ଯୁଯୁମୁରା: ନକଲି ସ୍କୁଲ ଲିଭିଂ ସାର୍ଟିଫିକେଟ ଜାରି କରାଯାଇଥିବା ନେଇ ନେଇ କଂଗ୍ରେସ ନେତା ଆସଫ ଅଲିଖାନ୍ ଯୁଯୁମୁରା ବିଇଓ ଉଜାଗର ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେ ଅଭିଯୋଗରେ କହିଛନ୍ତି ଯେ, ରେଢ଼ାଖୋଲ ବ୍ଲକ୍ ଅନ୍ତର୍ଗତ ପୁରୁଣାଗଡ଼ ନିବାସୀ ସ୍ବପ୍ନେଶ୍ବର ବେହେରାଙ୍କ ପୁଅ ବାସୁଦେବ ବେହେରାଙ୍କ ନାଁରେ ନକଲି ସ୍କୁଲ ଲିଭିଂ ସାର୍ଟିଫିକେଟ ଜାରି ହୋଇଛି। ବାସୁଦେବ ବେହେରା ଯୁଯୁମୁରା ବ୍ଲକ ଅନ୍ତର୍ଗତ ଅନ୍ଧାରୀ ହାଇସ୍କୁଲରେ ୧୯୮୮ ମସିହା ଜୁଲାଇ ୨୫ରେ ନାମ ଲେଖାଇଛନ୍ତି ଓ ସେ ୧୯୯୦ ମସିହା ଅକ୍ଟୋବର ୧୦ ତାରିଖରେ ସ୍କୁଲ ଛାଡ଼ିଥିବା ଉଲ୍ଲେଖ କରାଯାଇଛି। ତେବେ ଅନ୍ଧାରୀ ହାଇସ୍କୁଲ ୧୯୯୪-୯୫ରେ ସ୍ଥାପନ ହୋଇଛି। ଏ ସଂପର୍କରେ ସ୍ଥାନୀୟ ବିଇଓ ଉଜାଗର ପ୍ରଧାନଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଅଭିଯୋଗ ଆସିଛି। କିନ୍ତୁ ଘଟଣାର ତଦନ୍ତ ପରେ ସତ୍ୟତା ଜଣାପଡ଼ିବ।
ସୂଚନାଯୋଗ୍ୟ ବାସୁଦେବ ରେଢ଼ାଖୋଲ ଥାନାରେ ଗୃହରକ୍ଷୀ ଭାବେ କାର୍ଯ୍ୟରତ ଅଛନ୍ତି। ଅନ୍ୟପଟରେ ଅନ୍ଧାରୀ ହାଇସ୍କୁଲରେ ପୂର୍ବରୁ କାର୍ଯ୍ୟରତ ଥିବା ଶିକ୍ଷକ ନକଲି ସ୍କୁଲ ଲିଭିଂ ସାର୍ଟିଫିକେଟ ପ୍ରସ୍ତୁତ କରି ଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସେମାନଙ୍କର ହସ୍ତାକ୍ଷର ମେଳ କଲା ପରେ ଘଟଣା ଉପରୁ ପର୍ଦ୍ଦା ଉଠିବ ବୋଲି ଆଲୋଚନା ହେଉଛି।