ଭୁବନେଶ୍ବର: ରାଜ୍ୟର ସବୁଠାରୁ ବଡ଼, ବ୍ୟକ୍ତିଗତ ମହିଳାକୈନ୍ଦ୍ରିକ ‘ସୁଭଦ୍ରା’ ଯୋଜନାକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭାରମ୍ଭ କରିଛନ୍ତି। ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ସୁଇଚ୍ ଟିପି ରାଜ୍ୟର ୨୫ଲକ୍ଷ ୧୧ହଜାର ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତିର ଅର୍ଥ ପ୍ରଦାନ କରିଛନ୍ତି। ଯେଉଁ ମହିଳାମାନଙ୍କ ଆକାଉଣ୍ଟକୁ ପୂର୍ବରୁ ୧ଟଙ୍କା ପଠାଯାଇଥିଲା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୪୯୯୯ଟଙ୍କା ଏବଂ ଅନ୍ୟମାନଙ୍କ ଆକାଉଣ୍ଟକୁ ୫ହଜାର ଟଙ୍କା ପ୍ରଦାନ କରାଯାଇଛି। ଏହିପରି ଆଜି ୧୨୫୦କୋଟି ୫୫ହଜାର ଟଙ୍କା ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଛି।

Advertisment

ଆଜି ଜନତା ମଇଦାନରେ ପ୍ରଧାନମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିବା ଅବସରରେ କହିଥି‌େଲ, ଏଠାରେ ମହାପ୍ରଭୁ ଜଗନ୍ନାଥଙ୍କ ସହିତ ଦେବୀ ସୁଭଦ୍ରାଙ୍କ ଉପସ୍ଥିତି ଆମକୁ ନାରୀ ସଶକ୍ତୀକରଣ ବିଷୟରେ କହିଥାଏ। ଯେକୌଣସି ରାଷ୍ଟ୍ର ସେତିକିବେଳେ ଦ୍ରୁତ ଗତିରେ ଆଗକୁ ବଢ଼ିଥାଏ ଯେତେବେଳେ ଏହାର ଅଧା ଜନସଂଖ୍ୟା ଅର୍ଥାତ୍ ମହିଳା ଶକ୍ତିଙ୍କ ସମାନ ଭାଗିଦାରୀ ରହିଥାଏ। ମହିଳାଙ୍କ ଉନ୍ନତି ଏବଂ ସେମାନଙ୍କ ସଶକ୍ତୀକରଣ ହିଁ ଓଡ଼ିଶା ବିକାଶର ମୂଳମନ୍ତ୍ର ହେବ। ମା’ ସୁଭଦ୍ରାଙ୍କ ନିକଟରେ ପ୍ରାର୍ଥନା କରୁଛି ଏହି ଯୋଜନା ମା’ ଓ ଭଉଣୀମାନଙ୍କୁ ସଶକ୍ତ କରୁ। ଡବଲ ଇଞ୍ଜିନ ସରକାର ଓଡ଼ିଶାକୁ ବିକାଶର ନୂଆ ଶିଖରରେ ପହଞ୍ଚାଇବ। 

ଜନସଭାକୁ ସମ୍ବୋଧନ କରି ମୋଦୀ କହିଥିଲେ, ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ଦ୍ରୁତ ଗତିରେ ପୂରଣ ହେଉଥିବାରୁ ଖୁସି ଲାଗୁଛି। ଆମେ କହିଥିଲୁ ଓଡ଼ିଶାରେ ଆମ ସରକାର ଗଠନ ହେଲେ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବୁ, ରତ୍ନ ଭଣ୍ଡାର ମଧ୍ୟ ଖୋଲିବୁ। ଆମେ ଆମ ପ୍ରତିଶ୍ରୁତି ପାଳନ କଲୁ। ଓଡ଼ିଶାର ନୂଆ ସରକାର ସାଧାରଣ ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟାର ସମାଧାନ ପାଇଁ  ପ୍ରଚେଷ୍ଟା କରୁଥିବାରୁ ସେ ମୁଖ୍ୟମନ୍ତ୍ରୀ ଓ ଓଡ଼ିଶା ସରକାରଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ। 

ଏକ ବିକଶିତ ରାଜ୍ୟ ପାଇଁ ଓଡ଼ିଶା ପାଖରେ ସବୁ ଅଛି ବୋଲି ଉଲ୍ଲେଖ କରି ମୋଦୀ କହିଥିଲେ , ଏହାର ଯୁବବର୍ଗଙ୍କ ପ୍ରତିଭା, ମହିଳାଙ୍କ ଶକ୍ତି, ପ୍ରାକୃତିକ ସମ୍ପଦ, ଶିଳ୍ପ ପାଇଁ ସୁଯୋଗ, ପର୍ଯ୍ୟଟନର ପ୍ରଚୁର ସମ୍ଭାବନା ରହିଛି। ଗତ ୧୦ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଓଡ଼ିଶାକୁ ସବୁବେଳେ ଏକ ପ୍ରମୁଖ ପ୍ରାଥମିକତା ଭାବେ ଦେଖି ଆସିଛନ୍ତି। ୨୦୧୪ ପୂର୍ବରୁ ଓଡ଼ିଶା ‌କେନ୍ଦ୍ରରୁ ଯେତିକି ଅନୁଦାନ ପାଉଥିଲା ଏହି ୧୦ବର୍ଷରେ କେନ୍ଦ୍ରରୁ ତିନି ଗୁଣ ଅଧିକ ଅନୁଦାନ ପାଉଛି। ପୂର୍ବ ସରକାର କେନ୍ଦ୍ରର କେତେକ ଯୋଜନା ଲାଗୁ କରୁନଥିଲା। କିନ୍ତୁ ଏବେ ସବୁ ଯୋଜନା ଲାଗୁ ହେବ। ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ହେବ। ଲୋକଙ୍କୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ମିଳିବ। ୭୦ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ବରିଷ୍ଠ ନାଗରିକଙ୍କୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ମିଳିବ। ସେହିପରି ଓଡ଼ିଶାରେ ବସବାସ କରୁଥିବା ଦଳିତ, ବଞ୍ଚିତ ଓ ଆଦିବାସୀ ସମ୍ପ୍ରଦାୟ ଦାରିଦ୍ର୍ୟ ବିରୋଧୀ ଅଭିଯାନର ସବୁଠାରୁ ବଡ଼ ହିତାଧିକାରୀ। 

ପ୍ରଧାନମନ୍ତ୍ରୀ କହିଥିଲେ, ପ୍ରଚୁର ଖଣିଜ ଓ ପ୍ରାକୃତିକ ସମ୍ପଦରେ ଭରପୂର ଓଡ଼ିଶାର ସୁଦୀର୍ଘ ବେଳାଭୂମିକୁ ଓଡ଼ିଶାର ଶକ୍ତିରେ ପରିଣତ କରାଯିବା ଉଚିତ। ଆଗାମୀ ୫ବର୍ଷରେ ଆମକୁ ଓଡ଼ିଶାର ସଡ଼କ ଓ ରେଳ ସଂଯୋଗକୁ ନୂଆ ଉଚ୍ଚତାରେ ପହଞ୍ଚାଇବାକୁ ପଡ଼ିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ୧୦୦ ଦିନ ମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ନିର୍ବାଚନ ପୂର୍ବରୁ ଆମେ ଯେଉଁ ପ୍ରତିଶ୍ରୁତି ଦେଇଥିଲୁ, ତାହାକୁ ଆଜି ୧୦୦ ଦିନ ମଧ୍ୟରେ ପୂରଣ କରିଛୁ। ସୁଭଦ୍ରା ଯୋଜନା ଆମ ରାଜ୍ୟ ପାଇଁ ସବୁଠାରୁ ବଡ଼ ଜନହିତକାରୀ ଯୋଜନା। ଏହା ଏକ ଯୁଗାନ୍ତକାରୀ ଓ ବୈପ୍ଳବିକ ଯୋଜନା। ଏହି ଯୋଜନା ପ୍ରତି ମା’ମାନଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳୁଛି। ସୁଭଦ୍ରା ଯୋଜନା ସେହି ସବୁ ମା’ ମାନଙ୍କୁ ସାହାଯ୍ୟ କରିବ, ଯେଉଁମାନଙ୍କ ପାଖରେ ଉଦ୍ୟମ ପାଇଁ ଆଗ୍ରହ ଅଛି, କିନ୍ତୁ ସେମାନଙ୍କ ହାତରେ ପୁଞ୍ଜି ନାହିଁ। ସୁଭଦ୍ରା ଯୋଜନା ଏଭଳି ମା’ମାନଙ୍କୁ ସେମାନଙ୍କ ସ୍ବପ୍ନ ପୂରଣ କରିବା ପାଇଁ ସାହାଯ୍ୟ କରିବ। ଏହି ଅର୍ଥକୁ ସେମାନେ ନିଜ ଆବଶ୍ୟକତା ଅନୁଯାୟୀ ବ୍ୟବହାର କରିପାରିବେ। 

ଏହା ସହ ସେ କହିଥିଲେ, ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଓଡ଼ିଶା ଏକ ବିକଶିତ ରାଜ୍ୟ ହେବା ପାଇଁ ଯାତ୍ରା ଆରମ୍ଭ କରିଛି। ୨୦୩୬ରେ ଯେତେବେଳେ ସ୍ୱତନ୍ତ୍ର ଓଡ଼ିଶା ଗଠନର ୧୦୦ ବର୍ଷ ପୂର୍ତ୍ତି ପାଳନ ହେବ, ସେତେବେଳେ ଆମର ଜିଏସ୍‌ଡିପି ୫୦୦ ବିଲିୟନ ଡଲାରରେ ପହଞ୍ଚିବ ଏବଂ ୨୦୪୭ ମସିହାରେ ଏହା ୧.୫ ଟ୍ରିଲିଅନ ଡଲାରରେ ପହଞ୍ଚିବ। ଓଡ଼ିଶା ‘ପୂର୍ବୋଦୟ’ରେ ସବୁଠାରୁ ଅଗ୍ରଣୀ ରାଜ୍ୟ ହେବ।

ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ, ରାଜ୍ୟରେ ଆଜି ସୁଦ୍ଧା  ସୁଭଦ୍ରା ଯୋଜନାରେ ୭୨ଲକ୍ଷ ମହିଳା ପଞ୍ଜୀକୃତ ହେଲେଣି। ଓଡ଼ିଶାର ମହିଳାମାନଙ୍କ ବିକାଶ ପାଇଁ ସୁଭଦ୍ରା ହେଉଛି ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ଗ୍ୟାରେଣ୍ଟି। ସୁଭଦ୍ରା ଯୋଜନା ବିକଶିତ ଓଡ଼ିଶାର ମୂଳପିଣ୍ଡ ହେବ। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଅନେକ ସାଂସଦ, ବିଧାୟକ ଓ ବରିଷ୍ଠ ନେତୃବୃନ୍ଦ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଓଡ଼ିଶାରେ ୨,୮୦୦ କୋଟି ଟଙ୍କାର ରେଳ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ୪ଟି ପ୍ରକଳ୍ପ ପାଇଁ ଭିତ୍ତି ରଖିଥିବା ବେଳେ ଆଉ ୪ଟି ପ୍ରକଳ୍ପର ଉଦ୍‌ଘାଟନ କରିଥିଲେ। ହଜାରେ କୋଟି ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପର ଶୁଭାରମ୍ଭ ମଧ୍ୟ କରିଥିଲେ। 

ଏହା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ସାରା ଦେଶର ୧୦ ଲକ୍ଷ ହିତାଧିକାରୀଙ୍କୁ ପକ୍କାଘର ପାଇଁ ପ୍ରଥମ କିସ୍ତି ପ୍ରଦାନ କରାଯାଇଥିଲା। ୧୫ ଲକ୍ଷ ଆବାସ ପାଇଁ ସ୍ୱୀକୃତିପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା। ଆବାସ ପ୍ଲସ ୨୦୨୪ ମୋବାଇଲ ଆପ୍‌ର ମଧ୍ୟ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିଥିଲେ। ‘ସୁଭଦ୍ରା’ ହିତାଧିକାରୀ କେନ୍ଦୁଝରର ଅଞ୍ଜଳି ବାରିକ, ରାୟଗଡ଼ାର ହୁଣ୍ଡାଡି ୱାଡକା, ବଲାଙ୍ଗୀରର ଅହଲ୍ୟା ବନଛୋର, ମୟୁରଭଞ୍ଜର ଭାରତୀ ମୁଣ୍ଡାକୁ ନିଜେ ପ୍ରଧାନମନ୍ତ୍ରୀ ସୁଭଦ୍ରା ଯୋଜନାର ସହାୟତା ରାଶି ପ୍ରଦାନ କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳ ପାଇଁ ଭୁବନେଶ୍ୱରର ଦୁର୍ଗାବତୀ ଭୋଇ ଓ ଶୁଭଶ୍ରୀ ମହାରଣା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ପାଇଁ କୋରାପୁଟର ବିଶ୍ୱନାଥ ପ୍ରଧାନୀ ଓ ସମ୍ବଲପୁରର ସୁରୁବାଲି କିଷାନଙ୍କୁ ଘରର ଚାବି ହସ୍ତାନ୍ତର କରିଥିଲେ।