ଦେବଗଡ଼: ସମ୍ବଲପୁର ସାଂସଦଙ୍କ ପତ୍ନୀ ଅରୁନ୍ଧତୀ ଦେବୀ ଓ ତାଙ୍କ ମ୍ୟାନେଜର ସମ୍ବଲପୁରର ଅବିନାଶ ତିଆଡ଼ି ତାଙ୍କୁ ହତ୍ୟା ଧମକ ଦେଇଥିବା ଗୁରୁବାର ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ତଥା ଖପରସାହି ଦୁର୍ଗାପୂଜା କମିଟି ସଭାପତି ଉମାଶଙ୍କର ସାହୁ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଖପରସାହି ରାବଣପୋଡ଼ି କାର୍ଯ୍ୟକ୍ରମରେ ତାଙ୍କୁ ଅତିଥି କରିବାକୁ କୁଆଡ଼େ ସାଂସଦଙ୍କ ପତ୍ନୀ ଅରୁନ୍ଧତୀ ଦେବୀ ଓ ସହଯୋଗୀମାନେ ରାମ ସେନା ଶୋଭାଯାତ୍ରାବେଳେ ପୂଜା କମିଟି କର୍ମକର୍ତ୍ତାଙ୍କୁ କହିଥିଲେ। ମାତ୍ର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, କମିଟି ପକ୍ଷରୁ ଅତିଥି ଚୟନ ଓ ନିମନ୍ତ୍ରଣ ଶେଷ ହୋଇଥିବାରୁ ତାଙ୍କୁ କାର୍ଯ୍ୟକ୍ରମରେ ଅତିଥି କରାଯିବା ସମ୍ଭବ ନୁହେଁ ବୋଲି ଜଣାଇ ଦିଆଯାଇ ଥିଲା।

Advertisment

ଏଥିରେ ଅରୁନ୍ଧତୀ ଦେବୀ ଓ ତାଙ୍କ ସହଯୋଗୀମାନେ ଉତ୍‌କ୍ଷିପ୍ତ ହୋଇ ଗାଳିଗୁଲଜ କରିବା ସହ ଶ୍ରୀ ସାହୁଙ୍କୁ ହତ୍ୟା ଧମକ ଦେଇଥିଲେ। ଏହାପରେ ଅରୁନ୍ଧତୀ ଦେବୀଙ୍କ ମ୍ୟାନେଜର ସମ୍ବଲପୁରର ଅବିନାଶ ତିଆଡ଼ି ଫୋନ ଯୋଗେ ପୂଜା କମିଟି ସଭାପତି ଶ୍ରୀ ସାହୁଙ୍କୁ ହତ୍ୟ‌ା ଧମକ ଦେଇଥିବା ନେଇ ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି। ଅବିନାଶ ତିଆଡ଼ି ଜଣେ ବ୍ୟକ୍ତିଙ୍କୁ ଫୋନ ଯୋଗେ ‘ନବକୁ ସାଫ୍ କରିଦେଲି ଇଏ କଣ... ଉମା କଣ ନବଠୁ ବଡ଼ କି’ ବୋଲି କହୁଥିବା ବାର୍ତ୍ତାଳାପର ରେକର୍ଡିଂ ମଧ୍ୟ ବର୍ତ୍ତମାନ ଭାଇରାଲ ହେଉଛି। ଏହି ବାର୍ତ୍ତାଳାପ ସମ୍ପର୍କରେ ମଧ୍ୟ ଶ୍ରୀ ସାହୁ ନିଜ ଅଭିଯୋଗପତ୍ରରେ ଊଲ୍ଲେଖ କରିଛନ୍ତି। ଏଥିସହ ଅବିନାଶଙ୍କୁ ନବ ଦାସ ହତ୍ୟା ମାମଲାରେ ତଦନ୍ତ ପରିସରଭୁକ୍ତ କରିବାକୁ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀ ସାହୁ ଦାବି କରିଛନ୍ତି।

ଗୁରୁବାର ଶ୍ରୀ ସାହୁ ଦେବଗଡ଼ ଥାନାରେ ପହଞ୍ଚି ଅରୁନ୍ଧତୀ ଦେବୀ ଏବଂ ମ୍ୟାନେଜର ଅବିନାଶଙ୍କ ନାମରେ ଲିଖିତ ଅଭିଯୋଗ କରିବା ସହ ତାଙ୍କ ଜୀବନ ପ୍ରତି ବିପଦ ଥିବା ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ଦେବଗଡ଼ ଥାନା ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ମଙ୍ଗଳବାର ସାଂସଦଙ୍କ ପତ୍ନୀ ଅରୁନ୍ଧତୀ ଦେବୀ ପୂଜା କମିଟି ସଭାପତି ଓ ସହଯୋଗୀମାନେ ମିଶି ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ସାଙ୍ଗକୁ ଗାଳିଗୁଲଜ କରିବା ଓ ଧକ୍କାମାରି ରାସ୍ତାରେ ପକାଇ ଦେଇଥିବା ନେଇ ଅଭିଯୋଗ କରିଥିଲେ। ତେବେ ପୂଜା କମିଟି କର୍ମକର୍ତ୍ତାଙ୍କ ନାମରେ ହୋଇଥିବା ମିଥ୍ୟା ମାମଲା ପ୍ରତ୍ୟାହାର ଦାବିରେ ସାହି ବାସିନ୍ଦାମାନେ ବୁଧବାର ଥାନା ସମ୍ମୁଖରେ ଅରୁନ୍ଧତୀ ଦେବୀଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ କୁଶପୁତ୍ତଳିକା ଦାହ କରିବା ସହିତ ଥାନାରେ ଅନ୍ୟ ଏକ ଏତଲା ଦେଇଥିଲେ। ଘଟଣାକୁ ନେଇ ପୁଲିସ ୨ଟି ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ତେବେ ଏହି ଘଟଣାରେ ଗୁରୁବାର ପୂଜାକମିଟି ସଭାପତି ଶ୍ରୀ ସାହୁଙ୍କ ମାମଲାକୁ ମିଶାଇ ମୋଟ ୩ଟି ମାମଲା ରୁଜୁ ହୋଇଛି।