ବାରିପଦା : ୩ ଘଣ୍ଟା ମଧ୍ୟରେ ବାରିପଦା ପିଆର୍‌ଏମ୍ ମେଡିକାଲ କଲେଜ ହାସ୍‌ପାତାଳରେ ୨ଜଣ ପ୍ରସୂତି ଓ ଜଣେ ଗର୍ଭବତୀ ମହିଳାଙ୍କର ମୃତ୍ୟୁ ଘଟିଛି। ଦାୟିତ୍ବରେ ଥିବା ଡାକ୍ତର ଓ ନର୍ସଙ୍କ ଅବହେଳା ଯୋଗୁଁ ଏହି ଅଘଟଣ ଘଟିଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ସୋମବାର ଦିନତମାମ ମେଡିକାଲ୍‌ କଲେଜ ପରିସରରେ ତୀବ୍ର ଉତ୍ତେଜନା ଲାଗି ରହିଥିଲା।

Advertisment

ସୂଚନା ଅନୁଯାୟୀ, ବେତନଟୀ ଥାନା ଲଙ୍ଗଳକଟା ଗ୍ରାମର ବାସନ୍ତୀ ମହାନ୍ତଙ୍କର ଗର୍ଭ ଯନ୍ତ୍ରଣା ହେବାରୁ ସ୍ବାମୀ ହରିଶ୍ଚନ୍ଦ୍ର ମହାନ୍ତ ତାଙ୍କୁ ୨ ଦିନ ପୂର୍ବେ ବାରିପଦା ପିଆର୍‌ଏମ୍‌ ମେଡିକାଲରେ ଭର୍ତ୍ତି କରିଥିଲେ। ସୋମବାର ଦିନ ଅସ୍ତ୍ରୋପଚାର ମାଧ୍ୟମରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ ବାସନ୍ତୀ। ହେଲେ, ଏହାପରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା ଓ କିଛି ସମୟ ପରେ ସେ ଆଖି ବୁଜିଥିଲେ। ଡାକ୍ତର ଓ ନର୍ସଙ୍କ ଅବହେଳା ପାଇଁ ବାସନ୍ତୀଙ୍କର ମୃତ୍ୟୁ ଘଟିଛି ବୋଲି ପରିବାର ଲୋକ ଅଭିଯୋଗ କରିଥିଲେ ମଧ୍ୟ କେହି ଏହାକୁ ଗୁରୁତ୍ବ ଦେଇ ନଥିଲେ। ଏହାର କିଛି ସମୟ ପରେ ଚିକିତ୍ସାଧୀନ ଅବସ୍ଥାରେ ବଡ଼ସାହି ଥାନା ଗଜଡ଼ିହି ଗ୍ରାମର ଭାବଗ୍ରାହୀ ବେହେରାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଲକ୍ଷ୍ମୀପ୍ରିୟା ଗର୍ଭବତୀ ଥିବାବେଳେ ଗତକାଲି ତାଙ୍କୁ ଏକ ସାପ କାମୁଡ଼ି ଦେଇଥିଲା। ପରିବାର ଲୋକେ ତାଙ୍କୁ ଆଣି ଏଠାରେ ଭର୍ତ୍ତି କରିଥିବାବେଳେ ତାଙ୍କର ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା। କିନ୍ତୁ, କେହି ତାଙ୍କର ଚିକିତ୍ସା କଲେନି। ଶେଷରେ ଯନ୍ତ୍ରଣାରେ ଛଟପଟ ହୋଇ ଲକ୍ଷ୍ମୀପ୍ରିୟାଙ୍କର ମୃତ୍ୟୁ ଘଟିଲା ବୋଲି ଘର ଲୋକେ କହିଛନ୍ତି। ଦୁଇଜଣ ପ୍ରସୂତିଙ୍କ ମୃତ୍ୟୁ ପରେ ବି ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ଅନୁଶୋଚନା କିମ୍ବା ତତ୍ପରତା ପ୍ରକାଶ ପାଇଲାନି। ବରଂ ସାପ କାମୁଡ଼ାରେ ଲକ୍ଷ୍ମୀପ୍ରିୟାଙ୍କ ମୃତ୍ୟୁ ହୋଇଛି କହି ୱାର୍ଡରୁ ଅନ୍ତର୍ଦ୍ଧାନ ହୋଇଗଲେ ଡାକ୍ତର। ତେବେ କଥା ଏତିକିରେ ସରିନଥିଲା। ଲକ୍ଷ୍ମୀପ୍ରିୟାଙ୍କ ମୃତ୍ୟୁର ୨ ଘଣ୍ଟା ପରେ ପଶ୍ଚିମବଙ୍ଗ ଝାଡ଼ଗ୍ରାମର କୃଷ୍ଣଚନ୍ଦ୍ର ବେହେରାଙ୍କ ପତ୍ନୀ ବିଉଟି ମଧ୍ୟ ଆଖି ବୁଜିଥିଲେ। ଗର୍ଭ ଯନ୍ତ୍ରଣା ହେବାରୁ ବିଉଟିଙ୍କୁ ଗତକାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସୋମବାର ଦିନ ଅସ୍ତ୍ରୋପଚାର ପରେ ସେ ଏକ ଶିଶୁକୁ ଜନ୍ମ ଦେଇ ଆଖି ବୁଜିଥିଲେ। ଚିକିତ୍ସାରେ ଅବହେଳା ପାଇଁ ପତ୍ନୀଙ୍କ ମୃତ୍ୟୁ ଘଟିଥିବା ସ୍ବାମୀ କୃଷ୍ଣଚନ୍ଦ୍ର ଅଭିଯୋଗ କରିଥିଲେ।

୩ ଜଣ ମୃତକଙ୍କ ପରିବାର ଲୋକଙ୍କ କନ୍ଦାକଟା ଓ ସମ୍ପର୍କୀୟଙ୍କ ପାଟିତୁଣ୍ଡ ମଧ୍ୟରେ ଡାକ୍ତରଖାନା ପରିସରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ସ୍ଥାନୀୟ ବିଜେପି ନେତା ଓ କର୍ମୀମାନେ ପହଞ୍ଚି ମୃତକଙ୍କ ପରିବାରକୁ ଭେଟିବା ସହ ଚିକିତ୍ସା ଅବହେଳା ପ୍ରତିବାଦରେ ହୋ’ହାଲ୍ଲା କରିଥିଲେ। ବାରିପଦା ଟାଉନ୍‌ ଥାନା ଅଧିକାରୀ ବିରେନ୍ଦ୍ର ସେନାପତି ପୁଲିସ ଫୋର୍ସ ସହ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ। ଏହା ପରେ ୩ ମହିଳାଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକକୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି। ୨ଟି ପରିବାର ମୃତକଙ୍କ ଶବ ଧରି ଫେରି ଯାଇଥିବା ବେଳେ ମୃତ ବାସନ୍ତୀଙ୍କ ସ୍ବାମୀ ହରିଶ୍ଚନ୍ଦ୍ର ମହାନ୍ତ କିନ୍ତୁ ଡାକ୍ତର ଓ ନର୍ସଙ୍କ ବିରୋଧରେ ବାରିପଦା ଟାଉନ ଥାନାରେ ଏତଲା ଦେଇଥିଲେ। ଏଥିସହ ସନ୍ଧ୍ୟାରେ ବାଲେଶ୍ବର ଗୋଲେଇ ଛକ ନିକଟରେ ମୃତଦେହ ରଖି ପରିବାର ଲୋକଙ୍କ ସହ ଧାରଣା ଦେଇଥିଲେ। ଫଳରେ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।

ଏ ସମ୍ପର୍କରେ ମେଡିକାଲ କଲେଜର ସୁପରିନ୍‌ଟେଣ୍ଡେଣ୍ଟ ଡାକ୍ତର ପ୍ରତିଭା ପଣ୍ଡାଙ୍କୁ ପଚାରିବାରୁ ସେ କହିଥିଲେ, ଘଟଣାର ତଦନ୍ତ କରାଯିବ। ଚିକିତ୍ସା ଅବହେଳାରୁ କାହାର ମୃତ୍ୟୁ ଘଟିଥିବା ପ୍ରମାଣ ମିଳି‌ଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।