ଭୁବନେଶ୍ବର : କୁଷ୍ଠରୋଗୀଙ୍କୁ ଅଛୁଆଁ କରି ଦେଇଥିଲା ସମାଜ। ପରିବାର ବି ପାଖ ମାଡ଼ୁନଥିଲେ। ସରକାରଙ୍କ ପାଇଁ ଏହି ରୋଗ ମୁକାବିଲା ଯେତେବେଳେ ଅସମ୍ଭବ ପ୍ରାୟ ହୋଇଥିଲା। ସେହି ସମୟରେ କୁଷ୍ଠରୋଗୀଙ୍କ ସେବା କରି ସହାୟତାର ହାତ ବଢ଼ାଇଥିଲେ ୧୧୮ଜଣ କର୍ମଚାରୀ। ୨୦୧୪ ମସିହା ପରେ ନିୟମିତ କରାଯିବ ବୋଲି ସରକାର ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ୮ ବର୍ଷ ଅତିକ୍ରାନ୍ତ ପରେ ମଧ୍ୟ ଲେପ୍ରା ସୋସାଇଟି ଅଧୀନରେ କାର୍ଯ୍ୟ କରୁଥିବା ରାଜ୍ୟପାଳ ପୁରସ୍କାରପ୍ରାପ୍ତ ୧୦୬ ସ୍ବାସ୍ଥ୍ୟକର୍ମୀଙ୍କୁ ନିୟମିତ କରାଯାଇନାହିଁ। ଇତିମଧ୍ୟରେ ୮ ସ୍ବାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ହୋଇ ସାରିଛି ଓ ୪ ଜଣ ଅବସର ନେଇ ସାରିଛନ୍ତି। ଆଇଜି ପାର୍କରେ ଆୟୋଜିତ ବୈଠକରେ ଏସଂକ୍ରାନ୍ତରେ ଆଲୋଚନା ପରେ ଏକ ମାସ ମଧ୍ୟରେ ସେମାନଙ୍କୁ ନିୟମିତ କରାନଗଲେ ରାଜ୍ୟପାଳ, ସ୍ବାସ୍ଥ୍ୟମନ୍ତ୍ରୀଙ୍କଠାରୁ ପାଇଥିବା ପୁରସ୍କାର ଫେରାଇ ଦେବେ ବୋଲି ଘୋଷଣା ୧୦୬ ଜଣ ସ୍ବାସ୍ଥ୍ୟ କର୍ମୀ।
ସଂଘ ପକ୍ଷରୁ କୁହାଯାଇଛି, କୋରାପୁଟ, ମାଲକାନଗିରି, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, ବରଗଡ଼, ବଲାଙ୍ଗୀର, ସୋନପୁର, ନୂଆପଡ଼ା, ମୟୂରଭଞ୍ଜ ଜିଲ୍ଲାରେ ସେମାନେ କୁଷ୍ଠରୋଗୀଙ୍କ ସେବା କାର୍ଯ୍ୟରେ ଲାଗିଥିଲେ। ଏଥିଯୋଗୁଁ ୨୦୦୬-୨୦୦୭ ମସିହାରେ ଓଡ଼ିଶା କୁଷ୍ଠମୁକ୍ତ ହୋଇଥିଲା। ଏଥିପାଇଁ ରାଜ୍ୟପାଳ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ତରଫରୁ ସମସ୍ତ କର୍ମଚାରୀଙ୍କୁ ଶ୍ରେଷ୍ଠ ଲେପ୍ରୋସି ସ୍ବାସ୍ଥ୍ୟ କର୍ମଚାରୀର ପୁରସ୍କାର ମିଳିଥିଲା। ବର୍ତ୍ତମାନ ସେମାନଙ୍କ ହାତ ଛାଡ଼ି ଦେଇଛନ୍ତି ସରକାର। ୬ ବର୍ଷୀୟା ନିୟମ ଅନୁସାରେ ୨୦୧୪ ମସିହା ସୁଦ୍ଧା ସମସ୍ତଙ୍କୁ ଚାକିରିରେ ନିୟମିତ କରିବା କଥା। ଯାହା କରାଯାଉ ନାହିଁ। ଏପରିକି ଉଚ୍ଚ ନ୍ୟାୟାଳୟଙ୍କ ଆଦେଶକୁ ମଧ୍ୟ ବିଭାଗ ରଦ୍ଦ କରି ଦେଇଛି। ୨୦୧୪ରୁ ୨୦୨୨ ମସିହା ମଧ୍ୟରେ କର୍ମଚାରୀମାନେ ଅନେକ ଥର ସ୍ୱାସ୍ଥ୍ୟ ସଚିବଙ୍କୁ ଭେଟି ଅଭିଯୋଗ କରିଥିଲେ ମଧ୍ୟ କୌଣସି ଲାଭ ହୋଇନାହିଁ।
ସ୍ବାସ୍ଥ୍ୟ ବିଭାଗ କହିବା ଅନୁସାରେ, ତାଙ୍କ ପଦରେ ନିଯୁକ୍ତି ବେଳେ ବିଜ୍ଞାପନ ଦିଆଯାଇନଥିବାରୁ କାହାକୁ ନିୟମିତ କରାଯାଉ ନାହିଁ। ୨୦୧୪ ମସିହାରୁ ୨୦୨୧ ମସିହା ମଧ୍ୟରେ ଉକ୍ତ କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଏବଂ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସିଡିଏମ୍ଓମାନଙ୍କୁ ରିପୋର୍ଟ ମାଗିଥିଲେ।
ଏଣେ ଏନଏଚଏମରେ ନିଯୁକ୍ତ କର୍ମଚାରୀଙ୍କ ପାଇଁ ଭିନ୍ନ ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଗତ ୬ ତାରିଖରେ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ସେମାନଙ୍କ ଦାବି ସମ୍ପର୍କରେ ଜଣାଇଥିଲେ। ଯଦି ଏକ ମାସ ମଧ୍ୟରେ ସମସ୍ୟାର ସମାଧାନ କରା ନଯାଏ ତେବେ କର୍ମଚାରୀମାନଙ୍କର କୁଷ୍ଠ ପୀଡ଼ିତ ପିତାମାତାମାନେ ମୁଖ୍ୟମନ୍ତ୍ରୀ, ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ, ୫-ଟି ସଚିବ ଏବଂ ମୁଖ୍ୟ ଶାସନ ସଚିବଙ୍କୁ ବାସଭବନରେ ଭେଟି ବିଭାଗର ଅବହେଳା ବିଷୟରେ ଅବଗତ କରାଇବା ସହିତ ଚାକିରିରେ ନିୟମିତ କରିବା ପାଇଁ ଅନୁରୋଧ କରିବେ ବୋଲି କହିଛନ୍ତି। ଏହାକୁ ନେଇ ଆନ୍ଦୋଳନ କରାଯିବ ବୋଲି ସଂଘ ଘୋଷଣା କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/leprosy.jpg)