ଚାକିରି କରାଇ ଦେବା ନାଁ ରେ ସାଢ଼େ ୬ ଲକ୍ଷ ଟଙ୍କା ଠକେଇ ଅଭିଯୋଗ

ସମ୍ବଲପୁର : ଡାକ ବିଭାଗରେ ଚାକିରି କରାଇ ଦେବା ନାମରେ ଝାଡ଼ଖଣ୍ଡ ବାସିନ୍ଦା ତଥା ମର୍ଚାଣ୍ଟ ନେଭିର ପୂର୍ବତନ କର୍ମଚାରୀ ବିଦ୍ୟୁତ କୁମାର ଦେଙ୍କ ଠାରୁ ସାଢେ ୬ ଲକ୍ଷ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଝାରସୁଗୁଡ଼ାରେ ଡାକ ବିଭାଗରେ ଅଧିକାରୀ ଭାବେ କାର୍ଯ୍ୟରତ ସଂବଲପୁରର ଜଣେ ବ୍ୟକ୍ତି ତାଙ୍କ ଶଳା ଓ ପରିବାରଙ୍କ ସହାୟତାରେ ଏହି ଠକେଇ କରିଥିବା ବିଦ୍ୟୁତ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତ ଅଇଁଠାପାଲି ଥାନାରେ ଏତଲା ପରେ ମାମଲା ରୁଜ୍ଜୁ ସହିତ ତଦନ୍ତ ଆରମ୍ଭ ହୋଇଛି।

ବିଦ୍ୟୁତ କହିଛନ୍ତି, ମର୍ଚଣ୍ଟ ନେଭିରେ କାର୍ଯ୍ୟ କରୁଥିବାବେଳେ ସଂପୃକ୍ତ ଡାକ ଅଧିକାରୀଙ୍କ ଶଳାଙ୍କ ସହିତ ତାଙ୍କର ପରିଚୟ ହୋଇଥିଲା। ତାଙ୍କ ସହିତ ବ୍ୟବସାୟ କରିବା ପାଇଁ ସେ ୨୦୧୬ ମସିହାରେ ସମ୍ବଲପୁର ଆସି ସଂପୃକ୍ତ ଡାକ କର୍ମଚାରୀଙ୍କ ଘରେ ରହିଥିଲେ। ଏହି ସମୟରେ ସେ ଡାକ ଅଧିକାରୀ ଓ ତାଙ୍କ ଶଳାଙ୍କ ପ୍ରରୋଚନାରେ ବ୍ୟବସାୟରେ ଅନେକ ଟଙ୍କା ନିବେଶ କରିଛନ୍ତି। ଏହା ସହିତ ସଂପୃକ୍ତ ଡାକ କର୍ମଚାରୀ କୁଆଡ଼େ ବିଦ୍ୟୁତଙ୍କୁ କହିଥିଲେ, ସେ ଚାହିଲେ ଗୋଟିଏ ବର୍ଷ ମଧ୍ୟରେ ତାଙ୍କୁ ଡାକବିଭାଗରେ ଚାକିରି କରାଇ ଦେଇ ପାରିବେ। ତାଙ୍କ କଥାରେ ବିଦ୍ୟୁତ ତାଙ୍କୁ ୬ ଲକ୍ଷ ୫୦ ହଜାର ଟଙ୍କା ଦେଇଥିଲେ। ୨୦୧୬ ମସିହାରେ ୩ଟି ପର୍ଯ୍ୟାୟରେ ଏହି ଟଙ୍କା ଦେଇଥିଲେ। ବିଦେଶରେ ରହି ମର୍ଚେଣ୍ଟ ନେଭି ଚାକିରି କରୁଥିଲେ, ଡାକ ବିଭାଗ ଚାକିରି ପାଇଁ ପ୍ରୋସେସିଂ ହୋଇ ପାରିବ ନାହିଁ ବୋଲି ସଂପୃକ୍ତ ଡାକ ଅଧିକାରୀ କହିବାରୁ ବିଦ୍ୟୁତ ଏହି ଚାକିରି ମଧ୍ୟ ଛାଡ଼ି ଦେଇଥିଲେ। କିଛି ଦିନ ପରେ ବିଦ୍ୟୁତ ବୁଝି ଯାଇଥିଲେ ଯେ, ସେ ଠକେଇର ଶିକାର ହୋଇଛନ୍ତି। ୫ ବର୍ଷ ଧରି ନିଜ ଟଙ୍କା ଫେରାଇ ଦେବା ପାଇଁ ବାରମ୍ବାର ଅନୁରୋଧ କରିଥିଲେ। କିନ୍ତୁ ଡାକ ଅଧିକାରୀ ଓ ତାଙ୍କ ସ୍ତ୍ରୀ ତାଙ୍କୁ ମିଛ ଦୁଷ୍କର୍ମ ମାମଲାରେ ଫସାଇ ଦେବେ ବୋଲି ବିଦ୍ୟୁତଙ୍କୁ ଧମକ ଦେଇଥିଲେ। ଏହି ପରିବାର ପାଇଁ ସେ ଠକେଇର ଶିକାର ହୋଇଛନ୍ତି ଓ ଚାକିରି ମଧ୍ୟ ହରାଇଛନ୍ତି। ଏ ପାଇଁ ମାନସିକ ଚାପଗ୍ରସ୍ତ ହୋଇ ପଡ଼ିଥିଲେ। ସମ୍ବଲପୁରର ଦେବାଶିଷ ପୁରୋହିତଙ୍କ ସହାୟତାରେ ସେ ଥାନାରେ ଏତଲା ଦେଇଥିବା କହିଛନ୍ତି।

ସମ୍ବନ୍ଧିତ ଖବର