ଝାରସୁଗୁଡ଼ା ବ୍ୟାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ। ଘର ବନ୍ଧକ ରଖି ଋଣ ନେଇଥିବା ହିତାଧିକାରୀଙ୍କଠାରୁ ସୁଧ ସହିତ ଟଙ୍କା ଫେରସ୍ତ ନେଲା। ତଥାପି ବନ୍ଧକ ଥିବା ଘରକୁ ନିଲାମ କରିଦେଲା। ଏବେ ବ୍ୟାଙ୍କ ନେଇଥିବା ଟଙ୍କା ଫେରାଉନି କି ନିଲାମ ହୋଇଥିବା ଘର ବି ମିଳୁନି। ଝାରସୁଗୁଡ଼ା‌ ବନ୍ଧବାହାଲର ଜଣେ ମହିଳା ଏଭଳି ଠକେଇର ଶିକାର ହେବା ପରେ ଆଜି ବ୍ୟାଙ୍କ ବିରୋଧରେ ଅଭିଯୋଗ ପାଇଁ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ।

Advertisment

ଅଭିଯୋଗ ଅନୁସାରେ, ବନ୍ଧବାହାଲର ପୁଷ୍ପାଞ୍ଜଳି ପଧାନଙ୍କ ସ୍ବାମୀ ଡିଲେଶ୍ବର ବ୍ୟବସାୟ ଉଦ୍ଦେଶ୍ୟରେ ୨୦୧୭ ମସିହାରେ ବ୍ୟାଙ୍କ ଅଫ୍‌ ବରୋଦା ବେଲପାହାଡ଼ ଶାଖାରୁ ୨୦ ଲକ୍ଷ ୭୦ ହଜାର ଟଙ୍କା ଋଣ ନେଇଥିଲେ। ପ୍ରାୟ ୩ ଲକ୍ଷ ଟଙ୍କା ପରିଶୋଧ କରିବା ପରେ ୩ ମାସ ଋଣ କିସ୍ତି ଦେଇ ପାରି ନଥିଲେ। ଫଳରେ ବ୍ୟାଙ୍କ ଉକ୍ତ ଆକାଉଣ୍ଟକୁ ଏନ୍‌ପିଏ ଘୋଷଣା କରି ବନ୍ଧକ ଥିବା ଘର ନିଲାମ କରିବାକୁ ବ୍ୟାଙ୍କ ନୋଟିସ ଦେଇଥିଲା। ଉକ୍ତ ନୋଟିସ ପରେ ଶ୍ରୀ ପଧାନ ବ୍ୟାଙ୍କକୁ ଯାଇ ମାମଲା ରଫାଦଫା କରିବାକୁ କହିଥିଲେ। ତେବେ ଏକାବେଳକେ ନେଇଥିବା ୨୦ ଲକ୍ଷ ଟଙ୍କା ଜମା ହେଲେ ନିଲାମ ବନ୍ଦ ହେବା ସହ ପଟ୍ଟା ଫେରିପାଇବେ ବୋଲି କୁହାଯାଇଥିଲା। ଏହାପରେ ଶ୍ରୀ ପଧାନ ପ୍ରଥମେ ୪ ଲକ୍ଷ, ପରେ ୧୬ ଲକ୍ଷ କରି ଟଙ୍କା ଜମା ଦେଇଥିଲେ।

ମାତ୍ର ହଠାତ୍‌ ଗତମାସରେ ବ୍ୟାଙ୍କ କର୍ତ୍ତୃପକ୍ଷ ଦିନକ ଭିତରେ ଘର ଖାଲି କରିବାକୁ ନୋଟିସ ଦେଇ ଗତମାସ ୪ ତାରିଖରେ ପୁଲିସ ଉପସ୍ଥିତିରେ ଘର ଖାଲି କରିଥିଲେ। ଏହା ପରଠାରୁ ସେ ବାରମ୍ବାର ବ୍ୟାଙ୍କକୁ ଧାଇଁବା ପରେ ବି କୌଣସି ସୁଫଳ ମିଳୁନି। ଟଙ୍କା ପରିଶୋଧ କରିଥିବା ସତ୍ତ୍ବେ ଘର ନିଲାମ କରିବାକୁ କିଭଳି ଯୋଜନା କରୁଛି ବ୍ୟାଙ୍କ ସେଥିନେଇ ଜିଲ୍ଲାପାଳଙ୍କଠାରେ ଫେରାଦ ହୋଇଛନ୍ତି। କେବଳ ସେତିକି ନୁହେଁ ବରଂ କମ୍‌ ଦରରେ ଏହି ଘର କିଣିବା ପାଇଁ କିଛି ଲୋକଙ୍କ ସହ ବ୍ୟାଙ୍କ କର୍ତ୍ତୃପକ୍ଷ ଡିଲ୍‌ କରିଥିବା ବି ସେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ବ୍ୟାଙ୍କ ଅଫ୍‌ ବରୋଦା ବେଲପାହାଡ଼ ଶାଖାର ଶାଖା ପରିଚାଳକଙ୍କୁ ଯୋଗାଯୋଗ କରିବାରେ ଅଭିଯୋଗକୁ ସତ ବୋଲି କହିଥିଲେ। ମାତ୍ର ଗ୍ରାହକଠାରୁ ନିଆଯାଇଥିବା ଟଙ୍କା ଅଢ଼େଇ ବର୍ଷ ହେବ ବ୍ୟାଙ୍କର ରିକଭରି ସେଲରେ ପଡ଼ି ରହିଥିବାରୁ ଟଙ୍କା ପାଇଁ ସେମାନଙ୍କୁ ଯୋଗାଯୋଗ ପାଇଁ ପରାମର୍ଶ ଦିଆଯାଇଥିବା ଶାଖା ପରିଚାଳକ ଉତ୍ତର ଦେଇଥିଲେ।