ଅଦାଲତ ସମୟ ନଷ୍ଟ ଅଭିଯୋଗ: ମାମଲା ରୁଜୁ କରିଥିବା ବ୍ୟକ୍ତି ଦେବେ ୫୦ ହଜାର ଟଙ୍କା

କଟକ : ଅଯଥା ପିଟିସନ ଦାଖଲ କରି ଅଦାଲତଙ୍କ ସମୟ ନ‌ଷ୍ଟ କରିବା ପ୍ରସଙ୍ଗକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ମାମଲା ଦାୟର କରିଥିବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦୁଇ ସପ୍ତାହ ଭିତରେ ଆବେଦନକାରୀ ୫୦ ହଜାର ଟଙ୍କା ହାଇକୋର୍ଟ ବାର୍ ଆସୋସିଏସନ ୱେଲଫେୟାର ପାଣ୍ଠିରେ ଜମାକରି ଏ ସଂପର୍କିତ ରସିଦ ହାଇକୋର୍ଟରେ ଦାଖଲ କରିବେ। ଅଯଥା ପ୍ରସଙ୍ଗକୁ ନେଇ ଏଭଳି ନିର୍ବୋଧ ପିଟିସନ ଦାଖଲକୁ ହତୋତ୍ସାହିତ କରିବା ପାଇଁ ଏବଂ ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ନ କରିବା ଲାଗି ଏପରି ୫୦ ହଜାର ଟଙ୍କା ଜମା ସଂପର୍କିତ ନିର୍ଦ୍ଦେଶ ଦିଆଯାଉଛି ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି। ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ବି.ପଟ୍ଟନାୟକଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ, ପୁଲିସ ନିଷ୍କ୍ରିୟତା ଅଭିଯୋଗ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ନିଜକୁ ସୂଚନା ଅଧିକାର କର୍ମୀ/ସାମାଜିକ କର୍ମୀ ବୋଲି ସେ ଦର୍ଶାଇଥିଲେ। ପୁରୀ ଜିଲ୍ଲା ଅନ୍ତର୍ଗତ ବ୍ରହ୍ମଗିରିସ୍ଥିତ ମହାବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗର ପ୍ରାଧ୍ୟାପକଙ୍କ ବିରୋଧରେ ସେ ଏତଲା ଦେଇଥିଲେ। ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ଯେ ଏହି ପ୍ରସଙ୍ଗକୁ ନେଇ ରହିଥିବା ଅଭିଯୋଗର ଉଚ୍ଚଶିକ୍ଷା ବିଭାଗ ତଦନ୍ତ ଆରମ୍ଭ କରିଥିଲା। ଉଚ୍ଚଶିକ୍ଷା ବିଭାଗ ନିକଟରେ ଏହି ପ୍ରସଙ୍ଗ ବିଚାରାଧୀନ ରହିଥିବା ବେଳେ ଆବେଦନକାରୀ ଏଭଳି ମାମଲା ରୁଜୁ କରି ଅଯଥାରେ ଅଦାଲତଙ୍କ ସମୟ ନଷ୍ଟ କରିଛନ୍ତି ବୋଲି ହାଇକୋର୍ଟ କହିଛନ୍ତି।

ସମ୍ବନ୍ଧିତ ଖବର