ଭୁବନେଶ୍ୱର : କୋଭିଡର ନୂଆ ପ୍ରଜାତି ଓମିକ୍ରନ ସମ୍ପର୍କରେ ଲୋକଙ୍କୁ ସତର୍କ କରାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଜନସାଧାରଣଙ୍କ ସହଯୋଗରେ କୋଭିଡର ପ୍ରଥମ ଓ ଦ୍ବିତୀୟ ଲହରୀକୁ ଓଡିଶା ସଫଳ ଭାବରେ ମୁକାବିଲା କରିପାରିଛି। ବର୍ତ୍ତମାନ ଓମିକ୍ରନ ତା’ର କାୟା ବିସ୍ତାର କରୁଛି। ତେଣୁ ଜନସାଧାରଣ ସତର୍କ ରହି କୋଭିଡ ନିୟମ ପାଳନ କରନ୍ତୁ। ସମସ୍ତେ ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା, ସାମାଜିକ ଦୂରତ୍ବ ରକ୍ଷା କରିବା ଓ ଅତି ଆବଶ୍ୟକ ନ ହେଲେ ଭିଡ଼କୁ ନ ଯିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ଅପରପକ୍ଷେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ବୁଧବାର ଦିନ ବିଭିନ୍ନ ଜିଲ୍ଲାର କୋଭିଡ ସ୍ଥିତି ନେଇ ସମୀକ୍ଷା କରି କହିଛନ୍ତି ଯେ ଓମିକ୍ରନ୍ର ସଂକ୍ରମଣ ହାର ଅଧିକ ଏବଂ କୋଭିଡର ଏହି ରୂପାନ୍ତରିତ ଭାଇରସ୍ ବିଷୟରେ ଦୈନିକ ନୂତନ ଅଧ୍ୟୟନ ତଥ୍ୟ ଆସୁଛି। ତେଣୁ ନିଜର ସୁରକ୍ଷା ପାଇଁ ୧୮ବର୍ଷରୁ ଉର୍ଦ୍ଧ୍ବସମସ୍ତ ବ୍ୟକ୍ତି ଶୀଘ୍ର କୋଭିଡ ଟିକା ନେଇଯିବା ଜରୁରୀ। ଏଥିପାଇଁ ଜାନୁଆରି ୧୫ସୁଦ୍ଧା ଶତପ୍ରତିଶତ ଟିକାକରଣ ନିମନ୍ତେ ଲକ୍ଷ୍ୟଭେଦୀ ଗ୍ରାମୱାରି କାର୍ଯ୍ୟକ୍ରମ କରିବାକୁ ମୁଖ୍ୟ ସଚିବ ସମସ୍ତ ଜିଲ୍ଲାପାଳ, ସ୍ବାସ୍ଥ୍ୟ ଅଧିକାରୀ, ଟିକାକରଣ ଟିମ୍, ବ୍ଲକ୍ ଓ ପଞ୍ଚାୟତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସେହିପରି ବିଭିନ୍ନ ରାଜ୍ୟରେ ବଢ଼ୁଥିବା ଓମିକ୍ରନ୍ ସ୍ଥିତି ଦୃଷ୍ଟିରୁ ସମସ୍ତ ସରକାରୀ ହସ୍ପିଟାଲରେ ଯଥେଷ୍ଟ ଔଷଧ, ଅକ୍ସିଜେନ୍ ସିଲିଣ୍ଡର, ଶଯ୍ୟା, ଆଇସିୟୁ, ଭେଣ୍ଟିଲେଟର ଓ ଆନୁଷଙ୍ଗିକ ଚିକିତ୍ସା ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଘରୋଇ ହସ୍ପିଟାଲଗୁଡ଼ିକ ସହ ଯୋଗାଯୋଗ କରି ଯେକୌଣସି ସମୟରେ ସେମାନଙ୍କର ସହଯୋଗ ନିଆଯିବ ଏବଂ ଏଥିପାଇଁ ସେମାନେ ପ୍ରସ୍ତୁତ ରହିବା ନେଇ ଆଗୁଆ ଜଣାଇବା, ହସ୍ପିଟାଲଗୁଡ଼ିକରେ ଅକ୍ସିଜେନ୍ ପ୍ଲାଣ୍ଟ୍ଗୁଡ଼ିକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ ରଖିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି।
ତ୍ବରାନ୍ବିତ ଟିକାକରଣ ପାଇଁ ଗ୍ରାମୱାରି ଟିକାକରଣ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବା ସହ ଗ୍ରାମପଞ୍ଚାୟତ, ୱାର୍ଡମେମ୍ବର, ଅଙ୍ଗନୱାଡି, ଆଶାକର୍ମୀ ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ମାଧ୍ୟମରେ ଆଗୁଆ ଗ୍ରାମବାସୀଙ୍କୁ ଜଣାଇବେ।
ଏହି ଅବସରରେ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ୍ୟର କୋଭିଡ ସ୍ଥିତି ବିଷୟ ଉପସ୍ଥାପନ କରିବା ସହ କହିଛନ୍ତି ଯେ, ସମଗ୍ର ରାଜ୍ୟରେ ଦୈନିକ କୋଭିଡ ନମୁନା ପରୀକ୍ଷା ୭୦ହଜାର ପର୍ଯ୍ୟନ୍ତ ବଢ଼ାଇବାକୁ ହେବ। ଏଥିପାଇଁ ଜିଲ୍ଲାୱାରି ଦୈନିକ ନମୁନା ପରୀକ୍ଷା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ବହୁ ଲୋକଙ୍କ ସଂସ୍ପର୍ଶରେ ଆସୁଥିବା ବୁଲା ବିକାଳୀ, ଡେଲିଭରି ବୟ, ଦୋକାନୀ, ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ, ବିବାହ ଓ ଅନ୍ତ୍ୟେଷ୍ଟି ଆଦି କର୍ମରେ ଯୋଗ ଦେଉଥିବା ଲୋକମାନଙ୍କର ନମୁନା ପରୀକ୍ଷା କରାଇବା ପାଇଁ ସ୍ବାସ୍ଥ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିବାହ, ବ୍ରତ ଓ ଅନ୍ତ୍ୟେଷ୍ଟି କ୍ରିୟା ଆଦିରେ ଅଂଶଗ୍ରହଣ ନିମନ୍ତେ ନିର୍ଦ୍ଧାରିତ ସଂଖ୍ୟାର ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ଜିଲ୍ଲାପାଳ, ପୁଲିସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବଜାର, ଶିଳ୍ପାଞ୍ଚଳ, ବସ୍ଷ୍ଟାଣ୍ଡ ଓ ଭିଡ଼ ସ୍ଥାନଗୁଡ଼ିକରେ ପ୍ରତୀକାତ୍ମକ ନମୁନା ପରୀକ୍ଷା ସହ ପ୍ରତି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ସୁବିଧା ସହ ଆର୍ଟିପିସିଆର୍ ଟେଷ୍ଟ ନିମନ୍ତେ ନମୁନା ସଂଗ୍ରହ ବ୍ୟବସ୍ଥା କରିବାକୁ କୁହାଯାଇଛି।
ଓମିକ୍ରନ୍ ସ୍ଥିତିରେ ବାହାର ରାଜ୍ୟରୁ ବହୁ ଲୋକ ଓଡ଼ିଶା ଫେରି ଆସିବାର ସମ୍ଭାବନା ଥିବାରୁ ପ୍ରତି ଜିଲ୍ଲାରେ ଆବଶ୍ୟକ ସଂଖ୍ୟକ ଏକାନ୍ତବାସ କେନ୍ଦ୍ର ଚିହ୍ନଟ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ଏହାସହ କୁହାଯାଇଛି ଯେ, ବିଦେଶରୁ ଆସୁଥିବା ବ୍ୟକ୍ତିମାନଙ୍କର ଆର୍ଟିପିସିଆର୍ ଟେଷ୍ଟ, ୭ଦିନ ଏକାନ୍ତବାସ, ପୁନଶ୍ଚ ଆର୍ଟିପିସିଆର୍ ଟେଷ୍ଟ ଉପରେ ଆଲୋଚନା ହୋଇଥିଲା। ବିଦେଶାଗତ ଲୋକମାନଙ୍କର ପ୍ରଥମ ପରୀକ୍ଷାରେ ନେଗେଟିଭ୍ ଫଳାଫଳ ହେଲେ ବି ୭ଦିନ ଏକାନ୍ତବାସ ଏବଂ ୭ଦିନ ଶେଷରେ ୮ମ ଦିନ ପୁନଶ୍ଚ ପରୀକ୍ଷା କରାଯିବ।
ଏହି ବୈଠକରୁ ଜଣାପଡ଼ିଛି ଯେ, ବର୍ତ୍ତମାନ ସୁଦ୍ଧା ପ୍ରାୟ ୯୯.୮% ସ୍ବାସ୍ଥ୍ୟସେବା କର୍ମୀ ଏବଂ ଆଗ ଧାଡ଼ିର କର୍ମୀମାନେ ଟିକା ନେଇସାରିଛନ୍ତି। ୧୮ରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତିମାନଙ୍କ ମଧ୍ୟରୁ ପ୍ରାୟ ୮୮.୨% ପ୍ରଥମ ଡୋଜ୍ ଏବଂ ସେମାନଙ୍କ ମଧ୍ୟରୁ ୮୬% ଦ୍ବିତୀୟ ଡୋଜ୍ ଟିକା ନେଇସାରିଛନ୍ତି।
ଏହି ବୈଠକରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ, ଓଡ଼ିଶା ଭେଷଜ ନିଗମର ପରିଚାଳନା ନିର୍ଦ୍ଦେଶକ ଯାମିନୀ ଷଡଙ୍ଗୀଙ୍କ ସମେତ ସ୍ବାସ୍ଥ୍ୟ ବିଶେଷଜ୍ଞ, ଜିଲ୍ଲାପାଳମାନେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଉପସ୍ଥିତ ଥିଲେ।