ୟୁକ୍ରେନରେ ଫସିଥିବା ସବୁ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଘରବାହୁଡ଼ା

ଯୁଦ୍ଧ ବୀଭିଷିକା ଭିତରେ ବିତିଥିଲା ଜୀବନ

ରାଉରକେଲା: ଛାତ୍ରଛାତ୍ରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ସୁଦୂର ୟୁକ୍ରେନରେ ଫସିରହିଥିବା ରାଉରକେଲାର ସମସ୍ତ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସୁରକ୍ଷିତ ଘରବାହୁଡ଼ା ହୋଇଛି। କେବଳ ଇସ୍ପାତ ସହରର ପ୍ରାୟ ୨୦ରୁ ଅଧିକ ଛାତ୍ରଛାତ୍ରୀ ସେଠାରେ ଫସିରହିଥିବାବେଳେ ପର୍ଯ୍ୟାୟକ୍ରମେ ଉଦ୍ଧାର କରାଯାଇଥିଲା। ମଙ୍ଗଳବାର ଶେଷ ତିନି ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨ ଜଣ ରାଉରକେଲାରେ ପହଞ୍ଚିସାରିଥିବାବେଳେ ଆଉଜଣେ ଭୁବନେଶ୍ବରରୁ ରାଉରକେଲା ଅଭିମୁଖେ ବାହାରିଛନ୍ତି। ଖାର୍କିଭ୍‌ ନ୍ୟାସନାଲ ମେଡିକାଲ ୟୁନିଭର୍ସିଟିର ପ୍ରଥମ ବର୍ଷ ଛାତ୍ରୀ ଶୁଭଶ୍ରୀ ସାହୁ ଓ ପ୍ରୀତମ ମହନ୍ତ ପହଞ୍ଚିସାରିଥିବାବେଳେ ପ୍ରତୀକ୍ଷା ସାମିଲ ରାଉରକେଲା ଅଭିମୁଖେ ବାହାରିସାରିଥିବା ଜଣାପଡ଼ିଛି।

ୟୁକ୍ରେନ୍‌ର ଲିଭିଭ୍‌, କିଭ୍‌, ଡିନିପ୍ରୋ, ଚେର୍ନୋଭିଲ୍‌, ଖାର୍କିଭ୍‌ ଆଦି ସହରରେ ଫସିଥିବା ପ୍ରାୟ ୨୦ ଛାତ୍ରଛାତ୍ରୀ ଯାବତୀୟ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଛାତ୍ରଛାତ୍ରୀମାନେ ୬/୭ ଦିନ ଧରି ବଙ୍କର୍‌/ମେଟ୍ରୋ ଷ୍ଟେସନ୍‌ରେ ବିସ୍କୁଟ୍‌, ବ୍ରେଡ୍‌, ଚିପ୍‌ସ ଆଦିରେ ଦିନ ବିତାଇଥିଲେ। ସେହିଭଳି ବର୍ଡର ଯାଏଁ ବୋମାମାଡ଼ ଭିତରେ ଚାଲିଚାଲି ଯିବାଠାରୁ ଆରମ୍ଭକରି ବର୍ଡର ପାର୍‌ କରିବାକୁ ବିଯୁକ୍ତ ୨/୩ ଡିଗ୍ରିରେ ଲମ୍ବା ଲାଇନ୍‌ରେ ଛିଡ଼ା ହେବା; ପୁଣି ବିଦେଶ ମାଟିର ଅସ୍ଥାୟୀ ଆଶ୍ରୟ କେନ୍ଦ୍ରରୁ ସ୍ବଦେଶ ଫେରିବାକୁ ୨/୩ ଦିନ ଧରି ଅପେକ୍ଷା କରିବା, ଏଭଳି ଅକଳ୍ପନୀୟ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିଥିଲେ।

ଅପରପକ୍ଷରେ ଆଜି ଫେରିଥିବା ପ୍ରୀତମ, ଶୁଭଶ୍ରୀ ଓ ପ୍ରତୀକ୍ଷାଙ୍କ ବର୍ଡର ପାର୍‌ ହେବା ପର୍ଯ୍ୟନ୍ତ ଯାତ୍ରା କିନ୍ତୁ ବେଶ୍‌ କଷ୍ଟଦାୟକ ରହିଥିଲା। ଗତ ୨ ତାରିଖ ଭୋର୍‌ରୁ ରେଳ ଷ୍ଟେସନରେ ପହଞ୍ଚିଯାଇଥିଲେ ମଧ୍ୟ ଏମାନେ ଟ୍ରେନ୍‌ରେ ଚଢ଼ିପାରିନଥିଲେ। ଠିକ୍‌ ଏତିକିବେଳେ ‌ଯଥାଶୀଘ୍ର ଖାର୍କିଭ୍‌ ସହର ପାର୍‌ ହେବାକୁ ନିର୍ଦ୍ଦେଶ ଦିଆଯିବାରୁ ଏମାନେ ଚାଲିଚାଲି ପ୍ରାୟ ୧୫ କିଲୋମିଟର ଦୂର ପେସୋଚିନ୍‌ରେ ପହଞ୍ଚିଥିଲେ। ସେଠାରୁ ତା’ପରଦିନ, ଅର୍ଥାତ୍‌ ୩ ତାରିଖ ସନ୍ଧ୍ୟା ପ୍ରାୟ ୫ଟାରେ ସ୍ବତନ୍ତ୍ର ବସ୍‌ରେ ରୋମାନିଆ ବର୍ଡର ଅଭିମୁଖେ ବାହାରିଥିଲେ। ବୋମାମାଡ଼, କ୍ଷେପଣାସ୍ତ୍ର ଭିତରେ ପ୍ରାୟ ୫୨ ଘଣ୍ଟାର ବସ୍‌ ଯାତ୍ରା ଥିଲା ସବୁଠାରୁ ଭୟାବହ। କେବଳ ଶୁଖିଲା ଖାଦ୍ୟରେ ଏମାନଙ୍କର ଯାତ୍ରା ସଂପନ୍ନ ହୋଇଥିଲା।

ଅପରପକ୍ଷରେ, ପୁଅ-ଝିଅଙ୍କ ସୁରକ୍ଷିତ ଘର ଲେଉଟାଣି ପ୍ରିୟଜନଙ୍କୁ ଖୁସିରେ ଆତ୍ମହରା କରିଛି। କେତେକ ଛାତ୍ରଛାତ୍ରୀଙ୍କ ପରିବାର ସଦସ୍ୟ ନୂଆଦିଲ୍ଲୀ ଯାଇ ପାଛୋଟି ଆଣିଥିବାବେଳେ ଆଉ କେତେଜଣ ଭୁବନେଶ୍ବର ବିମାନ ବନ୍ଦରରେ ଡେରା ପକାଇଥିଲେ। ଫେବ୍ରୁଆରି ୨୪ ତାରିଖରେ ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ଘର ଲେଉଟାଣି ପର୍ଯ୍ୟନ୍ତ, କେବଳ ଟିଭି ସାମ୍ନାରେ ନ୍ୟୁଜ୍‌ ଦେଖିବା, ପୂଜାର୍ଚ୍ଚନା ଓ ଭାରତୀୟ ଦୂତାବାସକୁ ଯୋଗାଯୋଗ କରିବାରେ ଦିନ କଟିଥିଲା। ସବୁ ସମୟରେ ପିଲାଙ୍କ ସହ ଭିଡିଓ କଲ୍‌ରେ କଥା ହେବା ସମ୍ଭବ ହେଉନଥିବାରୁ ହ୍ବାଟ୍‌ସଆପ୍‌ ମେମେସ୍‌ ହିଁ ଯୋଗାଯୋଗର ଏକମାତ୍ର ମାଧ୍ୟମ ପାଲଟିଥିଲା।

ତେବେ ବିଳମ୍ବ ହେଉପଛେ, ସମସ୍ତେ ସୁରକ୍ଷିତଭାବେ ଫେରିଆସିଥିବାରୁ ଏବେ ଉତ୍ସବର ମାହୋଲ ଖେଳିଯାଇଛି। ସୂଚନାଯୋଗ୍ୟ, ୟୁକ୍ରେନ୍‌ରେ ବଢ଼ୁଥିବା ଜିଲ୍ଲାର ବିଭିନ୍ନ ବର୍ଷର ଛାତ୍ରଛାତ୍ରୀ, ଯଥା- ସଂଘମିତ୍ରା ମିଶ୍ର(ଦ୍ବିତୀୟ ମିଶ୍ର), ଓଏଶୀଖା ଚକ୍ରବର୍ତ୍ତୀ(ଦ୍ବିତୀୟ ବର୍ଷ), ପ୍ରତିକ ସେଠୀ(ତୃତୀୟ ବର୍ଷ), ଅର୍ଚ୍ଚନା ଲେଙ୍କା(ପଞ୍ଚମ ବର୍ଷ), ସଲୋନୀ ଜେନା(ପଞ୍ଚମ ବର୍ଷ), ସ୍ମୃତିଶ୍ରୀ ପତି(ଷଷ୍ଠ ବର୍ଷ), ପ୍ରିୟଙ୍କା ପଣ୍ଡା, ସ୍ମୃତି କୁଜୁର(ପ୍ରଥମ ବର୍ଷ), ସାକିବ୍‌ ଖାନ(ପ୍ରଥମ ବର୍ଷ), ଜିଶାନ ଅହମଦ(ଦ୍ବିତୀୟ ବର୍ଷ), ଅଜିତ୍‌ ବେହେରା(ପଞ୍ଚମ ବର୍ଷ), ଶାଶ୍ବତି ସ୍ବାଇଁ (ପ୍ରଥମ ବର୍ଷ), ପ୍ରୀତମ ମହନ୍ତ(ପ୍ରଥମ ବର୍ଷ), ଶୁଭଶ୍ରୀ ସାହୁ(ପ୍ରଥମ ବର୍ଷ), ପ୍ରତୀକ୍ଷା ସାମଲ(ପ୍ରଥମ ବର୍ଷ), ସୁପ୍ରୀୟା ହୋତା, ଅନୀମେଶ ଅଞ୍ଜୁମ ପଟେଲ(ଦ୍ବିତୀୟ ବର୍ଷ), ଅର୍ପିତା ରାଉତ, ଅନୂପ ଦାଶ, ଆଶୁତୋଷ ମିଶ୍ର, ପଲ୍ଲବୀ ସାହୁ(ଷଷ୍ଠ ବର୍ଷ), ଆଶିଷ ପାଢ଼ୀ, ଅଙ୍କିତ ପଟେଲ, ଜ୍ୟୋତି ବେହେରା(ଷଷ୍ଠ ବର୍ଷ) ପ୍ରମୁଖ ୟୁକ୍ରେନ୍‌ରେ ଫସିରହିଥିଲେ।

ସମ୍ବନ୍ଧିତ ଖବର