ଭୁବନେଶ୍ବର: ଭୁବନେଶ୍ବର ପାତ୍ରପଡ଼ା ମୌଜାର ଜାତୀୟ ରାଜପଥ କଡ଼ରେ ୭.୫ ଏକର ସରକାରୀ ଜମିର ବେଆଇନ ବିକ୍ରି ଅଭିଯୋଗ ହୋଇଛି। ଏହି ଜମିର କ୍ରେତା ତାଲିକାରେ ୪ ଆଇପିଏସ୍ ଅଧିକାରୀ ଅଛନ୍ତି। ପୂର୍ବତନ ଡିଜି ସଞ୍ଜୀବ ମାରିକଙ୍କ ପୁଅ ସୁଦୀପ ମାରିକ, ଆର୍ ପି କୋଚେ, ଏନ୍. ନାଗେଶ୍ବର ରାଓ ଓ ତାଙ୍କ ପତ୍ନୀ ଏବଂ ଶ୍ୟାମସୁନ୍ଦର ହାଁସଦା, ତାଙ୍କ ପତ୍ନୀ ଓ ପୁଅ ଜମି କିଣିଛନ୍ତି। ବିଜେଡି କର୍ପୋରେଟର ସଂଯୁକ୍ତା ସୁନ୍ଦରରାୟଙ୍କ ଦେଢ଼ଶୁର ନରସିଂହ ସୁନ୍ଦରରାୟ ଏହି ଜମି କାରବାର କରିଥିବା ନେଇ ଓଡ଼ିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ଅଭିଯୋଗ କରାଯିବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହୋଇଛି। ଏ ସମ୍ପର୍କରେ ଭୁବନେଶ୍ବର ଉପଜିଲ୍ଲାପାଳ ମହେନ୍ଦ୍ର ପଣ୍ଡା କହିଛନ୍ତି, ଜମି ମାଲିକାନା ସମ୍ପର୍କରେ ସେ ଜାଣି ନାହାନ୍ତି। ଘଟଣାକୁ ଅନୁଧ୍ୟାନ କଲେ ଜାଣି ହେବ।
କ୍ରେତା ତାଲିକାରେ ୪ ଆଇପିଏସ୍ ଅଧିକାରୀଙ୍କ ନାଁ ଆଣିଲେ ସୂଚନା ଅଧିକାର ଅଭିଯାନ
ବିଜେଡି କର୍ପୋରେଟରଙ୍କ ସମ୍ପର୍କୀୟଙ୍କ ବିରୋଧରେ ଅଭିଯୋଗ କଲେ
ଗୋଦାବରୀଶ ସାହିତ୍ୟ ସଂସଦରେ ସୂଚନା ଅଧିକାର ଅଭିଯାନ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି, ୧୯୭୮ ମସିହାରେ ନରସିଂହ ସୁନ୍ଦରରାୟ, ତାଙ୍କ ସମ୍ପର୍କୀୟ ମିନାକ୍ଷୀ ଜେନା, ଅଶୋକ ସୁନ୍ଦରରାୟ ଓ ଶୈଳବାଳା ଜେନା ନିଜକୁ ଭୂମିହୀନ ଦର୍ଶାଇ ଥିଲେ। ଚାଷ କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ୧.୫ ଏକର ହିସାବରେ ୬ ଏକର ପାଇଁ ଆବେଦନ କରିଥିଲେ। ୧୯୮୦ ମସିହାରେ ସେମାନଙ୍କୁ ଏହି ଜମିର ଲିଜ୍ ମଧ୍ୟ ମିଳିଯାଇଥିଲା। ୧୯୭୩ ରୁ ୧୯୮୫ ମସିହା ପର୍ଯ୍ୟନ୍ତ ପାତ୍ରପଡ଼ା ମୌଜାର ଏହି ଜମି ଚକବନ୍ଦୀ ଥିଲା। ସେହି ଦୃଷ୍ଟିରୁ ସ୍ଥାନୀୟ ତହସିଲଦାରଙ୍କ ସେହି ଜମି ଲିଜ୍ ଦେବା କ୍ଷମତା ପରିସରଭୁକ୍ତ ନଥିଲା। ତେଣୁ ସେତେବେଳେ ସେମାନଙ୍କୁ ମିଳିଥିବା ଜମି ଲିଜ ବେଆଇନ ଥିଲା। ୨୦୦୨ ମସିହାରେ ଭୁବନେଶ୍ବର ଉପଜିଲ୍ଲାପାଳ ଏହି ଲିଜକୁ ବାତିଲ କରି ସମୁଦାୟ ପ୍ଲଟକୁ ସରକାରୀ ଖାତାକୁ ଫେରାଇ ଆଣିଥିଲେ। ଦଖଲ ସମୟରେ ନରସିଂହ ସୁନ୍ଦରରାୟ ଓ ଅନ୍ୟମାନେ ଜମିର ହାତଲେଖା ପଟ୍ଟା ତିଆରି କରାଇଥିଲେ। ୨୦୦୩ରୁ ୨୦୧୮ ମସିହା ମଧ୍ୟରେ ହାତଲେଖା ପଟ୍ଟାକୁ ବ୍ୟବହାର କରି ଖଣ୍ଡଗିରି ସବରେଜିଷ୍ଟାରଙ୍କ ଜରିଆରେ ୨୭ ଥର ଏହି ଜମିର କ୍ରୟ-ବିକ୍ରୟ ହୋଇଛି। ଏହି ୬ ଏକର ଜମିରୁ ୫୬ ଡିସମିଲ ୨୦୦୯ ମସିହା ଅକ୍ଟୋବର ମାସରେ ସଞ୍ଜୀବ ମାରିକଙ୍କ ପୁଅ ସୁଦୀପ ମାରିକଙ୍କ ନାମରେ ଏବଂ ୧୦୮ ଡିସମିଲ ପ୍ଲଟ ୨୦୧୦ ମସିହାରେ ଆଇପିଏସ ଆର୍ପି କୋଚେଙ୍କ ନାମରେ ମଧ୍ୟ ପଞ୍ଜୀକୃତ ହୋଇଛି। ୨୦୧୧ ମସିହା ଫେବ୍ରୁଆରି ମାସରେ ମୀନାକ୍ଷୀ ଜେନାଙ୍କ ଠାରୁ ୯୨ ଡିସମିଲ ଜମି ପ୍ଲଟ ପୂର୍ବତନ ସିବିଆଇ ଅଧିକାରୀ ଏମ୍. ନାଗେଶ୍ବର ରାଓ ଓ ତାଙ୍କ ପତ୍ନୀ ଏମ୍ ସଂଧ୍ୟାଙ୍କ ନାମରେ ଏବଂ ଶୈଳବାଳା ଜେନାଙ୍କ ଠାରୁ ୨୦୧୧ ମସିହା ଫେବ୍ରୁଆରିରେ ଆଇପିଏସ୍ ଶ୍ୟାମସୁନ୍ଦର ହାଁସଦା, ପତ୍ନୀ ପଙ୍କଜିନୀ ହାଁସଦା ଓ ପୁଅ ପାର୍ଥ ସାରଥୀ ହାଁସଦା ୯୦ ଡିସମିଲ ପ୍ଲଟର ପଞ୍ଜୀକରଣ ହୋଇଛି। ପରବର୍ତ୍ତୀ ସମୟରେ ଏହି ଦସ୍ତାବିଜ ଜରିଆରେ କୋଠା ପାଇଁ ପ୍ଲାନ ଅନୁମୋଦନ କରାଯାଇଛି। ଏଠାରେ ବହୁତଳବିଶିଷ୍ଟ କୋଠା, ୫୦ରୁ ଅଧିକ ବ୍ୟବସାୟିକ ପ୍ରତିଷ୍ଠାନ କରାଯାଇଛି।
ବେଆଇନ ବିକ୍ରି ହୋଇ ନାହିଁ, ଜମିକୁ ନେଇ ପର୍ଯ୍ୟାପ୍ତ ଦସ୍ତାବିଜ୍ ରହିଛି: ନରସିଂହ ସୁନ୍ଦରରାୟ
ନରସିଂହ ସୁନ୍ଦରରାୟ କହିଛନ୍ତି,୧୯୭୮ ମସିହାରେ ପାତ୍ରପଡ଼ାର କିସମ ବାଜେ ଫସଲ ଜମି ପାଇଁ ୬ ଏକର ଜମି ଆଲଟ୍ମେଣ୍ଟ ହୋଇଥିଲା। ୧୯୭୮ ମସିହା ଠାରୁ ଚାଷ କରାଯାଇଥିଲେ ମଧ୍ୟ ଏହା ସମ୍ଭବ ହେଲା ନାହିଁ। ୨୦୦୧ ମସିହାରେ ଏହି ଜମିକୁ ତହସିଲଦାରଙ୍କ ପାଖରେ ଘରବାରି କନଭର୍ସନ ପାଇଁ ଆବେଦନ କରାଯାଇଥିଲା। ଏଥି ପାଇଁ ଆବଶ୍ୟକ ଟଙ୍କା ଜମା ପରେ ପଟ୍ଟା ମଧ୍ୟ ମିଳିଥିଲା। ବନ୍ଦୋବସ୍ତ ପର୍ଯ୍ୟାୟ ସରିଯାଇଥିବାରୁ ଭୁବନେଶ୍ବର ଉପଜିଲ୍ଲାପାଳ ଜମିକୁ ଖାରଜ କରି ଦେଇଥିଲେ। ଖାରଜ କପିକୁ ନେଇ ବନ୍ଦୋବସ୍ତ କମିସନରଙ୍କ ପାଖରେ କେସ ଫାଇଲ କରାଯାଇଥିଲା। ଏହା ପରେ ପଟ୍ଟା ସଂଶୋଧନ ପାଇଁ ତହସିଲଦାରଙ୍କୁ କମିସନର ଆଦେଶ ଦେଇଥିଲେ। ୧୫ ଦିନ ମଧ୍ୟରେ ପଟ୍ଟା ସଂଶୋଧନ ପାଇଁ କଟକ ସ୍ଥିତ ରାଜସ୍ବ ପର୍ଷଦ ସଦସ୍ୟଙ୍କ କାର୍ଯ୍ୟାଳୟ ପକ୍ଷରୁ ତହସିଲଦାରଙ୍କୁ କୁହାଯାଇଥିଲା। ଏହାପରେ ୬ ମାସ ମଧ୍ୟରେ ମାମଲାର ସମାଧାନ ପାଇଁ ହାଇକୋର୍ଟ ଆଦେଶ ଦେଇଥିଲେ। ପରେ ୨୦୦୫ରୁ ଭୁବନେଶ୍ବର ତହସିଲଦାରଙ୍କ ଆଦେଶରୁ ଶାନ୍ତିପୂର୍ଣ୍ଣ ଭାବରେ ଏହା ଆମ ମାଲିକାନାରେ ରହିଛି। ତେଣୁ ଏଥି ସମ୍ପର୍କିତ କୌଣସି କ୍ରୟ-ବିକ୍ରୟ ବେଆଇନ ନୁହେଁ।
ଭଡ଼ା ସୂତ୍ରରେ ୨୦ ଲକ୍ଷରୁ ଉର୍ଧ୍ବ ଟଙ୍କା ଆଦାୟ ହେଉଛି। ଟ୍ରାଫିକ ଥାନା-୨ ସମ୍ମୁଖରେ ଆଇପିଏସ ଶ୍ୟାମସୁନ୍ଦର ହାଁସଦାଙ୍କ ବଡ଼ କୋଠା ରହିଛି। ଏହା ସହିତ ଜଙ୍ଗଲ ବିଭାଗ ଅନ୍ତର୍ଗତ ସ୍ମୃତି ବନ ପାଚେରୀ ନିକଟସ୍ଥ ୧.୫ ଏକର ପରିମିତ ସର୍ବସାଧାରଣ ରାସ୍ତାରେ କବାଡ଼ିଆ ଗୋଦାମ କରାଯାଇଛି। ତେଣୁ ସମୁଦାୟ ୭.୫ ଏକର ସରକାରୀ ଜମିର ଜବରଦଖଲ ହୋଇଥିବା ଅଭିଯୋଗ ହୋଇଛି। ୨୦୦୯ ମସିହାରେ ବିଧାନସଭାରେ ମଧ୍ୟ ଏହାକୁ ନେଇ ପ୍ରଶ୍ନ ହୋଇଥିଲା। ଏହି ଘଟଣାର ତଦନ୍ତ କରାଯାଇ ସରକାରୀ ଜମି କ୍ରୟ-ବିକ୍ରୟରେ ସାମିଲ ବ୍ୟକ୍ତି, ଆଇପିଏସ ଅଧିକାରୀ, ବିଜେଡି କର୍ପୋରେଟର, ଖଣ୍ଡଗିରି ସବ୍ରେଜିଷ୍ଟାର ତହସିଲଦାର, ସାଧାରଣ ପ୍ରଶାସନ ବିଭାଗ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ପାଇଁ ଦାବି ହୋଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦୀପ ପ୍ରଧାନ, ଶ୍ରୀକାନ୍ତ ପାକଳ, ହୃଦାନନ୍ଦ କୋଦମାସିଂହ, ସର୍ବେଶ୍ବର ବେହୁରା, ସୁଧୀର ମହାନ୍ତି, ଜ୍ଞାନରଞ୍ଜନ ଦାଶ, ସଚ୍ଚିକାନ୍ତ ପ୍ରଧାନ ଓ ପ୍ରକାଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ।