ବେଆଇନ ଗିରଫଦାରୀ ଅଭିଯୋଗ: ହାଇକୋର୍ଟରେ ହାଜର ହେବେ କୋରାପୁଟ ଡିଏସ୍‌ପି ଓ ଟାଉନ୍‌ ଥାନା ଆଇଆଇସି

କଟକ : ବେଆଇନ ଗିରଫଦାରୀ ଅଭିଯୋଗ ନେଇ ଦାୟର ମାମଲାରେ କୋରାପୁଟ ଡିଏସ୍‌ପି ଓ ଟାଉନ୍‌ ଥାନା ଆଇଆଇସିଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ହାଇକୋର୍ଟ ନି‌ର୍ଦ୍ଦେଶ ଦେଇଛନ୍ତି। ଫେବ୍ରୁଆରି ୧୬ରେ ଭର୍ଚୁଆଲ ବ୍ୟବସ୍ଥାରେ ହାଜର ହୋଇ ଡିଏସ୍‌ପି ଓ ଆଇଆଇସି ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ଆଜି ଟାଉନ୍‌ ଥାନା ଆଇଆଇସି ମାମଲାର ଶୁଣାଣି ବେଳେ ଭର୍ଚୁଆଲ୍‌ ମାଧ୍ୟମରେ ହାଜର ହୋଇଥିଲେ। କିନ୍ତୁ ଆଇଆଇସିଙ୍କ ଉତ୍ତର ସନ୍ତୋଷଜନକ ନଥିବାରୁ ହାଇକୋର୍ଟ ପରବର୍ତ୍ତୀ ଶୁଣାଣି ସମୟରେ ଡିଏସ୍‌ପିଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଡକ୍ଟର୍‌ ଜଷ୍ଟିସ୍‌ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଲୋକନାଥ ବେହେରାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ବୋଲି ଆବେଦନକାରୀଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ସୂଚନା ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ପତ୍ନୀଙ୍କ ଦ୍ବାରା ନିର୍ଯାତନା ଅଭିଯୋଗ ନେଇ ଶ୍ରୀ ବେହେରା ୨୦୨୨ ଅଗଷ୍ଟ ୨୮ରେ ଟାଉନ୍‌ ଥାନାର ଏତଲା ଦେଇଥିଲେ। ଏ ନେଇ କୋରାପୁଟ ଏସ୍‌ପିଙ୍କୁ ମଧ୍ୟ ସେ ଜଣାଇଥିଲେ। ଏହାପରେ ମଧ୍ୟ ତାଙ୍କ ଅଭିଯୋଗ ଆଧାରରେ ପୁଲିସ ପଦକ୍ଷେପ ନ ନେବାରୁ ଶ୍ରୀ ବେହେରା ହାଇକୋର୍ଟରେ ମାମଲା ଦାୟର କରିଥିଲେ। ଶ୍ରୀ ବେହେରାଙ୍କ ଅଭିଯୋଗ ଉପରେ ନିଷ୍ପତ୍ତି ନେବାକୁ କୋରାପୁଟ ଏସ୍‌ପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହାପରେ ମଧ୍ୟ ଶ୍ରୀ ବେହେରାଙ୍କ ଅଭିଯୋଗ ଉପରେ କୌଣସି ପଦକ୍ଷେପ ନିଆଯାଇ ନଥିଲା। ଅନ୍ୟପକ୍ଷରେ ୨୦୨୨ ଡିସେମ୍ବର ୨୯ରେ ଶ୍ରୀ ବେହେରାଙ୍କୁ ଥାନାକୁ ପୁଲିସ ଡାକିଥିଲା। ରାତି ୮ଟା ୩୦ରେ ପୁଲିସ ମାମଲା ରୁଜୁ କରି ସିଆର୍‌ପିସିର ଧାରା ୪୧(କ)ରେ ନୋଟିସ୍ ନେବାକୁ ଅଭିଯୁକ୍ତ ସ୍ବାମୀ ମନା କରୁଥିବା ଦର୍ଶାଇ ଗିରଫ କରିଥିଲା। ଅର୍ଣ୍ଣେସ୍‌ କୁମାର ମାମଲାରେ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ରାୟର ଉଲ୍ଲଂଘନ କରି ତଥା ନିୟମ ନ ମାନି ପୁଲିସ ଏପରି ପଦକ୍ଷେପ ନେଇଥିବା ଦର୍ଶାଇ ଶ୍ରୀ ବେହେରା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଜାନୁଆରି ୨୫ରେ ହାଇକୋର୍ଟ ମାମଲାର ଶୁଣାଣି କରି ଟାଉନ୍‌ ଥାନା ଆଇଆଇସିଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର