ସରକାରୀ ସ୍କୁଲରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ଖୁବ୍‌ ଶୀଘ୍ର ପୂରଣ କରାଯିବ; ମାସକ ମଧ୍ୟରେ +୨ ସ୍କୁଲରେ ଖାଲି ଥିବା ପଦବୀ ତାଲିକା ଓପିଏସ୍‌ସିକୁ ଦିଆଯିବ : ମନ୍ତ୍ରୀ

ଭୁବନେଶ୍ୱର(ସୁବ୍ରତ ଦାସ) : ରାଜ୍ୟର ସରକାରୀ ସ୍କୁଲ ଉପରେ ଓଡ଼ିଆ ଛାତ୍ରଛାତ୍ରୀ ଓ ସେମାନଙ୍କର ଅଭିଭାବକମାନଙ୍କ ଆସ୍ଥା ଫେରାଇ ଆଣିବା ପାଇଁ ଉଦ୍ୟମ କରାଯିବ ବୋଲି ନବ ନିଯୁକ୍ତ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ କହିଛନ୍ତି।

‘ସମ୍ବାଦ ଡ଼ଟ୍‌ ଇନ’ ସହ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଶ୍ରୀ ଦାଶ କହିଛନ୍ତି ଯେ, ଛାତ୍ରଛାତ୍ରୀ ଓ ସେମାନଙ୍କର ଅଭିଭାବକମାନେ ସରକାରୀ ସ୍କୁଲ ଉପରୁ ଆସ୍ଥା ହରାଇ ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲ୍‌ ଗୁଡ଼ିକ ପ୍ରତି ଆକୃଷ୍ଟ ହେଉଛନ୍ତି। ଏହା ଉଦ୍‌ବେଗର ବିଷୟ। ସେଥିପାଇଁ କିପରି ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ଆସ୍ଥା ସରକାରୀ ସ୍କୁଲ୍‌ଗୁଡିକ ଫେରି ପାଇବେ ତାହା ଉଠାଇ ସରକାରୀ ସ୍ତରରେ ଗୁରୁତ୍ୱ ଦିଆଯିବ।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ,ବିଭାଗର ନୋଡାଲ୍‌  ଅଫିସରମାନଙ୍କୁ ବିଦ୍ୟାଳୟ ପରିଦର୍ଶନ ବେଳେ ଅଭିଭାବକମାନଙ୍କ ସହ ସଂପୃକ୍ତ ବିଦ୍ୟାଳୟର ସମସ୍ୟା ଏବଂ ଛାତ୍ରଛାତ୍ରୀମାନଙ୍କ ଆବଶ୍ୟକତା ସଂପର୍କରେ ଆଲୋଚନା କରିବାକୁ ନିର୍ଦ୍ଦେଶ ଦିଆଯାଉଛି।

ରାଜ୍ୟର ସରକାରୀ ସ୍କୁଲଗୁଡ଼ିିକରେ ଛାତ୍ରଛାତ୍ରୀମାନେ ଇଂରାଜୀ ଭାଷାରେ ଭଲ କରୁନାହାନ୍ତି ବୋଲି ସ୍ୱୀକାର କରି ଶ୍ରୀ ଦାଶ କହିଛନ୍ତି ଯେ,ଗତ ମାଟ୍ରିକ୍‌ ପରୀକ୍ଷାରେ ପ୍ରାୟ ୧ଲକ୍ଷ ୬୩ ହଜାର ପରୀକ୍ଷାର୍ଥୀ ଅକୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୬୦ ହଜାର ଛାତ୍ରଛାତ୍ରୀ ଇଂରାଜୀ ବିଷୟରେ ‘ଫେଲ୍‌’ ହୋଇଛନ୍ତି। ଏଥିପାଇଁ ଇଂରାଜୀ ପେପର୍‌ରେ କିପରି ଛାତ୍ରଛାତ୍ରୀମାନେ ଭଲ କରିବେ,ସେ ଦିଗରେ ଉଦ୍ୟମ କରିବାକୁ ଶିକ୍ଷକ ଓ ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

File Photo (Planet Odisha)

ଛାତ୍ରଛାତ୍ରୀମାନେ କିପରି ଇଂରାଜୀରେ ସାବଲୀଳ ଭାବେ କଥା କହିପାରିବେ,ସେଥିପାଇଁ ୧୦୦ ସରକାରୀ ସ୍କୁଲ୍‌ରେ ‘ସ୍ପୋକନ୍‌ ଇଂଲିଶ୍‌’ ପାଠ୍ୟକ୍ରମ ଖୋଳାଯିବ। ପ୍ରଥମ ପର୍ଯ୍ୟାୟରେ ଚଳିତ ବର୍ଷ ପ୍ରତି ଜିଲ୍ଲାର ୫ଟି ଲେଖାଏଁ ସ୍କୁଲ୍‌ରେ ଏହି ପାଇଲଟ୍‌ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି।

ଯେଉଁ ସ୍କୁଲଗୁଡିକରେ ଛାତ୍ରଛାତ୍ରୀ ସଂଖ୍ୟା କମ୍‌ ରହୁଛି, ସେଗୁଡିକୁ ନିକଟତମ ସ୍କୁଲରେ ମିଶାଇ ଦିଆଯାଇ ପାଠପଢା ଦିଗ ପ୍ରତି ଅଧିକ ଦୃଷ୍ଟି ଦିଆଯିବ ବୋଲି ଶ୍ରୀ ଦାଶ କହିଛନ୍ତି।ଶିକ୍ଷକମାନଙ୍କୁ ଶିକ୍ଷାଦାନ ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟରେ ନିୟୋଜିତ କରାଯାଉଥିବାରୁ ଶିକ୍ଷାଦାନ ବ୍ୟାହତ ହେଉଥିବାରୁ ଲକ୍ଷ୍ୟ କରାଯାଉଛି ବୋଲି ପ୍ରକାଶ କରି ମନ୍ତ୍ରୀ ଶ୍ରୀ ଦାଶ କହିଲେ ଯେ, ଶିକ୍ଷକମାନଙ୍କୁ ଅନ୍ୟକାମରୁ ନିବୃତ୍ତ କରାଯାଇ ଶିକ୍ଷା ଦାନ ଉପରେ ସଂପୂର୍ଣ୍ଣ ମନୋନିବେଶ କରିବା ପାଇଁ କୁହାଯାଇଛି। ଶିକ୍ଷା ଅଧିକାରୀ ମଧ୍ୟ ବିଦ୍ୟାଳୟ ପରିଦର୍ଶନ ସାଂଗକୁ ଶିକ୍ଷା ଦାନ କରିବେ।

ଖାଲି ପଡ଼ିଥିବା ଶିକ୍ଷକ ପଦବୀ ଖୁବ୍‌ ଶୀଘ୍ର ପୂରଣ କରାଯିବ ବୋଲି ପ୍ରକାଶ କରି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଲେ ଯେ,ପ୍ରାଥମିକ ଶିକ୍ଷକମାନଙ୍କର କ୍ୟାଡ଼ର ପୁନଃବିନ୍ୟାସ କରାଯିବ। ପ୍ରଧାନ ଶିକ୍ଷକଙ୍କ ପଦୋନ୍ନତି ମାମଲା ହାଇକୋର୍ଟରେ ବିଚାରଧୀନ ରହିଛି। ତାହାର ଫଇସଲା ତ୍ୱରାନ୍ଵିତ କରିବାକୁ ଅନୁରୋଧ କରି ହାଇକୋର୍ଟରେ ଏକ ରିଟ୍‌ ଆବେଦନ ଦାଏର ହୋଇଛି।

କେତେ ଯୁକ୍ତ ଦୁଇ ବିଦ୍ୟାଳୟ ସ୍ତରରେ କେତେ ଶିକ୍ଷକ ପଦ ଖାଲି ପଡିଛି ତାର ତାଲିକା ଓଡ଼ିଶା ପବ୍ଲିକ୍‌ ସର୍ଭିସ କମିଶନଙ୍କୁ ମାସକ ମଧ୍ୟରେ ଦିଆଯାଇ ଖାଲି ପଦରେ ଶିକ୍ଷକ ନିଯୁକ୍ତ ପାଇଁ ଅନୁରୋଧ କରାଯିବ ବୋଲି ସେ କହିଛନ୍ତି। ଖୁବ୍‌ ଶୀଘ୍ର ୩ହଜାର ବିଜ୍ଞାନ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ରାଜ୍ୟରେ ପ୍ରତିଷ୍ଠିତ ୧୩୨ ଆଦର୍ଶ ବିଦ୍ୟାଳୟଙ୍କୁ ଅଧିକ କ୍ରିୟାଶୀଳ କରାଯିବ ବୋଲି ଶ୍ରୀ ଦାଶ କହିଥିଲେ।

ରାଜ୍ୟରେ ଯେତେ ସରକାରୀ କର୍ମଚାରୀ ଅଛନ୍ତି, ତାର ୬୦ ପ୍ରତିଶତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଶିକ୍ଷକ ଓ କର୍ମଚାରୀ । ସେମାନଙ୍କ ସହଯୋଗରେ ସରକାରୀ ସ୍କୁଲଗୁଡିକୁ ଅଧିକ କ୍ରିୟାଶୀଳ କରାଯାଇପାରିବ ବିଭାଗୀୟ ମନ୍ତ୍ରୀ ଆଶା ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର