ପରିବେଶ ସ୍ବଚ୍ଛତା ଦିଗରେ ପୂର୍ବତଟ ରେଳପଥର ପଦକ୍ଷେପ : ସବୁ ଟ୍ରେନ୍ ବାୟୋଟଏଲେଟ୍ ଯୁକ୍ତ

ଭୁବନେଶ୍ବର : ଯାତ୍ରୀଙ୍କୁ ସ୍ୱଚ୍ଛ ଓ ପରିବେଶ ଅନୁକୂଳ ଯାତ୍ରା ସୁବିଧା ଯୋଗାଇଦେବା ଓ ‘ସ୍ୱଚ୍ଛ ରେଳ, ସ୍ୱଚ୍ଛ ଭାରତ’ ଅଭିଯାନରେ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବା ଉଦ୍ଦେଶ୍ୟରେ ପୂର୍ବତଟ ରେଳପଥ ଅଧୀନ ଟ୍ରେନ୍‌ଗୁଡ଼ିକରେ ବାୟୋ-ଟଏଲେଟ୍‌ ଶତ ପ୍ରତିଶତ ସ୍ଥାପନା କାର୍ଯ୍ୟ ଶେଷ ହୋଇଛି। ଏହି ବାୟୋ-ଟଏଲେଟ୍‌ଗୁଡ଼ିକ ବ୍ୟାକ୍ଟେରିଆ ସହାୟତାରେ ମାନବ ପରିଶିଷ୍ଟକୁ ଜଳ ଓ ବାୟୋ ଗ୍ୟାସ୍‌ରେ ପରିଣତ କରିବ। ପୂର୍ବତଟ ରେଳପଥରେ ୩୨୪୭ଟି କୋଚ୍‌ରେ ବର୍ତ୍ତମାନ ପରିବେଶ ଅନୁକୂଳ ବାୟୋ-ଟଏଲେଟ୍‌ ସଂଯୋଗ କରାଯାଇଛି। ସେଥିମଧ୍ୟରୁ ୨୫୩୪ ଆଇସିଏଫ୍‌ କୋଚ୍ ଓ ୭୧୩ଟି ଏଲ୍‌ଏଚ୍‌ବି କୋଚ୍‌ ବାୟୋ-ଟଏଲେଟ୍ ଦ୍ୱାରା ସୁସଜ୍ଜିତ ହୋଇଛି। ବାୟୋ-ଟଏଲେଟ୍‌ ଦ୍ବାରା ଟ୍ରାକ୍‌କୁ କଳଙ୍କି ଲାଗିବାରୁ ରକ୍ଷା କରାଯାଇପାରିବ। ରେଳବାଇ ସାମଗ୍ରୀର ରକ୍ଷଣାବେକ୍ଷଣ ଖର୍ଚ୍ଚ ହ୍ରାସ ପାଇବ। ଟ୍ରେନ୍ ପରିଚାଳନାରେ ନିରାପତ୍ତା ସୁଦୃଢ଼ କରିବ।

ପୂର୍ବତଟ ରେଳପଥ ଭେଞ୍ଚୁରି ପଦ୍ଧତିର ଚିନ୍ତାଧାରା ଲାଗୁ କରି ବାୟୋ-ଟଏଲେଟ୍‌ର କାର୍ଯ୍ୟକାରିତାରେ ମଧ୍ୟ ଉନ୍ନତି ଆଣିଛନ୍ତି। ଏହି ନୂତନ ପଦ୍ଧତି ଦ୍ୱାରା ଟଏଲେଟ୍ ମଧ୍ୟରେ ଉପଯୁକ୍ତରୂପେ ମୁକ୍ତ ବାୟୁ ଚଳାଚଳ ସୁନିଶ୍ଚିତ ହୋଇଥାଏ। ବାୟୋ-ଟଏଲେଟ୍‌ଗୁଡ଼ିକରେ ମଧ୍ୟ ସହଜରେ ମଇଳା ସଫା ହୋଇଯିବା ନିମନ୍ତେ କୋମଳ ଫ୍ଲସ୍ ସିଷ୍ଟମ୍ ବ୍ୟବସ୍ଥା କରାଯାଇଛି। ଟଏଲେଟ୍ ପ୍ୟାନ୍‌ଗୁଡ଼ିକ ମଧ୍ୟକୁ ଅବର୍ଜନା ପଦାର୍ଥ ଜମା ନହେବା ନିମନ୍ତେ ପ୍ରତ୍ୟେକ ଟଏଲେଟ୍‌ରେ ବାୟୋଟ୍ୟାଙ୍କ୍ ସଂଯୁକ୍ତ କରାଯାଇ ଲିଟରବିନ୍‌ର ବ୍ୟବସ୍ଥା ହୋଇଛି। ବାୟୋ-ଟଏଲେଟ୍‌ଗୁଡ଼ିକର ଉପଯୁକ୍ତ ବ୍ୟବହାର ବିଷୟରେ ଯାତ୍ରୀଙ୍କୁ ସଚେତନ କରିବା ପାଇଁ କ’ଣ କରିବା ଉଚିତ ଓ କ’ଣ ନ କରିବା ଉଚିତ ସମ୍ପର୍କରେ ସଚିତ୍ର ବାର୍ତା ପ୍ରଦର୍ଶିତ କରାଯାଇଛି।

ସମ୍ବନ୍ଧିତ ଖବର