ବାଲିଗୁଡ଼ା/ଭୁବନେଶ୍ବର/କଟକ: କଟକ-ଭୁବନେଶ୍ବର ଜାତୀୟ ରାଜପଥ ପାର୍ଶ୍ବରେ ଥିବା ରୁଦ୍ର ହସ୍ପିଟାଲରେ ଅଙ୍ଗ ଚୋରି ଅଭିଯୋଗ ହୋଇଛି। ବାଲିଗୁଡ଼ା ଅଞ୍ଚଳର ଜଣେ ବ୍ୟକ୍ତି ବାବୁଲା ଦିଗାଳ (୪୫) ଦୁର୍ଘଟଣାର ଶିକାର ହୋଇ ଆହତ ହେବା ପରେ ଉକ୍ତ ହସ୍ପିଟାଲରେ ଚିକିତ୍ସା ପାଇଁ ଗତ ୧୫ ତାରିଖରେ ଭର୍ତ୍ତି ହୋଇଥିଲେ। ୧୬ ତାରିଖ ଦିନ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ହେଲେ ମୃତ୍ୟୁ ପରେ ତାଙ୍କ ପରିବାର ଲୋକ ଏବେ କିଡନି ଚୋରି ଅଭିଯୋଗ ଆଣିଛନ୍ତି। ହସ୍ପିଟାଲରେ ଅଙ୍ଗ ଚୋରି ଭଳି ସାଂଘାତିକ ଅଭିଯୋଗ ଆସିବା ପରେ ରାଜ୍ୟବ୍ୟାପୀ ହଇଚଇ ସୃଷ୍ଟି ହୋଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ବାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ କରିଛି। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଶ୍ରୀ ମହାଲିଙ୍ଗ କହିଛନ୍ତି ଯେ ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଏହାର ତୁରନ୍ତ ତଦନ୍ତ କରାଯିବ। ତଦନ୍ତ ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଅଭିଯୋଗ ସଂପର୍କରେ ପୁଲିସ କମିସନରଙ୍କ ସହ କଥା ହୋଇଛି। କମିସନର ମଧ୍ୟ ତଦନ୍ତ କରିବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି। ଏଭଳି ଅମାନବୀୟ କାର୍ଯ୍ୟ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ପୁଲିସ ହସ୍ପିଟାଲରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଘଟଣା ବାବଦରେ ବିସ୍ତୃତ ତଥ୍ୟ ସଂଗ୍ରହ କରାଯାଇଛି। 

Advertisment

ସୂଚନା ଅନୁସାରେ, ଦୁର୍ଘଟଣାରେ ଆହତ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଂଚଳର ବାବୁଲାଙ୍କ ଚିକିତ୍ସା ପାଇଁ ରୁଦ୍ର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାର ତାଙ୍କ କିଡ୍‌ନି ଚୋରି ହୋଇଥିବା ନେଇ ତାଙ୍କ ପୁଅ ଇସାକ ଦିଗାଳ ଏ ନେଇ ବାଲିଗୁଡ଼ା ଥାନାରେ ଲିଖିତ ଏତଲା ଦାୟର କରିଛନ୍ତି। ଥାନା କେସ୍‌ ନମ୍ବର ୨୫୭/୨୪ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି। ମାଜି‌ଷ୍ଟ୍ରେଟ ଦାୟିତ୍ବରେ ଥିବା ଅତିରିକ୍ତ ଜିଲ୍ଲାପାଳ ହରେକୃଷ୍ଣ ରାଉତଙ୍କ ଉପସ୍ଥିତିରେ ବାବୁଲାଙ୍କ କବର ଖୋଳାଯାଇ ଶବକୁ ବ୍ୟବଚ୍ଛେଦ ନିମନ୍ତେ କଫିନ୍‌ ବାହାର କରାଯାଇଛି। ଶବ ବ୍ୟବଚ୍ଛେଦ ନିମନ୍ତେ ଆଜି ବାଲିଗୁଡା ଉପଖଣ୍ତ ଚିକିତ୍ସାଳୟକୁ ପଠାଯାଇଥିବା ଥାନା ଅଧିକାରୀ ସୁଶାନ୍ତ ସାହୁ ସୂଚନା ଦେଇଛନ୍ତି। ମେଡିକାଲ ରିପୋର୍ଟ ଆସିବା ପରେ ଅଭି‌ଯୋଗର ସତ୍ୟତା ଜଣାପଡ଼ିବ ବୋଲି ସେ କହିଛନ୍ତି। ବାଲିଗୁଡ଼ା ଥାନା ସୁଡ଼୍ରା ପଞ୍ଚାୟତ ଟିକରବାଜୁ ଗ୍ରାମର ବାବୁଲା ଦିଗାଳ ମ.ରାମପୁର ଯାଉଥିବା ବେଳେ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିଲେ। ତାଙ୍କ ମୁଣ୍ତରେ ଆଘାତ ଲାଗିଥିବା ବେଳେ ପ୍ରଥମେ ତାଙ୍କୁ ତୁମୁଡ଼ିବନ୍ଧ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଇ ବାଲିଗୁଡ଼ା ଉପଖଣ୍ତ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ପରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବ୍ରହ୍ମପୁର ବଡ଼ ଡାକ୍ତରଖାନା ଓ ଭୁବନେଶ୍ବର ଏମ୍‌ସକୁ ନିଆ ଯାଇଥିଲା। କିନ୍ତୁ ଏମ୍‌ସରେ ଜଣେ ଦଲାଲ୍‌ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପ୍ରତିଶ୍ରୁତି ଦେଇ ତାଙ୍କୁ ରୁଦ୍ର ହସ୍ପିଟାଲକୁ ନେଇ ଯାଇଥିଲେ। 

ତଦନ୍ତ ନିର୍ଦ୍ଦେଶ ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ
ଶବ ବ୍ୟବଚ୍ଛେଦ କରି ନ ଥିଲା ରୁଦ୍ର ହସ୍ପିଟାଲ୍‌

ବାବୁଲାଙ୍କ ଚିକିତ୍ସା ନିମନ୍ତେ ଘରୋଇ ହସ୍‌ପିଟାଲ ପକ୍ଷରୁ ୧ଲକ୍ଷ ଟଙ୍କା ଦାବି କରାଯାଇଥିଲା। ପରିବାର ଲୋକଙ୍କ ପାଖରେ ଏତେ ଟଙ୍କା ନଥିବାରୁ ଯୋଗାଡ଼ କରି ହସ୍‌ପିଟାଲରେ ଜମା କରିବେ ବୋଲି କହିଥିଲେ। ବାବୁଲାଙ୍କ ଅସ୍ତ୍ରୋପଚାର ଠିକ୍‌ଭାବେ ହୋଇଛି, କିନ୍ତୁ ତାଙ୍କର ଚେତା ଆସିନି ବୋଲି ଡାକ୍ତରଖାନା ତରଫରୁ କୁହାଯିବା ସହ ଟଙ୍କା ଜମା କରିବାକୁ କୁହାଗଲା। ଗତ ୧୬ ତାରିଖ ଦିନ ପରିବାର ପକ୍ଷରୁ ସମୁଦାୟ ୧ ଲକ୍ଷ ୧୦ ହଜାର ଟଙ୍କା ଜମା କରାଯିବାର କିଛି ସମୟ ପରେ ବାବୁଲାଙ୍କ ମୃତ୍ୟୁ ହୋଇଥିବା ହସ୍‌ପିଟାଲ ପକ୍ଷରୁ କୁହାଯାଇଥିଲା। ଶେଷରେ ପରିବାର ଲୋକେ ଆମ୍ବୁଲାନ୍ସ ଯୋଗାଡ଼ କରି ଶବକୁ ଗ୍ର‌ାମକୁ ଆଣିଥିଲେ। ହେଲେ ଆଣିବା ବାଟରେ ବାବୁଲାଙ୍କ ପେଟରେ କଟାଦାଗ ରହିଥିବା ଦେଖିବାକୁ ପାଇଥିଲେ। ମୃତ ବ୍ୟକ୍ତିଙ୍କ ମୁଣ୍ତରେ ଆଘାତ ଲାଗିଥିଲା, କିନ୍ତୁ ପେଟରେ କୌଣସି ଆଘାତ ହୋଇନଥିଲା। ତେବେ ପେଟ ପାଖରେ କାହିଁକି କଟାଯାଇଛି ଭାବି ପରିବାର ଲୋକେ ତାଙ୍କ ସର୍ମ୍ପକୀୟଙ୍କୁ ଫୋନ୍‌ କରିଥିଲେ। ଗାଁ’ରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରି ଶବକୁ କଫିନ୍‌ରେ ରଖି କବର ଦେଇଥିଲେ। ଏହାପରେ ଗତକାଲି ଏ ନେଇ ଥାନାରେ ଲିଖିତ ଭାବେ ଅଭିଯୋଗ ଦାଖଲ କରିଥିଲେ।  

ପୂର୍ବରୁ ଭେଣ୍ଟିଲେଟର୍‌ ଚୋରି ନେଇ ଉକ୍ତ ହସ୍ପିଟାଲ ନାଁରେ ଭୁବନେଶ୍ବରରେ ଅଭିଯୋଗ ହୋଇଥିଲା। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ଭେଣ୍ଟିଲେଟର୍‌ ଜବତ ମଧ୍ୟ କରିଥିଲା। ରୁଦ୍ର ହସ୍ପିଟାଲର ଅଗ୍ନିସୁରକ୍ଷା ପ୍ରମାଣପତ୍ର ନ ଥିବାରୁ ଏହାକୁ ସିଲ୍‌ ପାଇଁ ସିଡିଏମ୍‌ଓଙ୍କ ପକ୍ଷରୁ ନୋଟିସ୍‌ ଜାରି କରାଯାଇଥିଲା। କିନ୍ତୁ ହାଇକୋର୍ଟଙ୍କ ଆଦେଶ ବଳରେ ହସ୍ପିଟାଲ ସିଲ୍‌ ହୋଇ ନଥିଲା। ଅନ୍ୟ ପକ୍ଷରେ ରୁଦ୍ର ହସ୍ପିଟାଲର ମ୍ୟାନେଜର ସୁଶାନ୍ତ ବେହେରା ଏହି ଅଭିଯୋଗକୁ ମିଛ ବୋଲି କହିବା ସହିତ ଘଟଣାର ତଦନ୍ତ ବେଳେ ପୁଲିସକୁ ସବୁ ତଥ୍ୟ ଦେବେ‌ ବୋଲି କହିଛନ୍ତି। ତାଙ୍କ କହିବାନୁସାରେ ରୋଗୀଙ୍କର ନ୍ୟୁରୋସର୍ଜରି ହୋଇଥିଲା। ବ୍ୟବସ୍ଥା ଅନୁଯାୟୀ ତାଙ୍କ ଖପୁରିକୁ ନେଇ ପେଟ ତଳେ ରଖାଯାଇଥିଲା। ରୋଗୀଙ୍କ ମୃତ୍ୟୁ ଘଟିବା ପରେ ପରିବାର ଲୋକଙ୍କ କହିବା ଅନୁଯାୟୀ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ନ ପଠାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଦିଆଯାଇଥିଲା। ତେଣୁ ଅଙ୍ଗ ଚୋରି ଅଭିଯୋଗ ଅମୂଳକ ବୋଲି ଶ୍ରୀ ବେହେରା କହିଛନ୍ତି।