ନୀଳଗିରି: ପେଟ ପାଇଁ କିଏ କେତେ ସଂଘର୍ଷ କରୁଛି। ସେହିପରି ଏକ ପରିବାର ଅଛି, ଯାହାର ସଦସ୍ୟମାନେ ଘର ଚଳାଇବା ପାଇଁ ପାଲା ଗାଉଛନ୍ତି। ସରକାରଙ୍କ ପକ୍ଷରୁ ଦୁଇଜଣ ସଦସ୍ୟଙ୍କୁ ମିଳୁଥିବା ଭତ୍ତା ସମୁଦ୍ରକୁ ଶଂଖେ ସଦୃଶ ହୋଇଛି।

Advertisment

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍‌ ନାମ୍ପୋ ଗ୍ରାମର ଚନ୍ଦ୍ରମୋହନ ରାଉଳଙ୍କ ପରିବାର ଅତ୍ୟନ୍ତ ଗରିବ। ଚନ୍ଦ୍ରମୋହନ ୪୫ ବର୍ଷ ହେଲା ପାଲା ଗାଇଆସୁଛନ୍ତି। ପାଲା ଗାଇ ପରିବାର ଚଳାଉଛନ୍ତି। ତେବେ ସେ ଯେତିକି ରୋଜଗାର କରନ୍ତି, ସେତିକିରେ ଚଳିବା କଷ୍ଟକର ହେବାରୁ ପରିବାରର ସମସ୍ତ ସଦସ୍ୟ ପାଲା ପରିବେଷଣ କରିବାରେ ଲାଗିଛନ୍ତି। ଚନ୍ଦ୍ରମୋହନଙ୍କ ସହ ମିଶି ପତ୍ନୀ ଗୀତା ରାଉଳ, ବଡ଼ପୁଅ ରାଜକୁମାର ରାଉଳ, ସାନପୁଅ କୃଷ୍ଣଚନ୍ଦ୍ର ରାଉଳ, ବୋହୂ ରିନା ରାଉଳ, ଝିଆରୀ ସବିତା ରାଉଳ, ଭାଇ ମଦନ ମୋହନ ରାଉଳ, ବରେନ୍ଦ୍ର ରାଉଳ ଓ ଜଗଦୀଶ ରାଉଳ ରାଜ୍ୟର ବିଭିନ୍ନ ସ୍ଥାନରେ ପାଲା ପରିବେଷଣ କରୁଛନ୍ତି। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପାଲା ମାଧ୍ୟମରେ ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି। ଏଇଥିରୁ ଯାହା ରୋଜଗାର ହୁଏ, ପରିବାର ଆପାତତଃ ଚଳିଯାଉଛି।

ତେବେ ସବୁଠାରୁ ବଡ଼ କଥା ହେ‌ଲା‌, ଚନ୍ଦ୍ରମୋହନ ଓ ତାଙ୍କ ପରିବାରର ସଦସ୍ୟମାନେ ୧୩ ବର୍ଷ ହେଲା ନୀଳଗିରି ରଥଯାତ୍ରାରେ ୯ ଦିନ ଧରି ପାଲା ପରିବେଷଣ କରିଆସୁଛନ୍ତି। ଚଳିତ ବର୍ଷ ମଧ୍ୟ ସେମାନେ ଏଠାରେ ପାଲା ପରିବେଷଣ କରୁଛନ୍ତି ଏବଂ ଦର୍ଶକଙ୍କ ମନ ମୋହୁଛନ୍ତି। ତେବେ ଚନ୍ଦ୍ରମୋହନ ଓ ପତ୍ନୀ ଗୀତାଙ୍କୁ ୧୨୦୦ ଟଙ୍କା ଲେଖାଏଁ କଳାକାର ଭତ୍ତା ମିଳୁଛି। ଯାହା ସମୁଦ୍ରକୁ ଶଂଖେ ସଦୃଶ ହୋଇଛି। ଏପରି ସମୟରେ ଏହି କଳାକାର ପରିବାରକୁ ସରକାର ଆର୍ଥିକ ସହାୟତା ପ୍ରଦାନ କରିବା ସହ ପରିବାରର ସମସ୍ତଙ୍କୁ କଳାକାର ଭତ୍ତା ପ୍ରଦାନ ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି।