ବ୍ୟାସନଗର : ଗଣତନ୍ତ୍ରର ସୁରକ୍ଷା ପାଇଁ ସମସ୍ତ ବିରୋଧୀଦଳ ଏକାଠି ହେବା ଦରକାର। ଆଜି ଯାଜପୁରର ବ୍ୟାସନଗର ଗସ୍ତରେ ଆସିଥିବା ବେଳେ ଏହା କହିଛନ୍ତି ବରିଷ୍ଠ ରାଜନେତା ତଥା ପୂର୍ବତନ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ।
ବିହାର ମୁଖ୍ୟମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସୁଥିବା ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧି ଶ୍ରୀ ପଟ୍ଟନାୟକଙ୍କ ମତ ଲୋଡ଼ିଥିଲେ। ଏହି ପରିପ୍ରେକ୍ଷୀରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଗଣତନ୍ତ୍ରକୁ ଧ୍ୱଂସ କରିବା ପାଇଁ ବିଜେପି ସରକାର ସମସ୍ତ ପ୍ରକାର ଆଭିମୁଖ୍ୟ ଗ୍ରହଣ କରୁଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଭିନ୍ନ ରାଜ୍ୟ ଗସ୍ତକରି ବିରୋଧୀ ଦଳଗୁଡ଼ିକୁ ଏକଜୁଟ କରୁଛନ୍ତି। ଓଡ଼ିଶା ଗସ୍ତକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ନୀତୀଶ କୁମାର କାର୍ଯ୍ୟକ୍ରମ ରଖିଛନ୍ତି। ଭାରତୀୟ ଗଣତନ୍ତ୍ରର ସୁରକ୍ଷା ପାଇଁ ସମସ୍ତ ବିରୋଧୀ ଦଳ ଏକଜୁଟ୍ ହେବା ଦରକାର। ହେଲେ, ଓଡ଼ିଶା ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ହୋଇନାହିଁ ବୋଲି ସେ କହିଥିଲେ।
ସେ ଆହୁରି ମଧ୍ୟ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପି ସହିତ ସମଦୂରତା ରକ୍ଷା କରୁଛୁ ବୋଲି କହୁଥିବା ବେଳେ ବିଜେପି ଓ ବିଜେଡି ମଧ୍ୟରେ ଭିତିରି ବୁଝାମଣା ରହିଛି। କାରଣ ସଂସଦରେ ଯେତେ ଆଇନ ପାସ୍ ହେଉଛି, ସେସବୁକୁ ବିଜେଡି ସମର୍ଥନ ଦେଇଛି। ଯିଏ ବିଜେପିକୁ ସମର୍ଥନ ଦେଉନାହାନ୍ତି ତାଙ୍କ ବିରୋଧରେ ଇଡି, ସିବିଆଇ ଲଗାଇ ଦିଆଯାଉଛି।
ଏଥିସହିତ, ଓଡ଼ିଶାରେ ଚିଟ୍ଫଣ୍ଡଠାରୁ ଆରମ୍ଭ କରି ମମିତା ମେହେର ହତ୍ୟାକାଣ୍ଡ, ଅର୍ଚ୍ଚନା ମାମଲା, ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିକରି ହତ୍ୟା, ଏହିପରି ଅନେକ ଘଟଣା ଓଡ଼ିଶାରେ ଘଟିଥିବା ବେଳେ କୌଣସି ତଦନ୍ତ ହେଉନାହିଁ କାହିଁକି ବୋଲି ପୂର୍ବତନ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଥିଲେ।
ଏହି ଗସ୍ତ ସମୟରେ କେନ୍ଦୁଝର ଜିଲ୍ଲା ଉପସଭାପତି ପ୍ରଶାନ୍ତ ପାଲ, ଘସିପୁରା ବ୍ଲକ ସଭାପତି ସୁବ୍ରତ ଚକ୍ର, ବ୍ୟାସନଗର କଂଗ୍ରେସ ସଭାପତି ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ।