ଆର୍ଥିକ ଅନିୟମିତତା ଅଭିଯୋଗ : ଆୟକର ବିଭାଗର ରାଡାରରେ ବୈଜୟନ୍ତ

ଭୁବନେଶ୍ୱର : ଆର୍ଥିକ ଅନିୟମିତତା ନେଇ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ । ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଆୟକର ବିଭାଗ ନିକଟରେ ଏପରି ଏକ ଅଭିଯୋଗକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ବୈଜୟନ୍ତ ତାଙ୍କ ପତ୍ନୀ ଜାଗି ମଙ୍ଗତ ପଣ୍ଡା ଏବଂ ତାଙ୍କର ସହଯୋଗୀ ମଂଜୁଳା ଦେବୀଙ୍କ ନାଁରେ ମନି ଲଣ୍ଡରିଂକୁ ନେଇ ଏହି ଅଭିଯୋଗ ଆସିଛି ।

ସୂଚନା ମୁତାବକ ଗତ ଜାନୁଆରୀରେ ଆସିଥିବା ଏହି ଅଭିଯୋଗରେ କୁହାଯାଇଛି, ମନି ଲଣ୍ଡରିଂ ଆଇନ, ବ୍ଲାକ ମନି ଆଇନ ଏବଂ ଆୟକର ଆଇନକୁ ସେମାନେ ଉଲଙ୍ଘନ କରିଛନ୍ତି । ଅଭିଯୋଗ ଅନୁସାରେ, ମିଛ କମ୍ପାନୀ ଗଠନ କରି ଏମାନେ ୧୭ କୋଟି ୭୨ଲକ୍ଷ ଟଙ୍କା ବିଦେଶରୁ ହାସଲ କରିଛନ୍ତି । କିନ୍ତୁ ଏହି ଟଙ୍କା ପ୍ରକୃତରେ କେଉଁଠାରୁ ଆସୁଛି ତାର କୌଣସି ରେକର୍ଡ ନାହିଁ ବୋଲି ଅଭିଯୋଗ ହୋଇଛି । ଏହାପରେ ସେହି ଟଙ୍କାର ସେୟାରକୁ ଅତି କମ ମୁଲ୍ୟରେ ବୈଜୟନ୍ତ ପଣ୍ଡା ଓ ତାଙ୍କ ପତ୍ନୀ ଜାଗି ମଙ୍ଗତ ପଣ୍ଡାଙ୍କୁ ମିଳିଥିବା ଅଭିଯୋଗ ହୋଇଛି ।

ଜାତୀୟ ଗଣମାଧ୍ୟମ ଇଣ୍ଡିଆନ ଏକ୍ସପ୍ରେସରେ ଏହି ରିପୋର୍ଟ ପ୍ରକାଶ ପାଇଛି । ଇଣ୍ଡିଆନ ଏକ୍ସପ୍ରେସର ପ୍ରତିନିଧିମାନେ ଏହି ମାମଲାରେ ବୈଜୟନ୍ତ ପଣ୍ଡା ଓ ମଂଜୁଳା ଦେବୀଙ୍କୁ ପ୍ରଶ୍ନ କରିଥିଲେ । ବୈଜୟନ୍ତ ପଣ୍ଡା ଏହାର ଉତରରେ ତାଙ୍କୁ କହିଥିଲେ, ଏହି ଅଭିଯୋଗ ୨୦ ବର୍ଷ ପୁରୁଣା ଏବଂ ନିୟମ ଅନୁସାରେ ସବୁକିଛି କରାଯାଇଛି । ତେବେ ମଂଜୁଳା ଦେବୀ ଏହାର ପ୍ରତିକ୍ରିୟା ଦେଇ ଇଣ୍ଡିଆନ ଏକ୍ସପ୍ରେସ ପ୍ରତିନିଧିଙ୍କୁ କହିଥିଲେ ଯେଉଁ ମାମଲାରେ ସେ ପ୍ରଶ୍ନ କରୁଛନ୍ତି ସେ ଏଥିରେ ସମ୍ପୃକ୍ତ ନୁହଁନ୍ତି ।

ସମ୍ବନ୍ଧିତ ଖବର