ରାଜ୍ୟ ପରିବହନ ବିଭାଗର ନିର୍ଦ୍ଦେଶକୁ ଖୋଲାଖୋଲି ଅବମାନନା: ଧାର୍ଯ୍ୟରୁ ଢେର ଅଧିକ ବସ ଭଡ଼ା ନେଉଥିବା ଅଭିଯୋଗ

ବଡ଼ବିଲ : ରାଜ୍ୟ ପରିବହନ ବିଭାଗର ନିର୍ଦ୍ଦେଶକୁ ଖୋଲାଖୋଲି ଅବମାନନା କରୁଥିବା ଭଳି ସଙ୍ଗିନ ଅଭିଯୋଗ ଆସିଛି। ବିଭାଗର ଧାର୍ଯ୍ୟ ବସ ଭଡା ଠାରୁ ଢେର ଅଧିକ ଭଡା ଯାତ୍ରୀଙ୍କ ଠାରୁ ନିଆଯାଉଥିବାବେଳେ, ଅଭିଯୋଗ ଶୁଣିବାକୁ କେହିନାହାଁନ୍ତି। ରାଜ୍ୟ ସରକାରଙ୍କ ପରିବହନ ବିଭାଗ ପକ୍ଷରୁ ସମସ୍ତ ବସ ସେବାକୁ ୫ଟି ଶ୍ରେଣୀରେ ବିଭକ୍ତ କରାଯାଇଛି। ଭିନ୍ନ ଭିନ୍ନ ଶ୍ରେଣୀ ପାଇଁ ଭିନ୍ନ ଭଡ଼ା ଧାର୍ଯ୍ୟ କରାଯାଇଛି। ହେଲେ କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଉପଖଣ୍ଡ ଅଂଚଳରେ ଏହାର ସମ୍ପୂର୍ଣ୍ଣ ବ୍ୟତିକ୍ରମ ଦେଖିବା‌କୁ ମିଳୁଛି। ଯାତ୍ରୀମାନେ ସାଧାରଣ(ଅର୍ଡିନାରୀ ବସସେବା) ବସରେ ଯାତ୍ରା କରୁଥିବା ସମୟରେ ସେମାନଙ୍କ ଠାରୁ ଧାର୍ଯ୍ୟ ଦର ଠାରୁ ଦୁଇରୁ ତିନି ଗୁଣା ଭଡା ଜୋରଜବରଦସ୍ତ ନିଆଯାଉଥିବା ଅଭିଯୋଗ ହେଉଛି। ଏପରିକି ଅର୍ଡିନାରୀ ବସରେ ଯାତ୍ରା କରୁଥିଲେହେଁ, କଣ୍ଡକ୍ଟରମାନେ ଯାତ୍ରୀଙ୍କ ଠାରୁ ଏକ୍ସପ୍ରେସ କିମ୍ବା ଡିଲକ୍ସ ବସସେବାର ଭଡା ନେଉଥିବା ଦେଖିବାକୁ ମିଳୁଛି।

ଯେହେତୁ ଚମ୍ପୁଆ, ଯୋଡ଼ା ଓ ବଡ଼ବିଲ ଉପାନ୍ତ ଅଂଚଳ ଓ ଆଦିବାସୀ ବହୁଳ ଅଂଚଳ ତଥା ସରଳ ଲୋକଙ୍କ ସୁଯୋଗ ନେଇ ଯାତ୍ରୀଙ୍କ ଠାରୁ ଭଡା ଲୁଟ କରିବାରେ ଲାଗିଛନ୍ତି। ସମସ୍ତ ବସରେ ବସଭଡା ସମ୍ପର୍କିତ ସମସ୍ତ ତଥ୍ୟର ସୂଚନା ପ୍ରଦାନ ପାଇଁ ବିଭାଗୀୟ ନିର୍ଦ୍ଦେଶ ଥିଲେ ହେଁ, କୌଣସି ଗୋଟିଏ ହେଲେ ବସରେ ଏନେଇ କୌଣସି ସୂଚନା ପ୍ରଦାନ କରାଯାଉନାହିଁ। ଫଳରେ ଲୋକେ ଶୋଷଣର ଶିକାର ହେଉଛନ୍ତି। ଅନ୍ୟପକ୍ଷେ ବିଭାଗୀୟ ଅନୁମତି ପାଇ ବସ ଯେଉଁ ରାସ୍ତା ଦେଇ ଯୋଉ ଯୋଉ ସ୍ଥାନୁକୁ ଯିବା କଥା, ସେ ସବୁ ସ୍ଥାନକୁ ଯାଉ ନଥିବାରୁ ଯାତ୍ରୀମାନେ ହଇରାଣ ହରକତ ହେଉଛନ୍ତି। ଠିକଣା ଜାଗାକୁ ବସ ନଯିବାରୁ ଯାତ୍ରୀ ସବୁ ବାଧ୍ୟ ହୋଇ ବସରୁ ଓହ୍ଲାଇବାପରେ ଭଡା ଗାଡି କରି ଠିକଣା ଜାଗାକୁ ଯାଉଛନ୍ତି। ଅନ୍ୟପକ୍ଷେ କେତେକ ବସରେ ଅନଭିଜ୍ଞ କଣ୍ଡକ୍ଟର(ବିନା ଳାଇସେନ୍ସ) ଥିବାରୁ ଯାତ୍ରୀଙ୍କ ସମସ୍ୟାକୁ ଦ୍ବିଗୁଣିତ ହେଉଛି।

ବଡ଼ବିଲରୁ ଯୋଡା ମାତ୍ର ୧୦ କିଲୋମିଟର ରାସ୍ତା ହୋଇଥିବାବେଳେ ପରିବହନ ବିଭାଗର ଧାର୍ଯ୍ୟ ଭଡା(ଅର୍ଡିନାରୀ ବସଭଡା) ୯ ଟଙ୍କା ୨୦ ପଇସା ବଦଳରେ ୨୦ ଟଙ୍କା ନିଆଯାଉଛି। ସେହିପରି ବଡ଼ବିଲରୁ ବାସୁଦେବପୁର ୨୫ କିଲୋମିଟର ରାସ୍ତା ହୋଇଥିବାବେଳେ, ୨୩ ଟଙ୍କା ଭଡା ବଦଳରେ ୪୦ ଟଙ୍କା ଜୋରଜବରଦସ୍ତ ନେଇଥିବା ଅଭିଯୋଗ ଆଣିଛନ୍ତି ବସରେ ଯାତ୍ରା କରୁଥିବା ବସଯାତ୍ରୀ। ଏନେଇ ପରିବହନ ବିଭାଗର ଆରଟିଓ, କେନ୍ଦୁଝର ଓ ଏଆରଟିଓ, ବଡ଼ବିଲକୁ ଗତ ୧୦ ତାରିଖରେ ହ୍ବାଟସଆପ୍ ଯୋଗେ ଅଭିଯୋଗ କରାଯାଇଥିଲେହେଁ ଫଳ ଶୂନ। ଏନେଇ ଯାତ୍ରୀ ଜଣକ ଗତ ୨୨ ତାରିଖରେ ଏଆରଟିଓ, ବଡ଼ବିଲର ସବୁଆ ମାଝୀଙ୍କୁ ଯାଇ ଅଭିଯୋଗ ସମ୍ପର୍କରେ ଜଣାଇବାପରେ ‌ଶ୍ରୀ ମାଝୀ ପ୍ରକାଶ କରିଥିଲେ ଯେ ଆମ ପାଖରେ ଅଧିକ କର୍ମଚାରୀ ନାହାଁନ୍ତି ଏବଂ ଆପଣଙ୍କର ଯାହା ଅଭିଯୋଗ ଆପଣ ଲେଖିକି ଦିଅନ୍ତୁ। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ବିଭାଗୀୟ ଅଧିକାରୀଙ୍କ ଯାତ୍ରୀ ପ୍ରତି ଏଭଳି ବ୍ୟବହାର ନୈରାଶ୍ୟ ଜନକ । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଇ ବସ ଯାତ୍ରୀଙ୍କ ସମସ୍ତ ସମସ୍ୟାର ସମାଧାନ ଦିଗରେ ଯତ୍ନବାନ ହେବାକୁ ସାଧାରଣରେ ଦାବି ହେଉଅଛି।

ସମ୍ବନ୍ଧିତ ଖବର