ବଲାଙ୍ଗୀର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ତଦନ୍ତ ପୂର୍ବରୁ ମହିଳା ଅଧିକାରୀଙ୍କୁ ଚାପ!, ନିୟମ ଅନୁସାରେ ତଦନ୍ତ ହେବ: ଜିଲ୍ଲାପାଳ,

ବଲାଙ୍ଗୀର: ବଲାଙ୍ଗୀର ଯୋଗାଣ ବିଭାଗର ମୁଖ୍ୟ ଯୋଗାଣ ଅଧିକାରୀ ମୀର ରାଜା ଅଲ୍ଲୀଙ୍କ ବିରୋଧରେ ସେଇ ଅଫିସରେ ଜଣେ ମହିଳା ସହକର୍ମୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ପ୍ରଥମେ ଲକ୍ଷାଧିକ ଟଙ୍କା ଲାଞ୍ଚ ମାଗିଲେ, ତାପରେ ଦୁର୍ବ୍ୟବହାର ଓ ଶେଷରେ ବିଳମ୍ବିତ ରାତି ଯାଏ ଅଫିସରେ କାମ କରାଇ ଅଶାଳୀନ ମନ୍ତବ୍ୟ ଦେଇଥିବା ଭଳି ସଂଗିନ ଅଭିଯୋଗ ଆଣିଛନ୍ତି ସଂପୃକ୍ତ ମହିଳା ଅଧିକାରୀ। ଶୁକ୍ରବାରରୁ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ ଦାଖଲ କରିଥିବା ବେଳେ ଘଟଣା ଚପାଇ ଦେବାକୁ ଅନ୍ୟ ଅଧିକାରୀ ଚାପ ପକାଉଥିବା ମହିଳା ଅଧିକାରୀ କହିଛନ୍ତି। ଅନ୍ୟପଟେ ଜିଲ୍ଲାପାଳ କହିଛନ୍ତି, ଅଭିଯୋଗ ହସ୍ତଗତ ହୋଇଛି। ନିୟମ ଅନୁସାରେ ତଦନ୍ତ କରାଯିବ। ସତ କଣ ତାପରେ ଜଣାପଡ଼ିବ ବୋଲି କହିଛନ୍ତି। ଅନ୍ୟପଟେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ସବୁ ଅଭିଯୋଗକୁ ମିଥ୍ୟା ବୋଲି କହି ଖଣ୍ଡନ କରିଛନ୍ତି।

ଅଭିଯୋଗ ମିଥ୍ୟା କହିଲେ ମୁଖ୍ୟ ଯୋଗାଣ ଅଧିକାରୀ

ଶୁକ୍ରବାର ସଂଧ୍ୟାରେ ଏହି ଅଭିଯୋଗ ହେବା ପରେ ଚିଫ୍‌ ସିଏସ୍‌ଓଙ୍କୁ ଡାକି ଜିଲ୍ଲାପାଳ ପଚରାଉଚରା କରିଥିଲେ। ଶନିବାର ସକାଳୁ ଅଭିଯୋଗକାରିଣୀଙ୍କୁ ଜିଲ୍ଲାପାଳ ପଚରାଉଚରା କରିବାର ଥିଲା। ତେଣୁ ୧୧ଟାରୁ ଆସି ଜିଲ୍ଲାପାଳ କାର୍ଯ୍ୟାଳୟ ପାଖରେ ଥିବା ପ୍ରତୀକ୍ଷା ଗୃହରେ ଅଭିଯୋଗକାରିଣୀ ଅପେକ୍ଷା କରିଥିଲେ। ସେତେବେଳେ ତାଙ୍କ ପାଖକୁ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ବାର ବାର ଫୋନ୍‌ ଆସୁଥିଲା। ଘଟଣାକୁ ରଫାଦଫା କରିବା ପାଇଁ ଚାପ ଦିଆଯାଉଥିଲା। କିଛି ଅଧିକାରୀଙ୍କ ସହିତ କଥା ହେଲା ପରେ ଗଣମାଧ୍ୟମକୁ ଖୋଲାଖୋଲି ମହିଳା ଅଧିକାରୀ କହିଥିଲେ, ମାମଲା ପ୍ରତ୍ୟାହାର ପାଇଁ ତାଙ୍କୁ ଚାପ ଦିଆଯାଉଛି।

ଅଭିଯୋଗ ସଂପର୍କରେ ମହିଳା ଅଧିକାରୀ କହିଥିଲେ, ତାଙ୍କୁ ବିଭିନ୍ନ ସମୟରେ ଇଂଗିତ ଇଂଗିତରେ ଦୁର୍ବ୍ୟବହାର ପ୍ରଦର୍ଶନ ସହ ଯୌନ ନିର୍ଯାତନା ଦେଉଥିଲେ। ଯାହା ସବୁ ସେ ତାଙ୍କୁ କରିଛନ୍ତି, ସେସବୁ ଲିଖିତ ଜଣାଇଛନ୍ତି। ଯଦି ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ନନେବେ ସେ ଏଫ୍‌ଆଇଆର୍‌ ଦେବେ ବୋଲି ଗଣମାଧ୍ୟମ ଆଗରେ କହିଥିଲେ। ଶେଷରେ ମହିଳା ଅଧିକାରୀଙ୍କ ସହ ଜିଲ୍ଲାପାଳ କାର୍ଯ୍ୟାଳୟର କିଛି କର୍ମଚାରୀ ଆଲୋଚନା କଲା ପରେ ସେ ଜିଲ୍ଲାପାଳ କାର୍ଯ୍ୟାଳୟର ପଛପଟୁ ହଠାତ ଚାଲିଯାଇଥିଲେ। ଅନ୍ୟପଟେ ଘଟଣା ସଂପର୍କରେ ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ପଚାରିବାରୁ କହିଛନ୍ତି, କାମ ପାଇଁ ତାଗିଦ କରିବାରୁ ତାଙ୍କ ନାଁରେ ଅଭିଯୋଗ ଆସିଛି। ସେ କୌଣସି ନିର୍ଯାତନା ଦେଇ ନାହାନ୍ତି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର