ରାଜ୍ୟର ସବୁ ସଂଖ୍ୟାଲଘୁ ସଂସ୍ଥା ଏବେ ସ୍ଥାଣୁ

କଟକ : ଓଡ଼ିଶା ବୋର୍ଡ ଅଫ୍ ୱାକଫ୍‌ ଓ ମଦ୍ରାସା ବୋର୍ଡର ମୁଖ୍ୟ ପଦ ୮ ବର୍ଷ ହେଲା ଖାଲିପଡ଼ିଛି। ବୋର୍ଡ ଅଫ୍ ୱାକଫ୍‌ର ସର୍ଭେ କମିସନର ଭଳି ଗୁରୁତ୍ବପୂର୍ଣ୍ଣ ପଦବିରେ ମୁସଲିମ୍ ଅଫିସରଙ୍କୁ ନିଯୁକ୍ତ ନ କରି ଅନ୍ୟ ଜଣେ ଅଧିକାରୀଙ୍କୁ କାମଚଳା ଦାୟିତ୍ବ ଦିଆଯାଇଛି। ଉର୍ଦ୍ଦୁ ଏକାଡେମି, ହଜ୍‌ କମିଟିର ବି ମୁଖ୍ୟ ପଦବି ଖାଲି ପଡ଼ିଛି। ଏଭଳି ସ୍ଥିତିରେ ରାଜ୍ୟରେ ମୁସଲମାନ୍‌ଙ୍କ ଆବଶ୍ୟକତା ଆଉ ସ୍ବାର୍ଥ ସହ ଜଡ଼ିତ ଗୁରୁତ୍ବପୂର୍ଣ୍ଣ ସଂସ୍ଥା ଗୁଡ଼ିକ ଧୀରେଧୀରେ ସ୍ଥାଣୁ ପାଲଟିବାକୁ ବସିଛି। ଫଳରେ, ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକାରୀ ହୋଇ ପାରୁ ନଥିବା ବେଳେ ମୁସଲମାନ ସଂପ୍ରଦାୟଙ୍କ ସହ ଜଡ଼ିତ ଅନେକ ଗୁରୁତ୍ବପୂର୍ଣ୍ଣ ସଂସ୍ଥାଗୁଡ଼ିକର ବିକାଶମୂଳକ କାର୍ଯ୍ୟ ଅଟକି ଯାଇଛି।

ତଥ୍ୟ ଅନୁଯାୟୀ, ରାଜ୍ୟର ମୋଟ ଜନସଂଖ୍ୟାର ୩ ପ୍ରତିଶତରୁ ଅଧିକ ହେଉଛନ୍ତି ମୁସଲମାନ ସଂପ୍ରଦାୟର। ସେମାନଙ୍କ ଧର୍ମ, ଶିକ୍ଷା ଆଉ ଆର୍ଥିକ ବିକାଶ ସହଜ ଜଡ଼ିତ ୫ଟି ସ୍ବତନ୍ତ୍ର ସଂସ୍ଥା ରାଜ୍ୟରେ କାର୍ଯ୍ୟ କରୁଛି। ସେଥିରେ ରହିଛନ୍ତି ହଜ୍ କମିଟି, ଓଡ଼ିଶା ବୋର୍ଡ ଅଫ୍ ୱାକଫ୍‌, ଉର୍ଦ୍ଦୁ ଏକାଡେମି, ମଦ୍ରାସା ବୋର୍ଡ ଓ ମାଇନରିଟି ଫାଇନାନ୍‌ସିଆଲ୍‌ ଡେଭଲପମେଣ୍ଟ୍ କର୍ପୋରେସନ୍‌। ଗଲା ୧୦ ବର୍ଷ ଭିତରେ ଯେଉଁ ସମୟରେ ଏହି ସଂସ୍ଥା ଗୁଡ଼ିକର ମୁଖ୍ୟ ପଦବି ଖାଲି ପଡ଼ିଛି, ତା’ ପରଠାରୁ ଆଉ ନୂଆ ନିଯୁକ୍ତି ଦିଆଯାଉ ନାହିଁ। ବିଭିନ୍ନ ନିଗମର ଅଧ୍ୟକ୍ଷ ପଦ ସରକାର ପୂରଣ କରୁଥିବା ବେଳେ ଏ ୫ଟି ସଂସ୍ଥାର ଅଧ୍ୟକ୍ଷ ପଦ କିନ୍ତୁ ପୂରଣ କରାଯାଉ ନାହିଁ। ମୁସଲମାନ ସଂପ୍ରଦାୟର ଶିକ୍ଷା ସହ ଜଡ଼ିତ ଉର୍ଦ୍ଦୁ ଏକାଡେମି ଓ ମଦ୍ରାସା ବୋର୍ଡର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ବରରେ ରହିଥିବା ବେଳେ ହଜ୍ କମିଟି ଓ ଓଡ଼ିଶା ବୋର୍ଡ ଅଫ୍ ୱାକଫ୍‌ର ମୁଖ୍ୟ କାର୍ଯ୍ୟାଳୟ ରହିଛି କଟକରେ।

ହଜ୍‌, ୱାକଫ୍‌, ମଦ୍ରାସା ବୋର୍ଡ, ଉର୍ଦ୍ଦୁ ଏକାଡେମି ମୁଖ୍ୟ ପଦ ଖାଲି
ସଂଖ୍ୟାଲଘୁ ଆର୍ଥିକ ବିକାଶ ନିଗମ ୨୨ ବର୍ଷ ହେଲା ବନ୍ଦ

ଏସବୁ ସଂସ୍ଥାର ନିଯୁକ୍ତି କ୍ଷେତ୍ରରେ ସରକାର ଇତିମଧ୍ୟରେ ପ୍ରଚଳିତ ନିୟମର ବି ଖିଲାପ କରିଥିବା ଅଭିଯୋଗ ହେଉଛି। ତଥ୍ୟ ଅନୁଯାୟୀ, ଓଡ଼ିଶା ବୋର୍ଡ ଅଫ୍ ୱାକଫ୍‌ର ସର୍ଭେ କମିସନର ପଦବିରେ ଜଣେ ମୁସଲିମ୍ ଅଫିସର୍‌ କାର୍ଯ୍ୟ କରିବାର ନିୟମ ରହିଛି। ଏହି ପଦବିରେ କାର୍ଯ୍ୟ କରୁଥିବା ସୟଦ ମହମ୍ମଦ ଆକଦାମ୍‌ଙ୍କର ସେହି ପଦବିରୁ ବଦଳି ହୋଇଯିବା ପରେ ତାଙ୍କ ସ୍ଥା‌ନରେ ଆଉ କୌଣସି ମୁସଲିମ୍ ଅଫିସରଙ୍କୁ ନିଯୁକ୍ତି ଦିଆଯାଇ ନାହିଁ। ରାଜ୍ୟରେ ମୁସଲିମ୍ ଅଧିକାରୀଙ୍କର ଅଭାବ ନଥିବା ବେଳେ ଆରଡିସିଙ୍କ ସଚିବ ତୁଷାରକାନ୍ତ ମହାନ୍ତିଙ୍କୁ ଏବେ ଏହାର ଅତିରିକ୍ତ ଦିଆଯାଇଛି। ଏଭଳି ସ୍ଥିତିରେ ବୋର୍ଡ ଅଫ୍ ୱାକଫର ପରିଚାଳନା କ୍ଷେତ୍ରରେ ଗୁରୁତର ବିଭ୍ରାଟ ଦେଖା ଦେଇଥିବା ଅଭିଯୋଗ ହେଉଛି।

ଅନ୍ୟପଟେ ମୁସଲମାନ ସଂପ୍ରଦାୟର ଆର୍ଥିକ ବିକାଶ ପାଇଁ ସୃଷ୍ଟି କରାଯାଇଥିବା ସ୍ବତନ୍ତ୍ର ନିଗମକୁ ବନ୍ଦ କରି ଦିଆଯିବା ଘଟଣା ବି ଏବେ ଆଲୋଚନାର ପ୍ରସଙ୍ଗ ହୋଇଛି। ମୁସଲମାନ ସଂପ୍ରଦାୟରେ ସଂଖ୍ୟାଧିକ ବ୍ୟକ୍ତିଙ୍କ ଦୁର୍ବଳ ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ସେମାନଙ୍କ ଆର୍ଥିକ ବିକାଶ ପାଇଁ ୧୯୯୮ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ‘ମାଇନରିଟି ଫାଇନାନ୍‌ସିଆଲ୍ ଡେଭଲପ୍‌ମେଣ୍ଟ କର୍ପୋରେସନ୍’ (ସଂଖ୍ୟାଲଘୁ ଆର୍ଥିକ ବିକାଶ ନିଗମ) ଗଠନ କରିଥିଲେ। ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ସହ ଏହାକୁ ସଂଯୁକ୍ତ କରାଯାଇଥିଲା। ଯୋଜନା ହୋଇଥିଲା ଯେ ସଂଖ୍ୟାଲଘୁ ସଂପ୍ରଦାୟର ଆର୍ଥିକ ଦୁର୍ବଳ ବ୍ୟକ୍ତିଙ୍କୁ ବିନା କୌଣସି ବନ୍ଧକ ଅଥବା ଜମାନତରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ୬ ପ୍ରତିଶତ ସୁଧ ହାରରେ ଦିଆଯିବ। ମାତ୍ର, ୨ ବର୍ଷ କାର୍ଯ୍ୟ କରିବା ପରେ ୨୦୦୦ ମସିହା ପରଠାରୁ ଏହା ଏକପ୍ରକାର ବନ୍ଦ ହୋଇଯାଇଛି। ରାଜ୍ୟରେ ମୁସଲମାନ ଅଧିକାରୀ, ମୁସଲମାନ ସଂପ୍ରଦାୟର ଦକ୍ଷ ନେତାଙ୍କ ଅଭାବ ନଥିବା ବେଳେ ଏସବୁ ସଂସ୍ଥାକୁ କାହିଁକି ଏଭଳି ସ୍ଥାଣୁ କରି ଦିଆଯାଉଛି, ତାହାକୁ ନେଇ ଏବେ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି।

ସମ୍ବନ୍ଧିତ ଖବର