ରାୟଗଡ଼ା: କାରରେ ୧୯୦ ପେଟି ମଦ ପରିବହନ ପାଇଁ ଅନୁମତି ଦେଇ ପୁଣି ଚର୍ଚ୍ଚାକୁ ଆସିଛି ରାଜ୍ୟ ପାନୀୟ ନିଗମ ରାୟଗଡ଼ା ଶାଖା। ଜାଲ୍ ଚାଲାଣରେ କାରକୁ ଭ୍ୟାନ୍ ଦର୍ଶାଇ ଏପରି ଚଞ୍ଚକତା କରିଛନ୍ତି ନିଗମ କର୍ତ୍ତୃପକ୍ଷ। ଚାନ୍ଦିଲି ପୁଲିସ ଯାଞ୍ଚ ସମୟରେ ଜାଲ୍ ଚାଲାଣ ଧରିବା ପରେ ଘଟଣାକୁ ଚପାଇ ଦେବା ପାଇଁ ଆରମ୍ଭ ହୋଇଛି ରଫାଦଫା।

Advertisment

ଆଜି ଓଡ଼ିଶା ରାଜ୍ୟ ପାନୀୟ ନିଗମ ରାୟଗଡା ଶାଖାରୁ ବୋଲେରୋ ପିକଅପ୍ ନଂ-ଓଡି୧୧ୟୁ-୦୬୧୯ ରେ   ଦେବଦୋଳା ଡିପୋରୁ ପଦ୍ମପୁର ଭେଣ୍ଡର ନିକଟକୁ ମଦ ପରିବହନ ପାଇଁ ଚାଲାଣ ବାହାରିଥିଲା। ଚାଲାଣ ନଂ-୩୩୮୦ଏ୯୩୮୧୮, ତା: ୧.୧୨.୨୦୨୨ ରେ ଜରିଆରେ ୩୦ ପେଟି ବିଦେଶୀ ମଦ (ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ୯୮ ହଜାର ୪୬୯ ଟଙ୍କା) ପଦ୍ମପୁରକୁ ଯାଉଥିଲା। ଚାନ୍ଦିଲି ପୁଲିସ୍ ଜେକେପୁର ଟ୍ରାଫିକ୍ ଛକରେ ଗାଡିକୁ ଅଟକାଇ ଯାଞ୍ଚ କରିବା ସମୟରେ ଡ୍ରାଇଭର ମଦ ପରିବହନ ସଂପର୍କିତ ଦୁଇଟି ଚାଲାଣ ପୁଲିସକୁ ଦେଖାଇଥିଲା। ଗୋଟିଏ ଚାଲାଣରେ ୩୦ ପେଟି ମଦ ପରିବହନ ପାଇଁ ଅନୁମତି ମିଳିଥିବା ଦ୍ବିତୀୟ ଚାଲାଣରେ ୧୯୦ ପେଟି ମଦ ରାୟଗଡ଼ାକୁ ପରିବହନ ପାଇଁ ଉଲ୍ଲେଖ ରହିଛି। ଉଭୟ ଚାଲାଣର ବୈଧତା ସଂଧ୍ୟା ୫ଟା ପର୍ଯ୍ୟନ୍ତ ରହିଥିବା ଉଲ୍ଲେଖ ଅଛି।

ଅନ୍ୟପକ୍ଷରେ ଡ୍ରାଇଭର ପୁଲିସକୁ ଦେଖାଇଥିବା ଦୁଇଟି ଚାଲାଣରେ ଗାଡି ନଂ ସମାନ୍ ଥିବା ବେଳେ ନିଗମ କର୍ତ୍ତୃପକ୍ଷ ଅତି ସତର୍କତାର ସହ ଦ୍ବିତୀୟ ଚାଲାଣରେ ଓଡି୧୧ୟୁ ବଦଳରେ ଓଡି୧୧ଏଚ୍ କରି ଚାଲାଣ ବାହାର କରିଛନ୍ତି। ଯାହାକୁ ନେଇ ପୁଲିସର ସନ୍ଦେହ ବଢ଼ିଥିଲା। ଦ୍ବିତୀୟ ଚାଲାଣକୁ ନେଇ ପୁଲିସ୍ ଛାନଭିନ୍ କରିବା ପରେ ଯାଞ୍ଚ ସମୟରେ ୧୯୦ ପେଟି ମଦ ପରିବହନ ପାଇଁ ଚାଲାଣ ମିଳିଥିବା ଓଡି୧୧ଏଚ୍-୦୬୧୯ ଗାଡି ମୟୁରଭଞ୍ଜ ଜିଲ୍ଲାର ଏକ କାର ନଂ ବୋଲି ଜଣା ପଡିଛି। ନିଗମ ପରିସରକୁ ମଦ ଲୋଡିଂ ଓ ଅନଲୋଡିଂ ପାଇଁ ଆସୁଥିବା ଗାଡି ପିଛା ନିଗମ କର୍ତ୍ତୃପକ୍ଷଙ୍କ ୧ ହଜାରରୁ ୨ ହଜାର ଟଙ୍କା ଚାନ୍ଦା ଆଦାୟ କରୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା।

ଜାଲ୍ ଚାଲାଣ ମାଧ୍ୟମରେ କର୍ତ୍ତୃପକ୍ଷ କାର ନମ୍ବରରେ ୧୯୦ ପେଟି ମଦ ଚାଲାଣ ପାଇଁ ଅନୁମତି ଦେବା ଘଟଣା ନିଗମରେ ବଡ ଧରଣର ଅନିୟମିତତା ଚାଲିଥିବା ନେଇ ସ୍ପଷ୍ଟ କରିଛି। ନଗମ ଦ୍ବାରା ପରିଚାଳିତ ଡିପୋରୁ ମଦ ପରିବହନ ଓ ଅନଲୋଡିଂ କରିବା ପୂର୍ବରୁ ନିଗମରେ ଥିବା ସୁରକ୍ଷା କର୍ମୀ ସମସ୍ତ ଗାଡିର କାଗଜପତ୍ର ଓ ଷ୍ଟକ୍ ଯାଞ୍ଚ କରିବାର ନିୟମ ରହିଛି। କିନ୍ତୁ ସୁରକ୍ଷାକର୍ମୀଙ୍କ ଯାଞ୍ଚ ସତ୍ତ୍ବେ ଗୋଟିଏ ଗାଡିକୁ କିପରି ଦୁଇଟି ଭେଣ୍ଡରଙ୍କ ନିକଟକୁ ମଦ ପାଇଁ ପରିବହନ ପାଇଁ ଅନୁମତି ଦିଆଗଲା ଏବଂ ଏ ସଂପର୍କରେ ନିଗମ ଦାୟିତ୍ବରେ ଥିବା ଅଧିକାରୀ କିପରି ଜାଣି ପାରିଲେ ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ‌ହୋଇଛି। ନିଗମରେ କାର୍ଯ୍ୟରତ ଅଧିକାରୀଙ୍କଠାରୁ ଆରମ୍ଭ କରି ଲୋଡିଂ, ଅନଲୋଡିଂ କରୁଥିବା କର୍ମଚାରୀ, ଆକାଉଣ୍ଟସ୍ ବିଭାଗ ଏବଂ ଯାଞ୍ଚ ଦାୟିତ୍ବରେ ଥିବା ସୁରକ୍ଷାକର୍ମୀ ସମସ୍ତେ ଲାଞ୍ଚ କାରବାର ସହ ଜଡ଼ିତ ଥିବାରୁ ନିଗମରେ ଦୁର୍ନୀତି ସୀମା ଟପିଛି ବୋଲି ଭେଣ୍ଡର ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ନିଗମରେ ଲାଞ୍ଚ କାରବାର ଅଭିଯୋଗ ପରେ ଏକ ସପ୍ତାହ ତଳେ ଅବକାରୀ ବିଭାଗର ଉଚ୍ଚସ୍ତରୀୟ ଟିମ୍ ତଦନ୍ତ ସାରି ଫେରିଛନ୍ତି। ତଦନ୍ତ ପରେ କୌଣସି ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇନଥିବା ବେଳେ ମଦ ପରିବହନ ପାଇଁ ନିଗମ କର୍ତ୍ତୃପକ୍ଷ ଆଜି ପ୍ରସ୍ତୁତ କରିଥିବା ଜାଲ୍ ଚାଲାଣ ବିଭାଗୀୟ ସ୍ବଚ୍ଛତାକୁ ପଦାରେ ପକାଇଛି। ଏ ସଂପର୍କରେ ନିଗମ ଉପ ଶାଖା ପରିଚାଳକ ଯମରାଜ ଶବରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନି।