ମହିଳା ସରପଞ୍ଚଙ୍କୁ କନିଷ୍ଠ ଯନ୍ତ୍ରୀଙ୍କ ଦୁର୍ବ୍ୟବହାର ଅଭିଯୋଗ

ସୁକିନ୍ଦା : ସୁକିନ୍ଦା ବ୍ଲକ୍‌ ହରିପୁର ପଞ୍ଚାୟତର ସରପଞ୍ଚ ଶର୍ମିଷ୍ଠା ବରାଳଙ୍କୁ କନିଷ୍ଠ ଯନ୍ତ୍ରୀ ଲିଙ୍ଗରାଜ ବେହେରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏନେଇ ସରପଞ୍ଚ ଶ୍ରୀମତୀ ବରାଳ ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ହରିପୁର ପଞ୍ଚାୟତ ବଞ୍ଜା ସାହିରୁ ଲକ୍ଷ୍ମୀ ବଜାର ପର୍ଯ୍ୟନ୍ତ କଂକ୍ରିଟ୍‌ ରାସ୍ତା ନିର୍ମାଣରେ ଅନିୟମିତତା ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ସରପଞ୍ଚ ଶ୍ରୀମତୀ ବରାଳ ନିର୍ମାଣ ସ୍ଥଳକୁ ଯାଇ ଫଳକ ହୋଇନଥିବା ଏବଂ ନିମ୍ନମାନର କାର୍ଯ୍ୟ ସମ୍ପର୍କରେ ଦାୟିତ୍ବରେ ଥିବା କନିଷ୍ଠ ଯନ୍ତ୍ରୀ ଶ୍ରୀ ବେହେରାଙ୍କୁ ଫୋନ୍‌ରେ ପଚାରିଥିଲେ। ସେ ବାହାରେ ଅଛନ୍ତି, ପରେ ବୁଝିବେ ବୋଲି କନିଷ୍ଠ ଯନ୍ତ୍ରୀ କହିଥିଲେ। ଅଭିଯୋଗ କରିବା ପାଇଁ ସରପଞ୍ଚ ଶ୍ରୀମତୀ ବରାଳ ସ୍ବାମୀ ରବୀନ୍ଦ୍ର ବରାଳଙ୍କ ସହିତ ବ୍ଲକ୍‌ କାର୍ଯ୍ୟାଳୟକୁ ଆସିଥିବା ବେଳେ କନିଷ୍ଠଯନ୍ତ୍ରୀ ସେଠାରେ ପହଞ୍ଚି ତାଙ୍କୁ ଦୁର୍ବ୍ୟବହାର କରିଥିଲେ। କନିଷ୍ଠ ଯନ୍ତ୍ରୀ ଗାଳିଗୁଲଜ କରିବା ସହ କାମରେ ସମ୍ପୃକ୍ତ ଥିବା କିଛି ଯୁବକ ସରପଞ୍ଚ ଓ ତାଙ୍କ ସ୍ବାମୀଙ୍କୁ ମାରିଦେବାକୁ ଧମକ ଦେଇଥିଲେ।

ଏହି ସମୟରେ ସୁକିନ୍ଦା ପଞ୍ଚାୟତ ସମିତିର ଅଧ୍ୟକ୍ଷ ଦିବ୍ୟରଞ୍ଜନ ବରାଳ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିବା ସହ ସରପଞ୍ଚଙ୍କୁ ଘରକୁ ପଠାଇ ଦେଇଥିଲେ। ପରେ ସରପଞ୍ଚ ଶ୍ରୀମତୀ ବରାଳ ଥାନାରେ ଅଭିଯୋଗ କରିଛନ୍ତି। ଏସମ୍ପର୍କରେ ପଚାରିବାରୁ ଆଇଆଇସି କାବୁଲି ବାରିକ ଅଭିଯୋଗକୁ ସ୍ବୀକାର କରିଛନ୍ତି। ହେଲେ ବିଡିଓ ପଦକ୍ଷେପ ନେବେ ବୋଲି କହିଥିବା ଥାନାଧିକାରୀ ଶ୍ରୀ ବାରିକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର