ପୁରୀ : ରଥଯାତ୍ରାରେ ସେବାୟତଙ୍କୁ ଚିହ୍ନଟ କରିବାକୁ ପାସ୍ ବ୍ୟବସ୍ଥା କରାଯାଇଛି। ଉଭୟ ଶ୍ରୀମନ୍ଦିର ପ୍ରବେଶ ସହ ଗାଡ଼ି ନେବା ଆଣିବା ପାଇଁ ପାସ୍ ଦେବାର ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ଏଥିପାଇଁ ସ୍ବତନ୍ତ୍ର ପାସ୍ ଛପାଇଛି। କିନ୍ତୁ ଏହି ପାସ୍ ବଣ୍ଟନରେ ବ୍ୟାପକ ଜାଲିଆତି ହେଉଥିବା ଓ ଅଣସେବାୟତଙ୍କୁ ଏହି ପାସ ବଣ୍ଟନ କରୁଥିବା ଅଭିଯୋଗ ହୋଇଛି। ଶ୍ରୀମନ୍ଦିର ପ୍ରଶାସନର ପ୍ରଶାସନିକ ଅଧିକାରୀ ଓ ପୁଲିସ ଏଭଳି ଜାଲିଆତି କରୁଥିବା ଅଭିଯୋଗ ହୋଇଛି।
ମିଳିଥିବା ସୂଚନା ମୁତାବକ, ଶ୍ରୀମନ୍ଦିର କାର୍ଯ୍ୟାଳୟରେ ନିର୍ଦ୍ଦିଷ୍ଟ ଅଧିକାରୀଙ୍କୁ ସେବାୟତ ପାସ୍ ବଣ୍ଟନ ଦାୟିତ୍ବ ଦିଆଯାଇଛି। ଯେଉଁମାନଙ୍କ ପାଖରେ ସେବାୟତ ପରିଚୟପତ୍ର ରହିଛି, ସେମାନଙ୍କ ପାଇଁ ପାସ୍ ଲାଗୁ ହେବନି ବୋଲି କୁହାଯାଇଛି। ସେମାନେ ପରିଚୟପତ୍ର ଦେଖାଇ ଯାଆସ କରିପାରିବେ ବୋଲି ନିଷ୍ପତ୍ତି ହୋଇଛି। କିନ୍ତୁ ଯେଉଁମାନଙ୍କ ପାଖରେ ପରିଚୟପତ୍ର ନାହିଁ ସେମାନଙ୍କ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପାସ୍ ଇସ୍ୟୁ କରାଯାଇଛି।କିନ୍ତୁ ମନ୍ଦିର ପ୍ରଶାସନର ସଂପୃକ୍ତ ଅଧିକାରୀ ଏହି ପାସ୍ ବହୁ ଅଣସେବାୟତଙ୍କୁ ବାଣ୍ଟିଥିବା ଅଭିଯୋଗ ହୋଇଛି।
ଅନ୍ୟପଟେ ଗାଡ଼ି ପାସ୍ ବଣ୍ଟନ ଦାୟିତ୍ବ ଶ୍ରୀମନ୍ଦିରର ଜନୈକ ସୁବେଦାରଙ୍କୁ ଦିଆଯାଇଛି। ଏହି ସୁବେଦାର ସମସ୍ତ ସେବାୟତଙ୍କୁ ଗାଡ଼ି ପାସ ବାଣ୍ଟୁଛନ୍ତି। କିନ୍ତୁ ଏହି ସୁବେଦାର ଗାଡ଼ି ପାସ ବହୁ ଅଣସେବାୟତଙ୍କୁ ବାଣ୍ଟିଥିବା ସେବାୟତ ମହଲ ଅଭିଯୋଗ କରିଛନ୍ତି। ଏପରିକି କିଛି ଭୁବନେଶ୍ବରର ଫଟୋଗ୍ରାଫର, ରଥଯାତ୍ରାରେ ନୃତ୍ୟଗୀତ କରୁଥିବା ବ୍ୟକ୍ତିଙ୍କୁ ଏହି ସେବାୟତ ପାସ ସଂପୃକ୍ତ ସୁବେଦାର ବାଣ୍ଟିଥିବା ଅଭିଯୋଗ ହୋଇଛି। ଏହା ଜରିଆରେ ବହୁ ଅଣସେବାୟତ ରଥ କର୍ଡନ ଭିତରେ ପଶିବାର ଆଶଙ୍କା ରହିଥିବା ଓ ରଥଯାତ୍ରାରେ ବିଶୃଙ୍ଖଳା ସୃଷ୍ଟି ହେବା ଆଶଙ୍କା ରହିଥିବାରୁ, ଏହାର ବିଧିବଦ୍ଧ ତଦନ୍ତ ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/srimandir-bkm-1.jpg)