‘ଅମ୍ଫାନ’କୁ ଦୃଷ୍ଟିରେ ପାରାଦୀପ ବନ୍ଦରରେ ସମସ୍ତ କାର୍ଯ୍ୟ ବାତିଲ୍‌

୨୦ ଜାହାଜ ଆଙ୍କରେଜରୁ ଗଭୀର ସମୁଦ୍ରକୁ ଫେରିଲେ

ଜଗତସିଂହପୁର : ‘ଅମ୍ଫାନ’କୁ ଦୃଷ୍ଟିରେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଆବଶ୍ୟକ ସତର୍କତା ଗ୍ରହଣ କରିଛନ୍ତି। ଆଜି ସନ୍ଧ୍ୟା ୬ଟା ପରଠାରୁ ବନ୍ଦର ମଧ୍ୟରେ ସମସ୍ତ କାର୍ଯ୍ୟକୁ ବାତିଲ କରାଯାଇଛି। ପଣ୍ୟ ଖଲାସ ପାଇଁ ଆଙ୍କରେଜରେ ଅପେକ୍ଷା କରି ରହିଥିବା ୨୦ଟି ଜାହାଜକୁ ଗଭୀର ସମୁଦ୍ରକୁ ପଠାଇ ଦିଆଯାଇଛି।

ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗ ଶାସନ ସଚିବ ହେମନ୍ତ ଶର୍ମା ଜଗତସିଂହପୁର ଜିଲ୍ଲା ଗସ୍ତ କରି ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ତଳିଆ ଅଂଚଳରୁ ଲୋକମାନଙ୍କୁ ଆଶ୍ରୟସ୍ଥଳକୁ ଆଣିବା, ସେଠାରେ ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ଓ ସାନିଟାଇଜର ବ୍ୟବହାର କରିବା ଉପରେ ଶ୍ରୀ ଶର୍ମା ଗୁରୁତ୍ବ ଦେଇଛନ୍ତି। ଜିଲ୍ଲାର ବାଲିକୁଦା, ଏରସମା, କୁଜଙ୍ଗ ବ୍ଲକର ୫୨ଟି ପଂଚାୟତ ଓ ପାରାଦୀପ ପୌରପାଳିକା ବାତ୍ୟାରେ ପ୍ରଭାବିତ ହେବା ଆକଳନ କରାଯାଉଛି। ବାତ୍ୟା ପରବର୍ତୀ ସମୟରେ ଲୋକମାନଙ୍କୁ ରିଲିଫ୍, ପାନୀୟ ଜଳ, ରାସ୍ତା ସଫା, ବିଦ୍ୟୁତ ସେବାକୁ ସୁବନ୍ଦୋବସ୍ତ କରିବା, ଗୋଖାଦ୍ୟ ମହଜୁଦ ଓ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଉପରେ ଗୁରୁତ୍ବ ଦିଆଯାଇଛି। ବାତ୍ୟା ପରେ ସମସ୍ତ ଯୋଗଯୋଗ ସେବା ବିଚ୍ଛିନ୍ନ ହେଉଥିବାରୁ ପାରାଦୀପ, ଏରସମା ଓ କୁଜଙ୍ଗରେ ୩ଟି ଅସ୍ଥାୟୀ ସେଲ୍‌ୱାନ୍‌ ଅନ୍‌ ହୁଇଲ ରଖିବା ପାଇଁ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ୪୨ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଓ ୫୪୨ଟି ସ୍କୁଲ ଗୃହ ଚିହ୍ନଟ କରାଯାଇଛି। ଆସନ୍ତାକାଲିଠାରୁ ପ୍ରଭାବିତ ହେବାକୁ ଥିବା ବ୍ଲକ୍‌ଗୁଡ଼ିକରୁ ତଳିଆ ଅଂଚଳରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି।

ଏହାସହ ୬,୨୬୪ଟି ପଲିଥିନ୍ ସିଟ୍ ଜିଲ୍ଲା କାର୍ଯ୍ୟାଳୟ ଓ ତହସିଲରେ ମହଜୁଦ ରଖାଯାଇଛି। ପାରାଦୀପରେ ୫୦ ହଜାର ଶୁଖିଲା ଖାଦ୍ୟ ପ୍ୟାକେଟ୍ ପ୍ରସ୍ତୁତ କରି ରଖାଯିବ ସହ ବିଭିନ୍ନ ବ୍ଲକରେ ୧୬ ହଜାର ଲିଟର କିରାସିନି ଏବଂ ୩ଟି ଗୋଦାମରେ ୧୪୦୦୩.୨୯ କୁଇଣ୍ଟାଲ ଚାଉଳ ମହଜୁଦ ରଖାଯାଇଛି। ବିଦ୍ୟୁତ ସରବରାହକୁ ସୁଗମ କରିବା ପାଇଁ ୮୫୦ଟି ବିଦ୍ୟୁତ ଖୁଣ୍ଟ, ୨୦୦ ଗ୍ୟାଙ୍ଗ୍ମ୍ୟାନଙ୍କୁ ସଜାଗ ରଖିବା, ୪୬ଟି ଟ୍ୟାଙ୍କର, ୨୦ଟି ଜେନେରେଟର ଓ ୨୯ଟି ଭ୍ରାମ୍ୟମାଣ ମରାମତି ଟିମ୍ ପ୍ରସ୍ତୁତ କରି ରଖାଯାଇଛି। ସେହିପରି ୬ ଲକ୍ଷ ୯୮ ହଜାର ଓଆରଏସ୍‌ ପ୍ୟାକେଟ୍, ୪୫ ହଜାର ହାଲୋଜେନ୍ ଟାବଲେଟ୍, ୭,୫୦୫ ସାପ କାମୁଡ଼ା ଇଂଜେକ୍ସନ ମହଜୁଦ୍‌ ରଖାଯିବ ସହ ୮ଟି ଭ୍ରାମ୍ୟାମାଣ ଭେଟେନାରୀ ଟିମ୍‌କୁ ସଜାଗ ରଖାଯାଇଛି। ତୁରନ୍ତ ରାସାଘାଟ ସଫା କରିବା ପାଇଁ ୨୩ଟି ଜେସିବି ମେସିନ ଓ ଆବଶ୍ୟକ ସଂଖ୍ୟକ ଗଛକଟା ଯନ୍ତ୍ର ରଖାଯାଇଛି। ୩ଟି ଓଡ୍ରାଫ୍ ଟିମ ମଧ୍ୟରୁ ପାରାଦୀପରେ ୨ଟି ଟିମ୍ ରହିଛନ୍ତି। ସେମାନଙ୍କ ପାଖରେ ୨୨ଟି ଓ ଅଗ୍ନିଶମ ବିଭାଗ ନିକଟରେ ୨୫ଟି ଗଛକଟା ଯନ୍ତ୍ର ରହିଛି। ୫ଟି ଅଗ୍ନିଶମ ଟିମ୍‌ ଏରସମା ଓ ପାରାଦୀପକୁ ପଠାଯାଇଛି। ପାରାଦୀପ ସହରରେ ଯେପରି ପାଣି ଜମା ହୋଇ ନରୁହେ ସେଥିପାଇଁ ସମସ୍ତ ଡ୍ରେନଗୁଡିକୁ ସଫା କରାଯାଇଛି। ବୈଠକରେ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ଶାସନ ସଚିବ ସୁରେଶ ଚନ୍ଦ୍ର ଦଳାଇ, ଏସ୍‌ପି ପ୍ରକାଶ ରଙ୍ଗରାଜ, ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ, ନିବେଦିତା ମିଶ୍ର, ପ୍ରକଳ୍ପ ନିେର୍ଦ୍ଦଶକ ସରୋଜକାନ୍ତ ମହାନ୍ତି, ଉପଜିଲ୍ଳାପାଳ ଧର୍ମେନ୍ଦ୍ର ମଲ୍ଲିକ, ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର