ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ, ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ

ପାଇଖାନା ଟାଙ୍କି, ନାଳ ସଫା କରିବାକୁ ବାଧ୍ୟ କରୁଛନ୍ତି ପ୍ରଧାନଶିକ୍ଷକ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର‌ ଅନୁସୂଚିତ ଜାତି ଓ ଜନଜ‌ାତି ବିଭାଗ ଦ୍ବାରା ପରିଚାଳିତ ସ୍କୁଲ୍ ହଷ୍ଟେଲ୍‌ରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ନାନା ପ୍ରକାର ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ୍‌ର ପାଇଖାନା ଟାଙ୍କି ଏବଂ ହଷ୍ଟେଲ୍‌ର ରୋଷେଇଘର ପଛପଟେ ଥିବା ନାଳ ସଫା କରିବାକୁ ବାଧ୍ୟ କରାଯାଉଛି। ଆଜି ଏଭଳି ଅଭିଯୋଗ ଆଣି ଜଣେ ଛାତ୍ରୀ ତାଙ୍କ ବାପାଙ୍କ ସହ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି। କଲ୍ୟାଣ ବିଭାଗ ଅଧୀନରେ ଥିବା ଖଜୁରୀପଡ଼ା ବ୍ଲକ୍ ସୁଡ୍ରେଜୁ ହାଇସ୍କୁଲ୍‌ର ଅଷ୍ଟମ ଶ୍ରେଣୀ ଛାତ୍ରୀ ଚୁମ୍‌କି ସୁନା ଏବଂ ତାଙ୍କ ବାପା ଗୋପାଳ କିଶୋର ସୁନା ଆଜି ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲଙ୍କୁ ଭେଟି ନିର୍ଯାତନା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଅଭିଯୋଗ ଅନୁସାରେ, ଗତ ସେପ୍ଟେମ୍ବର ମାସ ୨୪ ତାରିଖରେ ଗୋପାଳ ତାଙ୍କ ଝିଅ ଚୁମ୍‌କିଙ୍କୁ ଭେଟିବାକୁ ହଷ୍ଟେଲ୍‌କୁ ଯାଇଥିଲେ। ଏହି ସମୟରେ ଝିଅର ଦୁଇହାତ, ଗୋଡ଼ ଏବଂ ପେଟରେ ଘା ହୋଇଥିବା ଦେଖି ଗୋପାଳ ପଚାରିଥିଲେ। କିନ୍ତୁ ପ୍ରଧାନଶିକ୍ଷକଙ୍କୁ ଡରି ଚୁମ୍‌କି ବାପାଙ୍କୁ କିଛି କହି ନଥିଲେ। ତେବେ ବାରମ୍ବାର ପଚାରିବାରୁ ଚୁମ୍‌କି ସବୁ ସତ କଥା କହିବାକୁ ବାଧ୍ୟ ହୋଇଥିଲେ। ଚୁମ୍‌କି କହିଛନ୍ତି, ବିନା ମାସ୍କ୍ ଓ ହ୍ୟାଣ୍ଡ୍ ଗ୍ଲୋଭସରେ ପାଇଖାନା ଟାଙ୍କି ଏବଂ ନର୍ଦ୍ଦମା ସଫା କରିବାକୁ ପିଲାଙ୍କୁ ବାଧ୍ୟ କରାଯାଉଛି। ଛାତ୍ରୀମାନେ ମନା କଲେ, ପ୍ରଧାନଶିକ୍ଷକ ସେମାନଙ୍କୁ ନାନା ପ୍ରକାର ଅକଥନୀୟ ନିର୍ଯାତନା ଦେଉଥିଲେ ଏବଂ ଡରାଇ ଧମକାଇ କାମ କରିବାକୁ ବାଧ୍ୟ କରାଉଥି‌ଲେ ବୋଲି ଚୁମ୍‌କି ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ ଅଭିଯୋଗକୁ ଗୁରୁତ୍ବର ସହ ଗ୍ରହଣ କରିଛନ୍ତି। ଏହାର ତଦନ୍ତ ପାଇଁ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତୁରନ୍ତ ତଦନ୍ତ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି। କେବଳ ସୁଡ୍ରେଜୁ ବିଦ୍ୟାଳୟ ହଷ୍ଟେଲ୍ ନୁହେଁ, ଜିଲ୍ଲାର ଅଧିକାଂଶ ହଷ୍ଟେଲ୍‌ରେ ଛାତ୍ରଛାତ୍ରୀଙ୍କୁ ଏଭଳି ଅକଥନୀୟ ନିର୍ଯାତନା ଘଟଣା ସାମ୍ନାକୁ ଆସିଛି।

ସମ୍ବନ୍ଧିତ ଖବର