କାଳିଆପାଣି: ଲଗାଣ ବର୍ଷା ପାଇଁ ସୁକିନ୍ଦା କ୍ରୋମ୍ ଉପତ୍ୟକାର ସବୁ ଖଣିରେ ନାହିଁନଥିବା କ୍ଷତି ହୋଇଛି। ଗତ ୭ ତାରିଖରୁ ଅବିଶ୍ରାନ୍ତ ବର୍ଷା ପାଇଁ ସବୁ ଖଣିରେ ଖନନ ଓ ଖଣିଜ ଉତ୍ପାଦନ ଠପ୍ ହୋଇଯାଇଛି। ବର୍ଷାଜଳରେ କ୍ରିୟାଶୀଳ ଖଣି ପରିସର, ଓର୍ ପ୍ଲଟ୍, ଷ୍ଟାକ୍ ୟାର୍ଡ(ଖଣିଜ ଗଦା) ଓ ଏହା ସଂଲଗ୍ନ ଡମ୍ପ୍(ଅଦରକାରୀ ମାଟି ପାହାଡ଼) ବିଶେଷ ଭାବେ ପ୍ରଭାବିତ ହୋଇଛି। ସପ୍ତାହ ସାରା ମୂଷଳ ଧାରାରେ ଲଗାଣ ବର୍ଷା ପାଇଁ କାଳିଆପାଣି କ୍ରୋମ୍ ଉପତ୍ୟକାର ସମସ୍ତ ଓପନ୍କାଷ୍ଟ୍(ଖୋଲା) କ୍ରୋମାଇଟ୍ ଖଣିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଅଭିଯୋଗ ହୋଇଛି।
ପ୍ରାୟ ସବୁ ଖଣିରେ ଖଣିକାର୍ଯ୍ୟ ସଂପୂର୍ଣ୍ଣ ବ୍ୟାହତ ହୋଇଛି। କଚ୍ଚା ଥିବା ଖଣି ସଡ଼କର ମାଟି ଖସଡ଼ା ହୋଇଥିବାରୁ ସମସ୍ତ ଖଣିର ହଲେଜ୍ ରୋଡ(ଯାତାୟାତ ପଥ)ରେ ଯାନବାହାନ ଚଳାଚଳରେ ବିପଦ ସୃଷ୍ଟି ହୋଇଛି। ସୁରକ୍ଷା ଦୃଷ୍ଟିରୁ କେନ୍ଦ୍ର ସରକାରଙ୍କ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଅଧୀନ ଖଣି ସୁରକ୍ଷା ମହାନିର୍ଦେଶାଳୟ ପକ୍ଷରୁ ମାଟି ଓଦା ଥିବା ସମୟରେ ଖଣି ସଡ଼କରେ ଭାରୀଯାନ ଚଳାଚଳ ଉପରେ ନିଷେଧାଜ୍ଞା ରହିଆସିଛି। ସ୍ଥଳ ବିଶେଷରେ ବିଭିନ୍ନ ଖଣିର ଗଭୀରତା ୫୫ ରୁ ୧୧୫ ମିଟର ପର୍ଯ୍ୟନ୍ତ ରହିଛି। ଭୂମି ପତନରୁ ବହୁ ତଳକୁ ଖନନ ହେଉଥିବାରୁ ବର୍ଷାଦିନେ ଖଣିରେ ଅସଂଖ୍ୟ ଝର ସୃଷ୍ଟି ହୋଇଛି। ପ୍ରବଳ ବର୍ଷା ଓ ଝର ପାଣି ପାଇଁ ପ୍ରତ୍ୟେକ ଖଣିରେ ଜଳ ପତନ ବୃଦ୍ଧି ପାଇବାରେ ଲାଗିଛି।
ଖଣି ମଧ୍ୟକୁ ପ୍ରଚୁର ପରିମାଣରେ ବର୍ଷାଜଳ ପ୍ରବେଶ କରୁଥିବାରୁ ଜଳ ନିଷ୍କାସନ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଡମ୍ପ୍ ଉପରୁ ବଡ଼ବଡ଼ ପଥର ଖଣ୍ଡ ଓ ମାଟି ମାଡ଼ି ଆସି ପ୍ରବେଶ ପଥ ରାସ୍ତା ଅବରୋଧ କରୁଛି। ଡମ୍ପ୍ରେ ଝର ଫିଟିଯିବା ସହ ଅଂସଖ୍ୟ ରେନ୍ କଟ୍(ବର୍ଷାପାଣି ଧାର) ସୃଷ୍ଟି ହୋଇଛି। ଏଥିସହ ଡମ୍ପ୍ ସୁଦୃଢ଼ୀକରଣ ଯୋଜନା ବାଧାପ୍ରାପ୍ତ ହୋଇଛି। କ୍ରିୟାଶୀଳ ଖଣିରେ ଡମ୍ପ୍ ପରିଚାଳନା ଓ ଡମ୍ପିଂ ବ୍ୟବସ୍ଥାର ଉନ୍ନତୀକରଣ ଏକ ପ୍ରମୁଖ ଉପାଦାନ ଥିବାରୁ ଖଣିର ସଡ଼କ ପଥ ସୁଗମ ଦିଗରେ ସଂପୃକ୍ତ ଖଣି କର୍ତ୍ତୃପକ୍ଷଙ୍କ ଦାୟିତ୍ବ ବଢ଼ି ଯାଇଛି। ଡମ୍ପ୍ ରାସ୍ତା ଓ ଖଣି ସଡ଼କ ଉପରକୁ ନିୟମିତ ପଥର ଓ ମାଟି ମାଡ଼ିଆସୁଥିବାରୁ ସଡ଼କ ସଫା କାମକୁ ପ୍ରାଥମିକତା ଦିଆଯାଇଛି। ବିଭିନ୍ନ ଖଣି ଡମ୍ପ୍ରେ ଊଣା ଅଧିକେ ମାଟି ଭୁଶୁଡ଼ି ଭୁସ୍ଖଳନ ସମସ୍ୟାର ଉପୁଜିଛି। ବିଭିନ୍ନ ଖଣିରେ ନିୟୋଜିତ ହଜାରହଜାର ଶ୍ରମିକ ଓ କର୍ମଚାରୀ ଖଣିକୁ ଆସି ହାଜିରା ଦେଇ ବିନା କାମରେ ଘରକୁ ଫେରିଯାଉଛନ୍ତି।
ଓଡ଼ିଶା ଖଣି ନିଗମ(ଓଏମ୍ସି)ର ଦକ୍ଷିଣ କାଳିଆପାଣି କ୍ରୋମାଇଟ୍ ଖଣିର ଏଫ୍’ କ୍ବାରି ଓ ସୁକ୍ରଙ୍ଗି କ୍ରୋମାଇଟ୍ ଖଣି, ଟାଟାଷ୍ଟିଲ ମାଇନିଂ(ଟିଏସ୍ଏମ୍ଏଲ୍) ସୁକିନ୍ଦା କ୍ରୋମାଇଟ୍ ଖଣି ଓ ସାରୁଆବିଲ-କମର୍ଦ୍ଦା ଦ୍ବୈତ କ୍ରୋମାଇଟ୍ ଖଣି, ଇମ୍ଫା ସୁକିନ୍ଦା ଓ ଭୂତଳ କ୍ରୋମାଇଟ୍ ଖଣି, ବେଦାନ୍ତ-ଫେକର ଓସ୍ତପାଳ ଓ କଲରଙ୍ଗିଅତ୍ତା କ୍ରୋମାଇଟ୍ ଖଣିରେ ଲଗାଣ ବର୍ଷା ଜନିତ ସମସ୍ୟା ବଳବତ୍ତର ରହିଛି। ବର୍ଷାପାଣିରେ ଭିଜୁଥିବା ଖଣିଜରେ ଅତ୍ୟଧିକ ଜଳ ଧାରଣ କ୍ଷମତା ରଖୁଥିବାରୁ କ୍ରୋମ୍ ଖଣିଜ ଓଜନ ସ୍ବାଭାବିକ ଓଜନରୁ ଢେର୍ ଅଧିକ ରହୁଛି। ଏଥିପାଇଁ ଏହା ବିକ୍ରୟ ହେବାରେ ବାଧା ସୃଷ୍ଟି ହୋଇଛି। କ୍ଷତି ସହିବା ଆଶଂକା ଥିବାରୁ କ୍ରୋମାଇଟ୍ କ୍ରୟ ଦିଗରେ ଅନାଗ୍ରହ ପରିସ୍ଥିତି ଲାଗିରହିଛି।
କ୍ରୋମାଇଟ୍ ପରିବହନ ପ୍ରଭାବିତ ହୋଇଛି। ଏତଦ୍ଭିନ୍ନ ଲଗାଣ ବର୍ଷା କାରଣରୁ ବିଭିନ୍ନ ଖଣି ଓ ଡମ୍ପ୍ ଚାରିପଟେ ଥିବା ରିଟେନିଂ ୱାଲ ଓ ଗାର୍ଲାଣ୍ଡ୍ ଡ୍ରେନ୍ ପ୍ରଭାବିତ ହୋଇ ଖଣି ପାରିପାର୍ଶ୍ବିକ ଇଲାକାରେ ଥିବା ଜମିରେ ଲିମୋନାଇଟ୍ ଓ ନିକେଲ ମିଶା ମାଟି ମାଡ଼ି ଯିବାର ଆଶଂକା ରହିଛି। ଏହାଦ୍ବାରା ଜମି ଉପରେ ଏକ ଆସ୍ତରଣ ପଡ଼ି ଅତୀତରେ ଶହଶହ ଏକର ଜମିକୁ ଅନୁର୍ବର କରୁଥିବା ଦୃଷ୍ଟାନ୍ତ ରହିଛି। ଯାହାକି ଚାଷୀକୁଳ ଓ ଅଞ୍ଚଳବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଲଗାଣ ବର୍ଷା ଦ୍ବାରା ଖଣି କର୍ତ୍ତୃପକ୍ଷ, ଶ୍ରମିକ ଓ କର୍ମଚାରୀ ଓ ଖଣି ପାର୍ଶ୍ବବର୍ତ୍ତୀ ଇଲାକାର କୃଷକ ଓ ଜନ ସାଧାରଣ କ୍ଷତିଗ୍ରସ୍ତ ହେଉଛନ୍ତି।