ଝାରସୁଗୁଡ଼ା: ଜେଲ୍ ଭିତରୁ ଆପରାଧିକ ସିଣ୍ଡିକେଟ୍ ଚାଲିବା, ବେଧଡ଼କ ନିଶାଦ୍ରବ୍ୟ ପଶିବା ଆଦି ଘଟଣାକୁ ନେଇ ବିବାଦ ଘେରରେ ଛନ୍ଦି ହୋଇଥିବା ଝାରସୁଗୁଡ଼ା ଜେଲ୍ ନାଁରେ ଏବେ ଆଉ ଏକ ସାଂଘାତିକ ଅଭିଯୋଗ ଆସିଛି। ଜେଲ୍ ଭିତରେ କଏଦୀଙ୍କୁ ଅତି ନିମ୍ନମାନର ଖାଦ୍ୟ ଦିଆଯାଉଥିବା ବେଳେ ମାଡ଼ ମାରି କଏଦୀଙ୍କୁ ଆହତ କରିଦିଆଗଲେ ବି ସେମାନଙ୍କର ଉପଯୁକ୍ତ ଚିକିତ୍ସା ହେଉନି। ଏ ସଂପର୍କରେ ଡ.ସୁନୀଲ କୁମାର ରଥ ଓଡ଼ିଶା ମାନବାଧିକାର ଆୟୋଗଙ୍କ ଦ୍ବାରସ୍ଥ ହୋଇଥିଲେ। ଓଏଚ୍ଆର୍ସି ଏହି ଘଟଣାରେ ଏକ ମାମଲା ରୁଜୁ କରିଥିବାବେଳେ ଏହାର ତଦନ୍ତ କରି ୨୦୨୫ ମସିହା ଜାନୁଆରି ୨୦ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ଏଡିଜି ଜେଲ୍ ଓ ନିର୍ଦ୍ଦେଶକ (କରେକ୍ସନାଲ ସର୍ଭିସେସ୍)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଅଭିଯୋଗ ଅନୁସାରେ, ଝାରସୁଗୁଡ଼ା ଜେଲରେ ଥିବା ବିଚାରାଧୀନ କଏଦୀ ରଜନୀଶ ଚୌଧୁରୀଙ୍କୁ ଗତ ଅଗଷ୍ଟ ମାସରେ କୋର୍ଟରେ ହାଜର କରାଯିବା ବେଳେ ସେ ଏକ ଗୁରୁତର ଅଭିଯୋଗ ଆଣିଥିଲେ। ଜେଲ୍ କର୍ମଚାରୀଙ୍କ ଦ୍ବାରା ସେ ନିର୍ଯାତନାର ଶିକାର ହୋଇ ଆହତ ହୋଇଥିଲେ। କିନ୍ତୁ ତାଙ୍କର ଚିକିତ୍ସା କରାଯାଇନଥିଲା। ସେପଟେ ଜେଲରେ କଏଦୀଙ୍କ ଖାଦ୍ୟ ପାଇଁ ସରକାରୀ ପାଣ୍ଠିରୁ ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲେ ହେଁ କଏଦୀଙ୍କୁ ଭଲ ଖାଦ୍ୟ ଦିଆଯାଉନଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ଏହି ଘଟଣା ଜେଲ୍ରେ କଏଦୀଙ୍କ ମାନବାଧିକାରର ଉଲ୍ଲଂଘନ ହୋଇଥିବା ନେଇ ଓଏଚ୍ଆରସି ଦର୍ଶାଇଛନ୍ତି। ଉଲ୍ଲେଖଯୋଗ୍ୟ, ଝାରସୁଗୁଡ଼ା ଜେଲ୍ରେ କଏଦୀଙ୍କୁ ନିମ୍ନମାନର ଖାଦ୍ୟ ଦିଆଯିବା ଅଭିଯୋଗ କିଛି ନୂଆ ଘଟଣା ନୁହେଁ। ଏହା ପୂର୍ବରୁ ବି ଏକାଧିକ ଥର ଜେଲର ଖାଦ୍ୟକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଅନେକ ସମୟରେ କଏଦୀ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି। କିନ୍ତୁ ଏହାକୁ ନିୟମିତ ସ୍ବାସ୍ଥ୍ୟ ଯାଞ୍ଚ କହି କର୍ତ୍ତୃପକ୍ଷ ଫାଙ୍କି ଦେଇ ଆସୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/10/25/FmtnrEAlctdcQ56N4u6t.jpg)