ମାଟ୍ରିକ୍ ପରୀକ୍ଷାରେ କପି ଅଭିଯୋଗ: ବଦଳିଲେ ବାରମାଇଲ ସ୍କୁଲ କେନ୍ଦ୍ର ଅଧୀକ୍ଷକ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଏ ବର୍ଷ ୩୫ ହଜାର ୨୩୫ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେବା ପାଇଁ ଫର୍ମପୂରଣ କରିଥିବା ବେଳେ ସେଥିମଧ୍ୟରୁ ପ୍ରାୟ ଦେଢ ହଜାର ପିଲା ପରୀକ୍ଷା ଦେଉନାହାନ୍ତି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପରୀକ୍ଷା ଚାଲିଥିଲେ ମଧ୍ୟ କେତେକ ପରୀକ୍ଷା କେନ୍ଦ୍ରରେ ଖୋଲାଖୋଲି କପି ହେ‌ଉଥିବାର ଖବର ମିଳିଛି। ଏମିତିକି ହଲ୍‌ ଭିତରେ ଛାତ୍ରଛାତ୍ରୀଙ୍କୁ ଉତ୍ତର କହି ଦିଆଯାଉଥିବା ଭଳି ସଙ୍ଗିନ ଅଭିଯୋଗ ଆସିଛି। ବାରମାଇଲ ଉପେନ୍ଦ୍ରନାଥ ଘୋଷ ସରକାରୀ ହାଇସ୍କୁଲ ପରୀକ୍ଷା କେନ୍ଦ୍ର ଭିତରକୁ ଗତକାଲି ବହି ଯାଇଥିବା ଦେଖିବାକୁ ମିଳିଥିଲା।

ଅତିରିକ୍ତ ଜିଲ୍ଲା ଶିକ୍ଷାଧିକ‌ାରୀ ଦୀପ୍ତି ନାୟକ କେନ୍ଦ୍ର ତଦାରଖ କରିବାକୁ ଯାଇଥିବା ବେଳେ ପରୀକ୍ଷା ପରିଚାଳନାରେ ବିଭ୍ରାଟ ଦେଖି ‌ଜିଲ୍ଲା ଶିକ୍ଷା ଅଧିକାରୀ ନବକିଶୋର ଗିରିଙ୍କୁ ରିପୋର୍ଟ କରିଥିଲେ। କାର୍ଯ୍ୟାନୁଷ୍ଠାନ ସ୍ବରୂପ କେନ୍ଦ୍ର ଅଧୀକ୍ଷକ ହରିଶଚନ୍ଦ୍ର ପାଲଙ୍କୁ ହଟାଯାଇ ତାଙ୍କ ସ୍ଥାନରେ ପଳାସମୁଣ୍ଡଳୀ ଡିଏନ୍‌ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରିୟା ତରାଇଙ୍କୁ ଦାୟିତ୍ବ ଦିଆଯାଇଛି। ଏଥିସହିତ ବିଦ୍ୟାଳୟର ଦୁଇ ଶିକ୍ଷକ ଆନନ୍ଦ କୁମାର ଦେ ଓ ବସନ୍ତ କୁମାର ଦତ୍ତଙ୍କୁ ନିଲମ୍ବନ କରାଯାଇଥିବା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର