କଟକ: ନିଆଁଲିଭା ବ୍ୟବସ୍ଥାର ଆଧୁନିକୀକରଣ ପାଇଁ ୨୪ଟି ରୋବୋଟିକ୍ ମନିଟର କିଣିବାକୁ ନିଷ୍ପତ୍ତି ନେଇଛି ରାଜ୍ୟ ଅଗ୍ନିଶମ ସେବା ବିଭାଗ। ଏଥିପାଇଁ ୪୦ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇ ଟେଣ୍ଡର ଆହ୍ବାନ ହୋଇଥିବା ବେଳେ ୪୧ କୋଟି ୪୯ ଲକ୍ଷ ୧୧ ହଜାର ୭୬୦ ଟଙ୍କା ବ୍ୟୟରେ ଏକ ନିର୍ଦ୍ଦିଷ୍ଟ ମଡେଲର ରୋବୋଟିକ୍ ମନିଟର କିଣିବା ପାଇଁ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ତେବେ ଟେଣ୍ଡର ପ୍ରକ୍ରିୟାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।
୨୦୨୩, ଡିସେମ୍ବର ୯ ତାରିଖରେ ଟେଣ୍ଡର ଆହ୍ବାନ କରାଯାଇଥିଲା। ଏଥିରେ ମୋଟ ୭ଟି ସଂସ୍ଥା ଭାଗ ନେଇଥିଲେ। ସେଥିରେ ୪ଟି ସାମଗ୍ରୀ ପ୍ରସ୍ତୁତକାରୀ ସଂସ୍ଥା ରହିଥିବା ବେଳେ ୩ଟି ସଂସ୍ଥା ହେଉଛନ୍ତି ଡିଲର। ୩ ଜଣ ଗୋଟିଏ ମଡେଲର ରୋବୋଟିକ୍ ମନିଟର ଯୋଗାଇ ଦେବାକୁ ଟେଣ୍ଡର ଦାଖଲ କରିଥିଲେ। ସବୁଠୁ କମ୍ ଦର ଉଲ୍ଲେଖ କରିଥିବା ସଂସ୍ଥାକୁ କର୍ତ୍ତୃପକ୍ଷ ଚୟନ କରିଛନ୍ତି। କିନ୍ତୁ ଏଭଳି ପ୍ରକ୍ରିୟାରେ କର୍ତ୍ତୃପକ୍ଷଙ୍କ କେତେକ ନିଷ୍ପତ୍ତି ଏବେ ସନ୍ଦେହର କାରଣ ହୋଇଛି। ପ୍ରଥମତଃ ସାମଗ୍ରୀ ପ୍ରସ୍ତୁତକାରୀ ସଂସ୍ଥାଙ୍କ ତୁଳନାରେ ଏଥିରେ ଡିଲରଙ୍କୁ ଅଗ୍ରାଧିକାର ଦିଆଯାଇଛି। ଟେଣ୍ଡର ସର୍ତ୍ତରେ ସମସ୍ୟା ଥିବା ଦର୍ଶାଇ ୪ଟି ଯାକ ସାମଗ୍ରୀ ପ୍ରସ୍ତୁତକାରୀ ସଂସ୍ଥାଙ୍କୁ ଟେକନିକାଲ୍ ବିଡ୍ରୁ ବାଦ ଦେଇ ଦିଆଯାଇଛି। କିନ୍ତୁ ଏଭଳି ପ୍ରକ୍ରିୟାରେ ଟେଣ୍ଡର ନିୟମକୁ ବି କର୍ତ୍ତୃପକ୍ଷ ଖିଲାପ କରିଥିବା ଅଭିଯୋଗ ମୁଣ୍ଡ ଟେକିଛି। ନିୟମ ଅନୁଯାୟୀ ଟେଣ୍ଡର ଫାଇନାନସିଆଲ୍ ବିଡ୍ ଖୋଲି ଗୋଟିଏ ସଂସ୍ଥା ସପକ୍ଷରେ ନିଷ୍ପତ୍ତି ନିଆ ନଯିବା ପର୍ଯ୍ୟନ୍ତ କ୍ରେତା ଓ ବିକ୍ରେତାଙ୍କ ମଧ୍ୟରେ କୌଣସି ଯୋଗାଯୋଗ ରହିବ ନାହିଁ। କିନ୍ତୁ ଏହି ଘଟଣାରେ ଆରମ୍ଭରୁ ମଡେଲ ପ୍ରଦର୍ଶନ ପାଇଁ ସଂସ୍ଥାକୁ କୁହାଯାଇଛି। ଅନ୍ୟପଟେ ୩ ଜଣ ଡିଲରଙ୍କ ଠାରୁ ଗୋଟିଏ ମଡେଲ୍ ଆଣି ସେଥିରେ କାମ ଚଳାଇ ନିଆଯାଇଛି। ବୈଷୟିକ କମିଟିର ଚୟନ ତାଲିକାରେ ଭିନ୍ନ ଭିନ୍ନ କମ୍ପାନିର ଭିନ୍ନ ଭିନ୍ନ ମଡେଲ୍ ସାମିଲ ହୋଇଥିଲେ ଫାଇନାନସିଆଲ ବିଡ୍ ପରେ ପରସ୍ପର ମଧ୍ୟରେ ଆର୍ଥିକ ପ୍ରତିଯୋଗିତା ଯୋଗୁଁ ସରକାର କମ ଦରରେ ସାମଗ୍ରୀ କିଣିବାର ସୁଯୋଗ ପାଇଥାନ୍ତେ। କିନ୍ତୁ ଏଥିରେ ସେଭଳି ସୁଯୋଗ ସୃଷ୍ଟି ନ କରି ଅଧିକ ଦରରେ ସାମଗ୍ରୀ କିଣିବାକୁ ନିଷ୍ପତ୍ତି ନିଆଯାଇଛି।
ଯେଉଁ ସ୍ଥାନରେ ଦମକଳ ଗାଡ଼ି ଦ୍ବାରା ନିଆଁ ଲିଭାଇବା ସମ୍ଭବ ହୋଇ ପାରୁ ନାହିଁ, ସେଠାରେ ରୋବୋଟିକ୍ ମନିଟରକୁ ବ୍ୟବହାର କରାଯିବ। ଦମକଳ ଗାଡ଼ିରୁ ପାଣି ପାଇପ୍ ଯାଇ ଏହି ମେସିନରେ ସଂଯୋଗ କରାଯିବ। ନିଆଁ ଲାଗିଥିବା ଅଞ୍ଚଳରେ ଯେଉଁଠି ଅଗ୍ନିଶମ କର୍ମଚାରୀ ପ୍ରବେଶ କରିପାରୁ ନାହାନ୍ତି, ସେହି ସ୍ଥାନକୁ ଏହି ମେସିନ୍ ପାଇପ୍ ନେଇ ପହଞ୍ଚିବା ସହିତ ପାଣି ଛିଞ୍ଚି ନିଆଁକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇପାରିବ। ୩୦୦ ମିଟର ଦୂରରେ ରହି ଏହାକୁ ନିୟନ୍ତ୍ରଣ କରାଯାଇପାରିବ। ରୋବୋଟ୍ ୧୦୦ ମିଟର ଦୂରରେ ରହି ପାଣି ସ୍ପ୍ରେ କରିବାର କ୍ଷମତା ରଖୁଛି। ପ୍ରତି ମିନିଟରେ ପ୍ରାୟ ୨୪ ଶହ ଲିଟର ପର୍ଯ୍ୟନ୍ତ ପାଣି ସ୍ପ୍ରେ କରିବାର କ୍ଷମତା ରହିଛି। ନିଆଁ, ଧୂଆଁ କି କୌଣସି ପ୍ରଭାବ ଏହି ମେସିନ୍ ଉପରେ ପଡ଼ିବ ନାହିଁ। ଏହି ରୋବୋଟିକ୍ ମନିଟର ଦିଲ୍ଲୀ, ଗୁଜୁରାଟ ଭଳି ରାଜ୍ୟରେ ସେଠାକାର ଅଗ୍ନିଶମ ବିଭାଗ ବ୍ୟବହାର କରି ସଫଳ ହୋଇଛନ୍ତି। ସେହି କ୍ରମରେ ଓଡ଼ିଶାରେ ଏହି ରୋବୋଟ୍ ନିଆଁ ଲିଭା କାର୍ଯ୍ୟରେ ଯୋଡ଼ି ହେବାକୁ ଯାଉଛି।
ସୂଚନାଯୋଗ୍ୟ, ଭାଗ ନେଇଥିବା ୭ ସଂସ୍ଥା ମଧ୍ୟରୁ ତିନିଟି ବିଡର୍ ମେଟ୍ରୋ ସପ୍ପି, ପିପଲା ସେପ୍ଟି ପ୍ରାଇଭେଟ୍ ଲିମିଟେଡ୍, ସିଙ୍ଘାଇ ଏଣ୍ଟରପ୍ରାଇଜେସକୁ ଅଗ୍ନିଶମ ବିଭାଗର ବୈଷୟିକ କମିଟିରେ ଯୋଗ୍ୟ ବିବେଚିତ କରାଯାଇଥିଲା। ଏହି ତିନୋଟି ବିଡର୍ ନିଜ ନିଜ ସାମଗ୍ରୀ କମିଟି ସାମନାରେ ପ୍ରଦର୍ଶନ କରିବାର ନିର୍ଦ୍ଦେଶନାମା ବିଡରଙ୍କ ସର୍ତ୍ତାବଳୀ ଦସ୍ତାବିଜରେ ଉଲ୍ଲେଖ ଥିଲା। କିନ୍ତୁ ଗୋଟିଏ ନମୁନା ପ୍ରଦର୍ଶନ ପାଇଁ ଆସିଥିବା କୁହାଯାଉଛି। ଏହା ପରେ ଆର୍ଥିକ ବିଡରେ ସିଙ୍ଘାଇ ଏଣ୍ଟରପ୍ରାଇଜେସକୁ ବ୍ୟୟବରାଦ ଅର୍ଥରୁ ବଢ଼ି ୪୧ କୋଟି ୪୯ ଲକ୍ଷ ୧୧ ହଜାର ୭୬୦ ଟଙ୍କାରେ ୨୪ଟି ରୋବୋଟିକ୍ ମନିଟର କିଣିବାକୁ ଚୂଡ଼ାନ୍ତ ହୋଇଛି। ଗୋଟିଏ ଗୋଟିଏ ରୋବୋଟିକ୍ ମନିଟରର ମୂଲ୍ୟ ୧ କୋଟି ୭୨ ଲକ୍ଷ ୮୭ ହଜାର ୯୯୦ ଟଙ୍କା ରହିଥିବା ବେଳେ ଆସନ୍ତା ୬ ମାସ ମଧ୍ୟରେ ଏହି ମନିଟର୍ ଦେବାକୁ ଚୁକ୍ତି ହୋଇଛି।