ଜୟପୁର : ସିପିଆଇ ନେତା ସତ୍ୟବ୍ରତ ନନ୍ଦଙ୍କୁ ଜୟପୁର ପୌରାଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ମାଡ଼ ମାରିଥିବା ଅଭିଯୋଗ ହୋଇଛି। ସତ୍ୟବ୍ରତଙ୍କ ଏତଲା ଆଧାରରେ ଜୟପୁର ଟାଉନ ଥାନା ପୁଲିସ ଅପରାଧିକ ମାମଲା ରୁଜୁ କରିଛି। ଅଟକାଇବା, ଗାଳିଗୁଲଜ ଏବଂ ଚାପୁଡ଼ା ମାରିବା ଭଳି ସଂଗିନ୍ ଦଫା ଲଗାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାକୁ କେନ୍ଦ୍ରକରି ପୌରାଧ୍ୟକ୍ଷ ଶ୍ରୀ ମହାନ୍ତିଙ୍କ ପାଇଁ ଅଡ଼ୁଆ ବଢ଼ିଥିବାବେଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ବଡ଼ଧରଣର ଆନ୍ଦୋଳନ ହେବ ବୋଲି ସିପିଆଇ ପକ୍ଷରୁ ଚେତାବନୀ ଦିଆଯାଇଛି।
ଅଭିଯୋଗ ଅନୁଯାୟୀ, ଗତ ଶୁକ୍ରବାର ଦିନ ରାତିରେ ପୌରପାଳିକା, ପୁଲିସ ଏବଂ ପ୍ରଶାସନ ପକ୍ଷରୁ ଟ୍ରାଫିକ୍ ସମସ୍ୟାର ସମାଧାନ ନିମନ୍ତେ ପଦକ୍ଷେପ ନିଆଯାଇଥିଲା। ମନଇଚ୍ଛା ଗାଡ଼ି ପାର୍କିଂ ପାଇଁ କିଛି ଜଣଙ୍କ ଠାରୁ ଜରିମାନା ଆଦାୟ କରାଯାଇଥିଲା। ଏହି ପ୍ରସଙ୍ଗରେ ଶୁକ୍ରବାର ରାତି ପ୍ରାୟ ୯ଟାରେ ସିପିଆଇ ନେତା ସତ୍ୟବ୍ରତ ନନ୍ଦ ଜୟପୁର ପୌରପାଳିକା କାର୍ଯ୍ୟାଳୟକୁ ଆଲୋଚନା କରିବାକୁ ଯାଇଥିଲେ। ପୌର ନିର୍ବାହୀ ଅଧିକାରୀଙ୍କୁ ଭେଟି ପ୍ରଥମେ ଟ୍ରାଫିକ୍ ସମସ୍ୟାର ସମାଧାନ କରାଯାଉ ବୋଲି ଦାବି କରିଥିଲେ। ଏହିସମୟରେ ପୌରାଧ୍ୟକ୍ଷ ଶ୍ରୀ ମହାନ୍ତି ଉତ୍କ୍ଷିପ୍ତ ହୋଇଯାଇଥିଲେ। ପାଖକୁ ଆସି ଗାଳିଗୁଲଜ କରିବା ସହ ଧମକ ଦେଇଥିଲେ। ଏହାପରେ ପ୍ରତିବାଦ କରିବାରୁ ଶ୍ରୀ ମହାନ୍ତି ଚାପୁଡ଼ା ମାରିଥିବା ସତ୍ୟବ୍ରତ ଏତଲାରେ ଉଲ୍ଲେଖ କରିଛନ୍ତି।
ଗତକାଲି ରାତିରେ ସତ୍ୟବ୍ରତ ଥାନାରେ ଏତଲା ଦେଇଥିବାବେଳେ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ପୁଲିସ କେଶ୍ ନଂ ୧୨୦/୨୨ରେ ମାମଲା ରୁଜୁ କରିଛି।
ସୂଚନାଯୋଗ୍ୟ, ଅଭିଯୋଗକାରୀ ସତ୍ୟବ୍ରତ ନନ୍ଦ ଗତ ପୌର ନିର୍ବାଚନରେ ସିପିଆଇ ପକ୍ଷରୁ ଅଧ୍ୟକ୍ଷ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ବର୍ତ୍ତମାନ ସେ ସିପିଆଇ କୋରାପୁଟ ଜିଲ୍ଲା ଯୁବ ଓ ଛାତ୍ର ଆବାହକ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Jeypore-Police.jpg)