ଭୁବନେଶ୍ବର: ପୃଥକ୍ ପୃଥକ୍ ଦୁର୍ଘଟଣା ଘଟିଥିଲା। ହେଲେ କ୍ଷତିପୂରଣ ରାଶି ପାଇବା ପାଇଁ ଯେଉଁ ମାମଲା ରୁଜୁ ହୋଇଥିଲା, ତାହାକୁ ଅନୁଧ୍ୟାନ ପରେ ବୀମା କଂପାନି ଜାଣିପାରିଲା ଯେ ସମସ୍ତ ଦୁର୍ଘଟଣାରେ ଜଣେ ଡ୍ରାଇଭରର ନାମ ବ୍ୟବହାର ହୋଇଛି। ଏହି ଟିକକ ସନ୍ଦେହରୁ ମାମଲା ହାଇକୋର୍ଟ ପର୍ଯ୍ୟନ୍ତ ଗଲା। ଆଉ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଶେଷରେ ମୋଟର ଯାନ ଦୁର୍ଘଟଣାଜନିତ କ୍ଷତିପୂରଣ ରାଶି କେଳେଙ୍କାରୀ ଘଟଣାର ତନାଘନା ଆରମ୍ଭ କରିଛି ସିବିଆଇ। କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅନ୍ତର୍ଗତ ଡୁମୁରିନାଳି ଅଞ୍ଚଳର କେଶବ ଚନ୍ଦ୍ର ମହାନ୍ତ ଓ କଟକ ଜିଲ୍ଲା କାନପୁର ଥାନା ଉରାଗଡ଼ସାହି ଅଞ୍ଚଳର ଗୋପୀନାଥ ତୁମୁରି ଓ ଅନ୍ୟମାନଙ୍କ ବିରୋଧରେ ଆଇପିସି ଦଫା-୨୭୯, ୩୦୪ଏ,୩୩୭, ୩୩୮ରେ ଭୁବନେଶ୍ବର ସିବିଆଇ ମାମଲା ରୁଜୁ କରିବା ପରେ ଏ ସଂକ୍ରାନ୍ତ ଫାଇଲ ସଂଗ୍ରହ ସହ ଯାଞ୍ଚ ଚଳାଇଛି। ଅନ୍ୟପକ୍ଷରେ ସିବିଆଇ ତନାଘନା ପରେ ପ୍ରସଙ୍ଗଟି ଅଡ଼ୁଆ ବଢ଼ାଇବ ଜାଣି ଅନେକ ପୁଲିସ ଅଧିକାରୀଙ୍କ ଛାତି ଧଡ୍ ଧଡ୍ ହେଲାଣି।
ମିଳିଥିବା ତଥ୍ୟ ଅନୁସାରେ, ମୋଟର ଯାନ ଦୁର୍ଘଟଣାଜନିତ କ୍ଷତିପୂରଣ ଦାବିରେ କେନ୍ଦୁଝରସ୍ଥିତ ଅଦାଲତ (ମୋଟର ଦୁର୍ଘଟଣା କ୍ଲେମ ଟ୍ରିବ୍ୟୁନାଲ)ରେ ଏକ ମାମଲା ଦାୟର ହୋଇଥିଲା। ଏହି ମାମଲାରେ ଆବେଦନକାରୀ ବୀମା କମ୍ପାନିକୁ ନୋଟିସ୍ ମିଳିଥିଲା। ବୀମା କମ୍ପାନି ଯେବେ ଅନୁସନ୍ଧାନରୁ କଲେ, ସେବେ ଜାଣିଲେ ଯେ ୨୦୧୫-୧୬ ବର୍ଷରେ କେନ୍ଦୁଝରରେ ୫ଟି ଦୁର୍ଘଟଣାକୁ ନେଇ କ୍ଷତିପୂରଣ ଆବେଦନ ଦାୟର କରାଯାଇଛି। ହେଲେ ସମସ୍ତ ଘଟଣାକୁ ନେଇ କେନ୍ଦୁଝରର ବିଭିନ୍ନ ଥାନାରେ ପୁଲିସ ଦାୟର କରିଥିବା ୫ଟି ମାମଲାରେ ଜଣେ ବ୍ୟକ୍ତି ଡ୍ରାଇଭର ଭାବେ ଅଭିଯୁକ୍ତ ରହିଛନ୍ତି। ସମସ୍ତ ୫ଟି ମାମଲାରେ ସମାନ ବ୍ୟକ୍ତି ଡ୍ରାଇଭର କେମିତି ରହିଲେ? ତାଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ ପରେ ମଧ୍ୟ କିଭଳି ବୈଧ ରହିଲା?
ଏହି ପ୍ରସଙ୍ଗଟି ସନ୍ଦେହ ବଢ଼ାଇବା ପଛର ଅନ୍ୟତମ କାରଣ ଥିଲା- ଏ ସମସ୍ତ ଦୁର୍ଘଟଣା ଗୋଟିଏ ବର୍ଷ ଭିତରେ ହିଁ ହୋଇଥିଲା। କ୍ଷତିପୂରଣ ଦାବି ସଂକ୍ରାନ୍ତ ଦାୟର ସମସ୍ତ ୫ଟି କ୍ଲେମ କେସରେ ଡ୍ରାଇଭର ଭାବେ ଜଣେ ବ୍ୟକ୍ତିଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ପରିସ୍ଥିତିର ଗମ୍ଭୀରତା ଉପଲବ୍ଧି କରି ବୀମା କମ୍ପାନି ଘଟଣାର ତଦନ୍ତ ପାଇଁ ସିବିଆଇକୁ ଚିଠି ଲେଖିଥିଲା। ସିବିଆଇ ଏହାକୁ କ୍ରାଇମବ୍ରାଞ୍ଚକୁ ପଠାଇ ଦେଇଥିଲା ଏବଂ ସେମାନେ ତଦନ୍ତ ଆରମ୍ଭ କରିଥିଲା। ହେଲେ ତଦନ୍ତରେ ଶୀଥିଳତା ଅଭିଯୋଗ କରି ବୀମା କମ୍ପାନି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଏବଂ ବୀମା ବାବଦ ପ୍ରାୟ ୫ କୋଟି ଟଙ୍କା ହଡ଼ପ ପାଇଁ ଏଭଳି ଜାଲ୍ ମାମଲା କରାଯାଉଛି ବୋଲି ଅଭିଯୋଗ କରିଥିଲେ। ଘଟଣାର ଉପଯୁକ୍ତ ତଦନ୍ତ ଆବଶ୍ୟକ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା। ହାଇକୋର୍ଟ ମାମଲାକୁ ଗୁରୁତ୍ବର ସହିତ ଗ୍ରହଣ କରି ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। କେନ୍ଦୁଝର ଜିଲ୍ଲାରେ ୫ଟି ଏପରି ଘଟଣାକୁ ନେଇ ଦାୟର ମାମଲାର ହାଇକୋର୍ଟ ଏକତ୍ର ଶୁଣାଣି କରି ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର ପାଇଁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ପୁଲିସ ଏହି ଘଟଣାର ନିରପେକ୍ଷ ତଦନ୍ତ କରିବା ସ୍ଥିତିରେ ନାହିଁ। ଏଭଳି ଘଟଣା ପଛରେ ରହିଥିବା ଷଡ଼୍ଯନ୍ତ୍ର ଓ ଅର୍ଥ କାରବାରର ପର୍ଦ୍ଦାଫାସ କରିବା ପାଇଁ ସିବିଆଇ ପାଖରେ ଦକ୍ଷତା ରହିଛି ବୋଲି ହାଇକୋର୍ଟ କହିଥିଲେ।