ଭୁବନେଶ୍ୱରରୁ ଦିଲ୍ଲୀ ଯିବା ପାଇଁ ଘଣ୍ଟାଏ ଭିତରେ ବିକ୍ରି ହୋଇଗଲା ସବୁ ଟ୍ରେନ ଟିକେଟ

ଭୁବନେଶ୍ୱର: ଘୋଷଣା ହେବାର କିଛି ସମୟ ଭିତରେ ବିକ୍ରି ହୋଇଗଲା ସବୁ ଟ୍ରେନ ଟିକେଟ | ଆଜି ଘୋଷଣା ହୋଇଥିବା ଭୁବନେଶ୍ୱର ନୂଆଦିଲ୍ଲୀ ସ୍ୱତନ୍ତ୍ର ଟ୍ରେନର ଟିକେଟ ମାତ୍ର ଘଣ୍ଟାକ ମଧ୍ୟରେ ସରିଯାଇଛି | ଆସନ୍ତା ବୁଧବାରରୁ ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଯିବାକୁ ଥିବା ଟ୍ରେନର ଟିକେଟ ଘଣ୍ଟାଏ ପୂର୍ବରୁ ବିକ୍ରି ହୋଇଯାଇଛି | ଏହି ଟ୍ରେନରେ ଥିବା ସମୁଦାୟ ୯୧୬ ସିଟ ବୁକିଂ ହୋଇଯାଇଥିବାର ଜଣାପଡିଛି | ୯୧୬ଟି ବର୍ଥରୁ ପ୍ରଥମ ଶ୍ରେଣୀ ଏସି ଆସନ ୨୪ଟି ଥିବାବେଳେ ୨ୟ ଶ୍ରେଣୀ ଏସି ଆସନ ସଂଖ୍ୟା ୧୦୪ ରହିଛି | ସେହିପରି ତୃତୀୟ ଶ୍ରେଣୀ ଏସି ଆସନ ସଂଖ୍ୟା ୭୯୨ଟି ରହିଛି |

ଏଠାରେ ସୂଚନା ଥାଉ କି ଆସନ୍ତା ବୁଧବାରରୁ ସବୁଦିନ ଚାଲିବ ସ୍ୱତନ୍ତ୍ର ଟ୍ରେନ । ତେବେ ଭୁବନେଶ୍ୱର ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୧ରୁ ଏହି ସ୍ୱତନ୍ତ୍ର ଟ୍ରେନ ଚାଲିବ । ଆସନ୍ତା ୧୩ ତାରିଖ ସକାଳ ୧୦ଟାରୁ ଏହି ଟ୍ରେନ ଭୁବନେଶ୍ୱରରୁ ଛାଡିବ । ତେବେ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଏହି ସ୍ୱତନ୍ତ୍ର ଟ୍ରେନରେ ୧୭ଟି କୋଚ୍ ରହିବ । ମୋଟ ୭ଟି ଷ୍ଟେସନରେ ଭୁବନେଶ୍ୱରରୁ ବାହାରିଥିବା ଏହି ଟ୍ରେନ ଅଟକିବ । ବାଲେଶ୍ୱର, ହିଜଲି (ଖଡଗପୁର), ଟାଟା, ବୋକାରୋ, ଗୟା, ଦୀନଦୟାଲ ଉପାଧ୍ୟାୟ ଜଙ୍କସନ, କାନପୁର ସେଣ୍ଟ୍ରାଲରେ ମଧ୍ୟ ଏହି ଟ୍ରେନ ରହିବ ।

ସବୁଠାରୁ ବଡ କଥା ହେଉଛି ଟ୍ରେନ ଛାଡିବାର ୯୦ ମିନିଟ ପୂର୍ବରୁ ପ୍ଲାଟଫର୍ମରେ ପହଞ୍ଚିବାକୁ ପରାମର୍ଶ ଦିଆଯାଇଛି । କେବଳ ଆଇଆରସିଟିସି ୱେବସାଇଟରେ ଟିକେଟ ବୁକ କରିହେବ । ୭ ଦିନର ଆଗୁଆ ଟିକେଟ ବୁକ କରି ପାରିବେ ଯାତ୍ରୀ । ୱେଟିଂଲିଷ୍ଟ ନୁହେଁ କେବଳ କନଫର୍ମ ଟିକେଟରେ ହିଁ ଯାତ୍ରା କରିହେବ । ତେବେ ଟ୍ରେନ ଛାଡିବାର ୨୪ ଘଣ୍ଟା ପୂର୍ବରୁ ଟିକେଟ ବାତିଲ କରିପାରିବେ ଯାତ୍ରୀ । ଆଉ ଟିକେଟ ବାତିଲ କଲେ ୫୦ ପ୍ରତିଶତ ଚାର୍ଜ ପଡିବ ।

ସମ୍ବନ୍ଧିତ ଖବର