କେନ୍ଦୁଝର: ଏଫ୍‌ଏକ୍ୟୁ ପରୀକ୍ଷାରେ ପାସ୍‌ ହୋଇପାରୁନି ଧାନ। ଥରେ କି ଦୁଇଥର ନୁହେଁ ବାରମ୍ବାର ଯାଞ୍ଚ କଲେ ବି ସବୁ ଧାନ ଏଫ୍‌ଏକ୍ୟୁ ପରୀକ୍ଷାରେ ଫେଲ୍‌ ମାରୁଛି। କେନ୍ଦୁଝର ଜିଲ୍ଲାର ସବୁ ମଣ୍ଡିରେ ହେଉଥିବା ଧାନର ମାନ ଯାଞ୍ଚ ‌ବେଳେ ଏଭଳି ରୋଚକ ତଥ୍ୟ ପଦାକୁ ଆସିଛି। କେବଳ କେନ୍ଦୁଝର ନୁହେଁ, ସମଗ୍ର ରାଜ୍ୟର ସ୍ଥିତି ସମାନ। ପଞ୍ଜାବ ଭଳି ରାଜ୍ୟରେ ଧାନର ମାନ ବୃଦ୍ଧି କରିବାପାଇଁ ଧାନ ସଫା ମେସିନ (ପ୍ୟାଡି କ୍ଲିନର) ବ୍ୟବସ୍ଥା ଥିବାବେଳେ ଓଡ଼ିଶାରେ ଏହା ନାହିଁ। କେନ୍ଦୁଝରରେ ମାତ୍ର ଗୋଟିଏ ଧାନ ସଫା ମେସିନ ଅଛି। ତାହା ମଧ୍ୟ କାମରେ ଆସୁନଥିବାରୁ ଚାଷୀ କ୍ଷତି ସହୁଛନ୍ତି। କେନ୍ଦୁଝର ଜିଲ୍ଲାର ୯୫ଟି ମଣ୍ଡିରେ ଖରିଫ ଧାନ ବିକ୍ରି ପାଇଁ ୫୯ ହଜାର ୬୭୩ଜଣ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି। ୧୫ ଲକ୍ଷ ୭୯ ହଜାର କୁଇଣ୍ଟାଲ ଧାନ କିଣିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି। ନଭେମ୍ବର ୧୬ରୁ ଧାନ କିଣା ଆରମ୍ଭ ହୋଇଥିବା ବେଳେ ଆଜି ସୁଦ୍ଧା ମୋଟ ୨୩ଟି ମଣ୍ଡି ଖୋଲିଛି। ଧାନର ମାନ ଯାଞ୍ଚ ପାଇଁ କେନ୍ଦୁଝର ଜିଲ୍ଲାକୁ ୫ଟି ଗ୍ରେନ୍‌ ଆନାଲାଇଜର ମେସିନ ଆସିଛି। ଚାଷୀଙ୍କ ଉପସ୍ଥିତିରେ ଗ୍ରେନ୍‌ ଆନାଲାଇଜର ଜରିଆରେ ଧାନର ମାନ ପରୀକ୍ଷା ହେଉଛି। ଯାଞ୍ଚବେଳେ ୯୯ ପ୍ରତିଶତରୁ ଅଧିକ ଧାନ ଏଫ୍‌ଏକ୍ୟୁ ମାନର ନୁହେଁ ବୋଲି ଜଣାପଡ଼ୁଛି। 

Advertisment

ନିୟମ କହୁଛି, ଯଦି ଧାନ ଏଫ୍‌ଏକ୍ୟୁ ମାନର ନୁହେଁ, ତେବେ ଚାଷୀ ଉକ୍ତ ଧାନକୁ ନିଜ ଘରକୁ ‌ଫେରାଇ ନେବ। ପରବର୍ତ୍ତୀ ସମୟରେ ସଫାସୁତରା କରି ଆଉଥରେ ମଣ୍ଡିକୁ ଆଣି ବିକ୍ରି କରିବ। ହେଲେ ଚାଷୀ ତାହା କରୁନାହାନ୍ତି। ମିଲରଙ୍କ ସହ ଆଲୋଚନା କରି କଟ୍‌ନି ଛଟ୍‌ନି କରି ବିକ୍ରି କରୁଛନ୍ତି। ଧାନର ମାନ ବୃଦ୍ଧି କରି ଏଫ୍‌ଏକ୍ୟୁ ସ୍ତରକୁ ଆଣିବାପାଇଁ ପଞ୍ଜାବ ଭଳି ରାଜ୍ୟରେ ଧାନ ସଫା ମେସିନ ବ୍ୟବସ୍ଥା ଅଛି। ‌ମଣ୍ଡିକୁ ଆସିଥିବା ଧାନ ଏଫ୍‌ଏକ୍ୟୁ ମାନର ହୋଇନଥିଲେ, ତାହାକୁ ମେସିନରେ ସଫା କରାଯାଇ ମାନ ବୃଦ୍ଧି କରିବା ପରେ ବିକ୍ରି କରାଯିବା ବ୍ୟବସ୍ଥା ରହିଛି।

କେନ୍ଦୁଝରରେ ମାତ୍ର ଗୋଟିଏ ଧାନ ସଫା ମେସିନ ଅଛି। ଏହା ପୁରୁଣା ବଜାରସ୍ଥିତ ଆର୍‌ଏମ୍‌ସି କାର୍ଯ୍ୟାଳୟରେ ଥିବାବେଳେ ୧୫ କିଲୋମିଟର ଦୂର ନରଣପୁରରେ ମଣ୍ଡି ରହିଛି। ମଣ୍ଡିକୁ ଆସୁଥିବା ଧାନ ଏଫ୍‌ଏକ୍ୟୁ ମାନର ନଥିଲେ ବି ତାକୁ ସଫା କରିବା ସମ୍ଭବ ହେଉନି। ଆଜିପର୍ଯ୍ୟନ୍ତ ଏହି ମେସିନରେ ମୁଠାଏ ବି ଧାନ ସଫା ହୋଇନାହିଁ। ଗୋଟିଏ ପଟେ ଏଫ୍‌ଏକ୍ୟୁ ମାନର ଧାନ ସଂପର୍କରେ ଚାଷୀ ଅବଗତ ନାହାନ୍ତି। ମଣ୍ଡିରେ ଗ୍ରେନ୍‌ ଆନାଲାଇଜରରେ ପରୀକ୍ଷା ବେଳେ ଏଫ୍‌ଏକ୍ୟୁ ମାନର ଧାନ ନଥିବା ଜଣାପଡ଼ୁଛି। ଚାଷୀ ପାଖରେ ଧାନର ମାନ ବୃଦ୍ଧି ପାଇଁ ସୁଯୋଗ ନଥିବାରୁ ସେମାନେ ବାଧ୍ୟ ହୋଇ କଟ୍‌ନି ଛଟ୍‌ନି ପାଇଁ ସହମତି ପ୍ରକାଶ କରୁଛନ୍ତି। ଯେଉଁଥିପାଇଁ କୁଇଣ୍ଟାଲ ପିଛା ସର୍ବନିମ୍ନ ୫ କେଜି ଧାନ କ୍ଷତି ସହୁଛି ଚାଷୀ। ସରକାର ପ୍ରତି ମଣ୍ଡିରେ ଧାନ ସଫା ମେସିନ ବ୍ୟବସ୍ଥା କଲେ ଚାଷୀ ଉପକୃତ ହୁଅନ୍ତେ।