ବ୍ରହ୍ମପୁର : ଜଣେ ବରିଷ୍ଠ ନାଗରିକଙ୍କ ଏସ୍‌ବିଆଇରେ ଥିବା ପେନ୍‌ସନ୍ ଜମାଖାତା (ଆକାଉଣ୍ଟ)ରୁ ତାଙ୍କ ଅଜାଣତରେ ୬,୦୩,୩୦୧ଟଙ୍କା ଏକାଧିକ ଅଜଣା ଆକାଉଣ୍ଟକୁ ଟ୍ରାନ୍ସଫର୍ ହୋଇଥିବା ନେଇ ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ ହୋଇଛି। ଏନେଇ ପୁଲିସ ଏକ ମାମଲା ‌ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Advertisment

ଠକେଇର ଶିକାର ହୋଇଥିବା ବରିଷ୍ଠ ନାଗରିକଙ୍କ ଅଭିଯୋଗ ମୁତାବକ, ଚଳିତ ମାସରେ ତାଙ୍କ ପାଖକୁ ପେନ୍‌ସନ୍ ଟଙ୍କା ଆସିବା ନେଇ କୌଣସି ବ୍ୟାଙ୍କ ମ୍ୟାସେଜ୍ ଆସିନଥିଲା। ସେସମ୍ପର୍କରେ ବୁଝିବା ପାଇଁ ଗତ ୩ତାରିଖରେ ସେ ବ୍ରହ୍ମପୁର ଏସ୍‌ବିଆଇ ମୁଖ୍ୟ ଶାଖାକୁ ଯାଇଥିଲେ। ସେଠାରେ ନିଜ ବ୍ୟାଙ୍କ ଆକାଉଣ୍ଟ ଅପ୍‌ଡେଟ୍ କଲାବେଳେ ତାଙ୍କ ଆକାଉଣ୍ଟରୁ ବିଭିନ୍ନ ଆକାଉଣ୍ଟକୁ ୧୧ଥରରେ ୬ଲକ୍ଷ ୩ହଜାର ୩୦୧ଟଙ୍କା ଟ୍ରାନ୍ସଫର୍ ହୋଇଥିବା ଜାଣିବାକୁ ପାଇଥିଲେ, ଯାହା ତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା। କାରଣ ସେ ବ୍ୟାଙ୍କ ଜମାଖାତାରୁ ଟଙ୍କା ନେଣଦେଣ ପାଇଁ ମୋବାଇଲ୍‌ରେ କୌଣସି ଅନ୍‌ଲାଇନ୍ ଆପ୍‌ ବ୍ୟବହାର କରୁନଥିବା ବେଳେ ତାଙ୍କ ପାଖକୁ ମଧ୍ୟ କୌଣସି ଲିଙ୍କ୍ ଅବା ଓଟିପି ମଧ୍ୟ ଆସିନଥିଲା।

ସେ ଟଙ୍କା ଉଠାଇବା ପାଇଁ କେବଳ ନିଜର ଏଟିଏମ୍‌ କାର୍ଡ଼ ବ୍ୟିହାର କରୁଥିଲେ, ନଚେତ ବ୍ୟାଙ୍କକୁ ଯାଇ ଟଙ୍କା ଉଠାଉଥିଲେ। ଏଭଳି ସ୍ଥିତିରେ କିଭଳି ତାଙ୍କ ଅଜାଣତରେ ଆକାଉଣ୍ଟରୁ ଟଙ୍କା ଅନ୍ୟ ଆକାଉଣ୍ଟକୁ ଗଲା, ସେନେଇ ସେହିଦିନ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ। ଏଭଳି ଅନିୟମିତତା ସମ୍ପର୍କରେ ଆବଶ୍ୟକ ତଥ୍ୟ ସଂଗ୍ରହ ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷ ସମୟ ଲାଗିବ ବୋଲି କହିଥିଲେ। ତେଣୁ ସେ ସାଇବର ଓ ଅର୍ଥନୈତିକ ଥାନାର ଦ୍ବାରସ୍ଥ ହୋଇଛନ୍ତି।