ରୋଗୀଙ୍କୁ ମାଡ଼ ଅଭିଯୋଗ : ଆଦର୍ଶ ଡାକ୍ତରଙ୍କ ନାଁରେ ମାମଲା ରୁଜୁ

ବଲାଙ୍ଗୀର : ମାଲକାନଗିରିର ଅଗମ୍ୟ ଅଂଚଳରେ ନିଷ୍ଠାପର ଭାବେ ରୋଗୀ ସେବା, ଏପରିକି ଜଣେ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ଗାଁରୁ ଡାକ୍ତରଖାନାକୁ ବୋହି ଆଣିବା ଘଟଣାରେ ସାରା ରାଜ୍ୟରେ ଚର୍ଚ୍ଚାରେ ଥିଲେ ଡାକ୍ତର ଓମକାର ହୋତା। ଏଥିପାଇଁ ସବୁଆଡ଼ୁ ପ୍ରଶଂସା ସାଉଁଟିବା ସହ ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କାର ବି ପାଇଥିଲେ। ହେଲେ ଏବେ ଭିନ୍ନ କାରଣରୁ ସେ ଚର୍ଚ୍ଚାରେ। ଟିଟିଲାଗଡ଼ରେ କାର୍ଯ୍ୟରତ ଏହି ଡାକ୍ତରଙ୍କ ବିରୋଧରେ ରୋଗୀଙ୍କୁ ମାଡ଼ ମାରିବା ଅଭିଯୋଗ ହୋଇଛି। ଥାନାରେ ମାମଲା ବି ରୁଜୁ ହୋଇଛି। ଘଟଣାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

ଟିଟିଲାଗଡ଼ ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ, ଦୁର୍ଘଟଣାରେ ସାମାନ୍ୟ ଆହତ ହୋଇଥିବା ଜଣେ ଯୁବକ ମଙ୍ଗଳବାର ସଂଧ୍ୟାରେ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଡାକ୍ତରଖାନାକୁ ଟିଟି ଇଞ୍ଜେକ୍ସନ ନେବାକୁ ଯାଇଥିଲେ। ସେଠାରେ ଡାକ୍ତରଙ୍କ ନିକଟକୁ ଯିବା ସମୟରେ ଡା. ହୋତା ଫୋନ୍‌ରେ କାହା ସହ କଥାବାର୍ତ୍ତା କରୁଥିଲେ। କିଛି ସମୟ ଅପେକ୍ଷା କରିବା ପରେ ରୋଗୀ ଜଣକ ନର୍ସଙ୍କ ନିକଟକୁ ଯାଇଥିଲେ। ଡାକ୍ତରଙ୍କଠାରୁ ପ୍ରେସ୍‌କ୍ରିପ୍‌ସନ୍‌ ଲେଖାଇ ଆଣିଲେ ନର୍ସ ଟିଟି ଇଞ୍ଜେକ୍ସନ ଦେବେ ବୋଲି କହିଥିଲେ। ଏହାପରେ ପୁଣି ପୃଥ୍ୱୀରାଜ ଡାକ୍ତରଙ୍କ ନିକଟକୁ ଆସି ପ୍ରେସକ୍ରିପ୍‌ସନ୍‌ ଲେଖିବାକୁ କହିବାରୁ ଡାକ୍ତର ଉତ୍ତେଜିତ ହୋଇ ତାଙ୍କର ରେଜିଷ୍ଟ୍ରେସନ ସ୍ଲିପକୁ ଚିରିଦେବା ସହ ମାଡ଼ ମାରିଥିଲେ ବୋଲି ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ଟିଟିଲାଗଡ଼ ପୁଲିସ କେସ ନଂ-୪, ଦଫା-୩୪୧,୨୯୪,୩୨୩ ଆଇପିସି, ଏସସିଏସଟି(ପିଏ)ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଅନ୍ୟପଟେ ଡାକ୍ତର ଓମକାର ହୋତା ମଧ୍ୟ ଥାନାରେ ପାଲଟା ଅଭିଯୋଗ କରିଛନ୍ତି। ରୋଗୀ ଜଣକ ପ୍ରଥମେ ଦୁର୍ବ୍ୟବହାର କରିଥିବା ସେ ଅଭିଯୋଗ କରିଛନ୍ତି। ଆଜି ଟିଟିଲାଗଡ଼ ପୁଲିସ ଡାକ୍ତରଖାନାକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ସଂଧ୍ୟାରେ ବଲାଙ୍ଗୀର ଏଏସ୍‌ପି ଏହି ଘଟଣାର ଅନୁଧ୍ୟାନ ପାଇଁ ଟିଟିଲାଗଡ଼ରେ ପହଞ୍ଚିଥିବା ସୂଚନା ମିଳିଛି। ଟିଟିଲାଗଡ଼ ଏସଡିପିଓ କହିଛନ୍ତି, ରୋଗୀ ଓ ଡାକ୍ତର ଉଭୟଙ୍କ ଅଭିଯୋଗକ୍ରମେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି। ସେପଟେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘଟଣାର ତଦନ୍ତ ଚାଲିଛି ବୋଲି ଏସଡିଏମଓ ଡା. କିରଣମୟୀ ପଣ୍ଡା ସୂଚନା ଦେଇଛନ୍ତି। ତଦନ୍ତ ପରେ ହିଁ ପ୍ରକୃତ ଘଟଣା କ’ଣ ଘଟିଛି ତାହା ସେ ପ୍ରକାଶ କରିପାରିବେ ବୋଲି କହିଛନ୍ତି।

ଫୋନ୍‌ରେ କରୁଥିଲେ ଚିକିତ୍ସା!
ଡା. ଓମକାର ହୋତାଙ୍କ ନାଁରେ ଟିଟିଲାଗଡ଼ ଥାନାରେ ଅଭିଯୋଗ ପହଞ୍ଚିବା ପରେ ପୁଲିସ ରୋଗୀଙ୍କୁ ମେଡିକାଲ ଚେକଅପ ପାଇଁ ପୁଣି ସେହି ଡାକ୍ତରଖାନାକୁ ପଠାଇଥିଲା। ସେଠାରେ ପୁଲିସ ସହ ଯାଇଥିବା ପୃଥ୍ୱୀରାଜ ଓ ଡାକ୍ତରଙ୍କ ଭିତରେ କଥାବାର୍ତ୍ତାକୁ କେତେ ଜଣ ଗଣମାଧ୍ୟମ ପ୍ରତିନିଧି ରେକର୍ଡ କରିଥିଲେ। ଡା. ହୋତା ତାଙ୍କ ସଫେଇରେ ପୃଥ୍ୱୀରାଜଙ୍କୁ କହିଥିଲେ, ସେ ଜଣେ ଗୁରୁତର ରୋଗୀଙ୍କ କଥା ଫୋନରେ ବୁଝୁଥିଲେ। ସେହି ରୋଗୀ ପ୍ରଥମେ ନା ତମର ଚିକିତ୍ସା ପ୍ରଥମରେ ହେବ ବୋଲି କହିଥିଲେ। ପୂର୍ବରୁ ମଧ୍ୟ ଟିଟିଲାଗଡ଼ ଡାକ୍ତରଖାନାରେ ସେ ଡ୍ୟୁଟିରେ ଥିବା ବେଳେ ଆଉ ଜଣେ ବ୍ୟବସାୟୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ସେହି ମାମଲା ବିଶେଷ ଚର୍ଚ୍ଚାର ପରିସରକୁ ଆସିନଥିଲା।

ସମ୍ବନ୍ଧିତ ଖବର