ୟାଲେସରେ ଥିବା ତାଙ୍କର ବହୁ ସାମଗ୍ରୀ ନେବା ପାଇଁ ସେ ପୁଲିସର ସୁରକ୍ଷା ମାଗିଥିଲେ। ହେଲେ ତାଙ୍କୁ କୌଣସି ସୁରକ୍ଷା ନମିଳିବାରୁ ଅଦ୍ରିଜା ପୁଲିସ ଉପରେ ଗର୍ଜିଥିଲେ। ଅଦ୍ରିଜା ସ୍ଥାନୀୟ ଏକ ହୋଟେଲରେ ଏକ ସାମ୍ବାଦିକ ସମ୍ମିଳନୀ କରି ପୁଲିସ ତାଙ୍କୁ ଜାଣିଶୁଣି ଅସହଯୋଗ କରୁଛି ବୋଲି କହିଛନ୍ତି। ଜଣେ ମହିଳା ଭାବରେ ପୁଲିସର ସହଯୋଗ ପାଇଁ ସେ ଆଦର୍ଶ ଥାନାକୁ ଯାଇ ୨ ଘଣ୍ଟା ବସିଥିଲେ ମଧ୍ୟ ପୁଲିସ ତାଙ୍କୁ କୌଣସି ସାହାଯ୍ୟ କରିନଥିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ।

Advertisment

ଅଦ୍ରିଜା ଆହୁରି କହିଛନ୍ତି ଯେ, ଅର୍କେଶଙ୍କୁ ୨୦୧୭ରେ ବାହା ହେବା ପରେ ସେମାନେ ଉଭୟେ ବଲାଙ୍ଗୀର ଓ ଡେରାଡୁନରେ ରହୁଥିଲେ। ଉଭୟ ଜାଗା ତାଙ୍କର ଶ୍ବଶୁର ଘର ଓ ଉଭୟ ଜାଗାରେ ତାଙ୍କର ବ୍ୟକ୍ତିଗତ ଜିନିଷପତ୍ର ରହିଛି। ବର୍ତ୍ତମାନ ଉଭୟେ ଉଭୟଙ୍କ ବିରୋଧରେ କୋର୍ଟରେ କେସ୍‌ କରିଛନ୍ତି। କିନ୍ତୁ ତାଙ୍କୁ ତାଙ୍କ ଶ୍ବଶୁର ଘରକୁ ପଶିବାକୁ ଦିଆନଯାଇ ତାଙ୍କ ଅଧିକାରରୁ ବଞ୍ଚିତ କରାଯାଇଛି। ତାଛଡ଼ା ତାଙ୍କ ଜୀବନ ପ୍ରତି ବିପଦ ଥିବା କଥା ସେ ବାରମ୍ବାର ବଲାଙ୍ଗୀର ପୁଲିସକୁ ଜଣାଇଆସିଛନ୍ତି।

ଉଭୟ ଶାଶୂଘର ଓ ପୁଲିସ ତାଙ୍କ ପ୍ରତି ଅନ୍ୟାୟ କରିଛନ୍ତି ବୋଲି ଅଦ୍ରିଜା କ୍ଷୋଭର ସହ ପ୍ରକାଶ କରି ଗଣମାଧ୍ୟମର ସହଯୋଗ ଲୋଡ଼ିଥିଲେ। ଅର୍କେଶଙ୍କ ସହିତ ତାଙ୍କର ବିବାଦର କାରଣ ପଚରାଯିବାରୁ ସେ କହିଥିଲେ ଯେ, ସେ ଜଣେ ସ୍ତ୍ରୀ ହିସାବରେ ତାଙ୍କ ସମସ୍ତ କର୍ତ୍ତବ୍ୟ ପାଳନ କରିଆସୁଥିଲେ। ଏପରିକି ତାଙ୍କ କ୍ୟାନସର ପୀଡ଼ିତା ମାଙ୍କ ଚିକିତ୍ସା କରାଉଥିବା ବେଳେ ଶ୍ବଶୁରଙ୍କ ନିର୍ଦେଶ ପାଳନ କରି ବଲାଙ୍ଗୀର ପୌର ନିର୍ବାଚନରେ ପ୍ରଚାର ମଧ୍ୟ କରିଥିଲେ। ୨୦୨୨ ମସିହା ଅଗଷ୍ଟରେ ଅର୍କେଶଙ୍କଠାରୁ ଛାଡ଼ପତ୍ର ନୋଟିସ ପାଇ ସେ ଚକିତ ଓ ଦୁଃଖିତ ହୋଇଯାଇ ବାରମ୍ବାର କାରଣ ଖୋଜି ପାଇନଥିଲେ। ପରେ ଅର୍କେଶ, ତାଙ୍କ ଶ୍ୱଶୁର, ଶାଶୂ, କଳିକେଶ ଓ ତାଙ୍କ ସ୍ତ୍ରୀ ତାଙ୍କୁ ଅକଥନୀୟ ଅତ୍ୟାଚାର କରିଥିଲେ। ଯାହା ସେ କୋର୍ଟକୁ ଲେଖି ଜଣାଇଛନ୍ତି। ସେମାନଙ୍କଠାରୁ ତାଙ୍କ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ସେ ସାହସ କରି ଆଜି ତାଙ୍କ ଜିନିଷପତ୍ର ନେବା ପାଇଁ ଆସିଥିବା କହିଥିଲେ।

ଅନ୍ୟପକ୍ଷରେ ଏସ୍‌ଡିପିଓ ତୋଫାନ ବାଗ କହିଛନ୍ତି ଯେ, ଏହା ଏକ ଘରୋଇ ବିବାଦ ହୋଇଥିବା ବେଳେ ଡେରାଡୁନରେ ମାମଲା ରୁଜୁ ହୋଇଛି। ଯଦି ଡେରାଡୁନ ପୁଲିସର କୌଣସି ଅଧିକାରୀ ବା ଏହି ମାମଲା ଅନୁସଂଧାନ କରୁଥିବା ପୁଲିସ ଅଧିକାରୀ ଆସନ୍ତି ତେବେ ପୁଲିସ ତାଙ୍କୁ ସହଯୋଗ କରିବାରେ କୌଣସି ଅସୁବିଧା ନାହିଁ।