ଭୁବନେଶ୍ୱର : ଝାରସୁଗୁଡ଼ା ଉପନିର୍ବାଚନ ପ୍ରଚାର ବେଳେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି। ରବିବାର ଦିନ ବିଜେଡିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛି।
ନିର୍ବାଚନ ଅଧିକାରୀଙ୍କ ନିକଟକୁ ବିଜେଡି ପ୍ରତିନିଧି ଦଳରେ ଯାଇଥିବା ଦଳର ମୁଖପାତ୍ର ଗୌତମବୁଦ୍ଧ ଦାସ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଆଜି ନିର୍ବାଚନ ପ୍ରଚାରରେ ଝାରସୁଗୁଡ଼ା ଯାଇଥିବା ଶ୍ରୀ ପ୍ରଧାନ ତାଙ୍କ ନିଜ ଟୁଇଟର ଆକାଉଣ୍ଟରୁ ତାଙ୍କ ଜନସଭା ପାଇଁ ପ୍ରସ୍ତୁତ ଏକ ପୋଷ୍ଟରକୁ ରି-ଟୁଇଟ୍ କରିଛନ୍ତି । ଏହି ପୋଷ୍ଟରରେ ଜି-୨୦ ସମ୍ମିଳନୀ ପାଇଁ ଭାରତ ସରକାରଙ୍କ ଲୋଗୋ ଏବଂ ସ୍ୱାଧୀନତାର ୭୫ ବର୍ଷ ପାଳନ ପାଇଁ ଉଦ୍ଦିଷ୍ଟ ଆଜାଦି କା ଅମୃତ ମହୋତ୍ସବର ଲୋଗୋ ସ୍ଥାନ ପାଇଛି । ଏହାକୁ ଆମେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ପ୍ରମାଣ ଭାବେ ଉପସ୍ଥାପନ କରିଛୁ ।
ଆଦର୍ଶ ନିର୍ବାଚନ ଆଚରଣ ବିଧି ଅନୁଯାୟୀ କୌଣସି ଜାତୀୟ କିମ୍ବା ଆଞ୍ଚଳିକ ଦଳ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ସରକାରୀ ଲୋଗୋ ବା ଚିହ୍ନକୁ ବ୍ୟବହାର କରିପାରିବ ନାହିଁ । କିନ୍ତୁ ବିଜେପି ବାରମ୍ୱାର ଏଭଳି ଆଚରଣ ବିଧି ଉଲ୍ଲଂଘନ କରି ଆସୁଛି । କେତେବେଳେ ଗୁଣ୍ଡାଗର୍ଦ୍ଦି ଓ ଆକ୍ରମଣ କରି ଭୋଟରଙ୍କୁ ଭୟଭୀତ କରୁଛି ତ ଆଉ କେତେବେଳେ ରାତି ଅଧରେ ପ୍ରଚାର କରି ପ୍ରଭାବିତ ଓ ପ୍ରଲୋଭିତ କରିବାକୁ ଉଦ୍ୟମ ହେଉଛି। ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି ଜଣେ ଅଭିଜ୍ଞ ଓ ବରିଷ୍ଠ ମନ୍ତ୍ରୀ ଏହା କେମିତି ଏଭଳି କଲେ ତାହା ଆମକୁ ବିସ୍ମିତ କରିଛି । ଭାରତର ଶିକ୍ଷାମନ୍ତ୍ରୀଙ୍କ ପକ୍ଷରେ ଏଭଳି ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଶୋଭନୀୟ ନୁହେଁ। ବିଜେଡିର ଏହି ପ୍ରତିନିଧି ଦଳରେ ଦଳୀୟ ମୁଖପାତ୍ର ତୁମ୍ବନାଥ ପଣ୍ଡା, ପ୍ରିୟବ୍ରତ ମାଝୀ, ଲୋରା ମହାପାତ୍ର, ଇପସିତା ସାହୁ ଓ ମଧୁସ୍ମିତା ନାୟକ ପ୍ରମୁଖ ସାମିଲ ଥିଲେ ।