ପ୍ରସୂତିଙ୍କଠାରୁ ଲାଞ୍ଚ ଅଭିଯୋଗ, ତଦନ୍ତ ଆରମ୍ଭ

ଯୋଡା : କମାରଯୋଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ପ୍ରସୂତିଙ୍କଠାରୁ ୧୫୦୦ ଟଙ୍କା ଲାଞ୍ଚ ନିଆଯାଇଥିବା ନେଇ ଅଭିଯୋଗ ହୋଇଛି। ଘଟଣାକୁ ଗୁରୁତ୍ବର ସହ ନେଇ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଲୋପାମୁଦ୍ରା ଜେନା ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ମୁଖାର୍ଜୀହାଟିଂର ସୁଭଦ୍ରା ଦାଶଙ୍କୁ  ଗତକାଲି ସକାଳେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ସେଠାରେ ଉପସ୍ଥିତ ଜଣେ ଆଶା କର୍ମୀ ଓ ଜଣେ ସଫେଇ କର୍ମଚାରୀ ସୁଭଦ୍ରାଙ୍କୁ ୧୫୦୦ ଟଙ୍କା ମାଗିଥିଲେ। ଟଙ୍କା ନଦେବାରୁ ଆଜି ସକାଳେ ଡିସଚାର୍ଜ କରିବା ନେଇ ବିଳମ୍ବ କରିଥିଲେ। ଏନେଇ ସୁଭଦ୍ରାଙ୍କ ସ୍ୱାମୀ ହରିଶ ଦାଶ  ଜାଣିବା ପରେ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ାକ୍ତର ଲୋପାମୁଦ୍ରା ଜେନାଙ୍କ  ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକାରୀ ସେମାନଙ୍କୁ ତାଗିଦ୍ କରିବା ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଚେତାବନୀ ଦେଇଥିଲେ। ଏ ନେଇ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଅଧିକାରୀ ଡକ୍ଟର ଏଲ କେ ସିଂ ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଏ ନେଇ ସେମାନଙ୍କୁ ନୋଟିସ୍‌ କରାଯିବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର