ସମ୍ବଲପୁର: ସମ୍ବଲପୁରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ ବେଳେ ପୁଲିସ ସହ ବିଜେପି କର୍ମୀଙ୍କ ଧସ୍ତାଧସ୍ତି ହୋଇଛି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ସମ୍ବଲପୁରରେ ବିଜେପି ପ୍ରତିବାଦ କରୁଥିବା ବେଳେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଧନୁପାଲି ଆଇଆଇସିଙ୍କୁ ଧକ୍କା ମାରିଥିବା ନେଇ ଅଭିଯୋଗ ହୋଇଛି। ତେବେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି।
ଜୟନାରାୟରଣ କହିଛନ୍ତି, ଆମେ ଆଇନ ଅମାନ୍ୟ ଆନ୍ଦୋଳନ କରୁଥିଲୁ । ଆଇନ ଅମାନ୍ୟ ଆନ୍ଦୋଳନରେ ସାଧାରଣତଃ ଠେଲା ପେଲା ହୋଇଥାଏ। କିନ୍ତୁ ଧନୁପାଲ୍ଲୀ ଆଇଆଇସି ଜାଣିକରି ମୋତେ ଧକ୍କା ମାରିଥିଲେ। ସେ ବହୁତ ଦୁର୍ନୀତି କାମରେ ସମ୍ପୃକ୍ତ ଅଛନ୍ତି। ତାଙ୍କୁ ପ୍ରଶ୍ନ କରିବାରୁ ସେ ଧକ୍କା ମାରୁଛନ୍ତି। ଯଦି ପୁଲିସ ବିରୋଧୀ ଦଳ ନେତାଙ୍କୁ ଧକ୍କା ମାରୁଛି ତାହା ହେଲେ ପୁଲିସର ଆଚରଣ କେମିତି ହୋଇଥାଇପାରେ ତାହା ଅନୁମାନ କରନ୍ତୁ ବୋଲି କହିଛନ୍ତି। ସେ ପ୍ରଥମେ ଧକ୍କା ମାରିବା ପରେ ମୁଁ ତାଙ୍କୁ କହିଥିଲି ତୁମେ ଦୁର୍ନୀତିଗ୍ରସ୍ତ ଲୋକ। ତାହା ପରେ ପୁଣିଥରେ ଉତ୍ତେଜିତ ହୋଇ ସେ ମୋତେ ଧକ୍କା ମାରିଥିଲେ। ଧନୁପାଲ୍ଲୀ ଥାନା ଏବେ ଡକାୟତି ସେଣ୍ଟରରେ ପରିଣତ ହୋଇଛି। ଓଡ଼ିଶା ପୁଲିସ ଆଇନ ଶୃଙ୍ଖଳାକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରି ସାରିଛି। ମୁଁ ତାଙ୍କୁ ଚିହ୍ନିନାହିଁ, ସେ ମୋତେ ଧକ୍କା ମାରିବା ପରେ ମୁଁ ଜାଣିଲି। ମୁଁ ଯାହା କହୁଛି ତାଙ୍କୁ ବାଧୁଛି ବୋଲି ଏମିତି କରିଥିବେ ବୋଲି ଜୟନାରାୟଣ କହିଛନ୍ତି।
ଅନ୍ୟପଟରେ ଧନୁପାଲି ଆଇଆଇସି ଅନୀତା ପ୍ରଧାନ କହିଛନ୍ତି, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ମୋ ଉପରକୁ ହାତ ଉଠାଇଛନ୍ତି। ଏନେଇ ମୁଁ ଥାନାରେ ଏତଲା ଦେବି। ଏହି ମାମଲା ନେଇ ସମ୍ବଲପୁର ଏସ୍ପି ବି ଗଙ୍ଗାଧର କହିଛନ୍ତି, ଠେଲାପେଲା ହୋଇଛି। ଆମେ ଘଟଣା ଉପରେ ନଜର ରଖିଛୁ। ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡ଼ିବ। ତଦନ୍ତରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/b3963ef0-46a3-4c9c-94d6-0a4682c77bcc.jpg)